LIVE TV
LIVE TV

ବୟସର ଅପରାହ୍ଣରେ ବଡ଼ ନିଷ୍ପତ୍ତି, ଏମ୍ସକୁ ଦାନ କଲେ ନିଜ ଜୀବନଯାକର ସମ୍ପତ୍ତି

NEWS7
for-the-first-time-gold-prices-reached-the-historical-level

ବ୍ରହ୍ମପୁର: ବୟସର ଅପରାହ୍ଣ... ଭଲରେ କଥା କହିପାରୁନାହାନ୍ତି... କାନକୁ ବି ଠିକ୍ ଭାବେ ଶୁଭୁ ନାହିଁ... ତଥାପି କିଛି କରିବା ପାଇଁ ରହିଛି ପ୍ରବଳ ଉନ୍ମାଦ... ଏଥିପାଇଁ ନିଜ ୧୦୦ତମ ଜନ୍ମଦିନରେ ନେଇଛନ୍ତି ବଡ଼ ନିଷ୍ପତ୍ତି। ଦାନ କରିଛନ୍ତି ନିଜ ଜୀବନଯାକର ସଞ୍ଚିତ ଅର୍ଥକୁ। ଏଭଳି ଜଣେ ମହୀୟସୀ ମହିଳା ହେଉଛନ୍ତି ବ୍ରହ୍ମପୁରର ଶତାୟୁ ମହିଳା ଡାକ୍ତର କେ.ଲକ୍ଷ୍ମୀ ବାଇ। ଆଉ ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ଏବେ ସବୁଠୁ ସେ ପ୍ରଶଂସିତ।

ସୂଚନା ଅନୁସାରେ, ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବ୍ୟାଚ୍ ଏମବିବିଏସ୍ ଛାତ୍ରୀ । ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି। ଆସନ୍ତା ୫ ତାରିଖରେ ସେ ୧୦୦ବର୍ଷରେ ପଦାର୍ପଣ କରିବେ। ହେଲେ ସମାଜ ପାଇଁ କିଛି କରିବା ଉଦ୍ଦେଶ୍ୟରେ ନିଜର ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ବାସ୍ଥ୍ୟସେବାରେ ଦାନ କରିଛନ୍ତି। କେ.ଲକ୍ଷ୍ମୀ ବାଇ ଭୁବନେଶ୍ୱର ଏମ୍ସକୁ ଦାନ କରିଛନ୍ତି ୩.୪୦ କୋଟି ଟଙ୍କା। ସେ କର୍କଟ ରୋଗୀଙ୍କ ଉପଶମ ଉଦେଶ୍ୟରେ ଦାନ କରିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ଟଙ୍କା ପଇସା ପଛରେ ନ ଦୌଡ଼ି ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଲକ୍ଷ୍ମୀବାଇ।

୧୯୨୬ ଡିସେମ୍ବର ୫ ତାରିଖରେ ତା. ଲକ୍ଷ୍ମୀ ବାଇଙ୍କ ଜନ୍ମ। ୧୯୪୫ରୁ ୧୯୫୦ ମଧ୍ୟରେ ସେ ଏସ୍ସିବି ମେଡିକାଲ କଲେଜରେ ଏମବିବିଏସ୍ ପଢ଼ିବା ପରେ ୧୯୫୮ରେ ମାଡ୍ରାସ୍ ମେଡିକାଲ କଲେଜ ଡିଜିଓ ଆଣ୍ଡ୍ ଏମ୍‌ଡି ଇନ୍ ‘ଓ ଏସ୍ ଜି' ପଢ଼ିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଗଲରୁ ଚାକରି ଜୀବନ ଆରମ୍ଭକରି ୧୯୮୬ରେ ଏମ୍କେସିଜିରୁ ଅବସର ନେଇଥିଲେ। ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟି ଆଓ୍ବାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ ବିଭିନ୍ନ ପୁରସ୍କାର ପାଇଛନ୍ତି। ଅବସର ପରେ ସ୍ୱାମୀ ଚିନ୍ମୟା ନନ୍ଦ ମିଶନର ସଦସ୍ୟ ଭାବେ ଦୀକ୍ଷା ଗ୍ରହଣ କରିଛନ୍ତି।