୨୦୩୦ବେଳକୁ ଅଧାରୁ ଅଧିକ ଭାରତୀୟ ହୋଇସାରିଥିବେ ମଧ୍ୟବିତ୍ତ, ଜାଣନ୍ତୁ ଆଉ କ’ଣ କହୁଛି ରିପୋର୍ଟ

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ ୯।୪: ଭାରତ ଏବେ ଆର୍ଥିକ ଓ ସାମାଜିକ ରୂପେ ବଦଳିବାରେ ଲାଗିଛି ଓ ଏହି ପରିବର୍ତ୍ତନର ସବୁଠୁ ବଡ଼ ପ୍ରତୀକ ହେବାକୁ ଯାଉଛନ୍ତି ଦେଶର ବଢୁଥିବା ମଧ୍ୟମ ବର୍ଗ। ବୁଟିକ୍ ସାଂସ୍କୃତିକ ଓ ରଣନୈତିକ ଫାର୍ମ ‘ଫୋକ୍ ଫ୍ରିକ୍ୱେନ୍ସୀ’ ଦ୍ୱାରା ଜାରି ଏକ ନୂଆ ରିପୋର୍ଟ ଅନୁସାରେ ୨୦୩୦ ମସିହା ବେଳକୁ ଭାରତର ଅଧାରୁ ଅଧିକ ଜନସଂଖ୍ୟା ମଧ୍ୟମବର୍ଗୀୟ ହୋଇସାରିଥିବେ। ଏଣୁ ଉପଭୋଗ ପ୍ରବୃତ୍ତି ଆବଶ୍ୟକତା ଆଧାରିତରୁ ଅନୁଭବ ଆଧାରିତ ହେବାକୁ ଯାଉଛି। 

ଏହି ନିଷ୍କର୍ଷ ଭାରତର ସାମାଜିକ ଓ ଖାଉଟି ପରିଦୃଶ୍ୟରେ ଏକ ନୂଆ ଦିଗ ଆଡକୁ ଇଶାରା କରୁଛି, ଯେଉଁଥିରେ ନୂଆ ଆକାଙକ୍ଷା, ବଦଳୁଥିବା ପ୍ରାଥମିକତା ଓ ମଜଭୁତ ହେଉଥିବା ପରିଚୟ ମଧ୍ୟ ସାମିଲ ହେବ। ଏହି ରିପୋର୍ଟରେ ନୂଆ ମଧ୍ୟମ ବର୍ଗଙ୍କ ପାରମ୍ପରିକ ପରିଭାଷା ସମ୍ପୂର୍ଣ୍ଣ ଅଲଗା ହେବ। ଏମାନେ ସେହି ଲୋକ ଯେଉଁମାନେ ପିଢୀ ପରେ ପିଢୀ ଧରି ଚଳି ଆସୁଥିବା ଦାରିଦ୍ର୍ୟତାରୁ ବାହାରି ଏକ ନୂଆ ଆର୍ଥିକ ସ୍ଥିତିରେ ପହଞ୍ଚିଥିବେ। ଏମାନଙ୍କ ମଧ୍ୟରୁ ଏପରି ଅନେକ ଥିବେ ଯେଉଁମାନେ ତାଙ୍କ ପରିବାରରେ ଶିକ୍ଷା ପ୍ରାପ୍ତ କରିଥିବା ପ୍ରଥମ ବ୍ୟକ୍ତି ଓ ଖୁବ୍ କମ ବୟସରେ ଔପଚାରିକ ଚାକିରୀରେ ପ୍ରବେଶ କରୁଥିବେ। 

ଏହାର ପ୍ରଭାବ ସେମାନଙ୍କ ବିଚାର, ଖର୍ଚ୍ଚ କରିବା ଓ ଉତ୍ପାଦ ଏବଂ ସେବାକୁ ଦେଖିବାର ଦୃଷ୍ଟିକୋଣ ଉପରେ ପଡିବ। ଏପରି ଉପଭୋକ୍ତା କେବଳ ଜିନିଷର ମୂଲ୍ୟ ନୁହେଁ ବରଂ ଏହାର ଅନୁଭବ, କ୍ୱାଲିଟି ଓ ବ୍ରାଣ୍ଡ ଷ୍ଟୋରୀକୁ ଗୁରୁତ୍ୱ ଦେବେ। ରିପୋର୍ଟରେ ଏହା ବି କୁହାଯାଇଛିଯେ ଏବେ ବ୍ୟବହାରର ପରିଭାଷା ବଦଳୁଛି। ଲୋକେ ଏବେ କେବଳ ଆବଶ୍ୟକ ଜିନିଷ କିଣୁ ନାହାନ୍ତି ବରଂ ଅନୁଭବାତ୍ମକ ସେବା ଓ ପ୍ରିମିୟମ ଲାଇଫଷ୍ଟାଇଲ ଆଡକୁ ମୁହାଁଉଛନ୍ତି। ଏହାର ଉଦାହରଣ ରୂପେ କାଜୁଆଲ ଡାଇନିଂକୁ ନିଆଯାଇ ପାରେ, ଯାହା ୪୯% ବୃଦ୍ଧି ହୋଇଛି। 

ଏହି ପରିବର୍ତ୍ତନ ସ୍ପଷ୍ଟ କରୁଛି ଏବେ ଲୋକଙ୍କ ଖର୍ଚ୍ଚ କେବଳ ଆବଶ୍ୟକତା ପୂରଣ କରିବାର ମାଧ୍ୟମ ହୋଇ ରହି ନାହିଁ ବରଂ ଏକ ଷ୍ଟେଟମେଣ୍ଟରେ ପରିବର୍ତ୍ତିତ ହୋଇଛି। ରିପୋର୍ଟରେ ଏହା ବି ରେଖାଙ୍କିତ କରାଯାଇଛି ଯେ ଭାରତର ଉଚ୍ଚଶିକ୍ଷା ପରିଦୃଶ୍ୟରେ ଏବେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଯୋଗୁ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି।  ସରକାରଙ୍କ ଲକ୍ଷ୍ୟ ୨୦୩୫ ସୁଦ୍ଧା ଗ୍ରସ ଏନରୋଲମେଣ୍ଟ ରେସିଓ (ଜିଇଆର)କୁ ୫୦% ପର୍ଯ୍ୟନ୍ତ ପହଞ୍ଚାଇବା, ଯାହା ୨୦୧୮ ମସିହାରେ ୨୬.୩% ଥିଲା। ଶିକ୍ଷାର ଏହି ପ୍ରସାର ସହିତ ସାକ୍ଷରତା ହାରରେ ମଧ୍ୟ ସୁଧାର ଆସିଛି। 

୨୦୧୧ମସିହାରେ ଦେଶର ୨୨.୫% ଜନସଂଖ୍ୟା ନିରକ୍ଷର ଥିବା ବେଳେ ୨୦୧୯ ବେଳକୁ ଏହି ସଂଖ୍ୟା ହ୍ରାସ ହୋଇ ୧୦.୨% ହୋଇଯାଇଛି। ଏହାର ସିଧାପ୍ରଭାବ ହେଉଛି ଉପଭୋକ୍ତା ଏବେ ବ୍ରାଣ୍ଡ ଓ ପ୍ରଚାର ପ୍ରତି ଅଧିକ ସଚେତନ। ଯେଉଁମାନେ ପାରଦର୍ଶିତା, ଉତ୍ତରଦାୟୀ ଓ ଉତ୍ପାଦ ସେବାର କ୍ୱାଲିଟିକୁ ପ୍ରାଧାନ୍ୟ ଦେଉଛନ୍ତି। ରିପୋର୍ଟରୁ ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ଭାରତର ୫୭% ଇଣ୍ଟରନେଟ୍ ବ୍ୟବହାରକାରୀ ଗ୍ରାମୀଣ ଓ ଟିୟର-୨+ ସହରରେ ରହୁଛନ୍ତି, ହେଲେ ବିଜ୍ଞାପନ ଓ ଡିଜିଟାଲ ସାମଗ୍ରୀରେ ଏବେବି ମହାନଗର ଓ ଇଂରାଜୀଭାଷୀ ଦର୍ଶକଙ୍କୁ ପ୍ରାଥମିକତା ଦିଆଯାଉଛି। 

ଏଥିରେ ଏଆଇ ଅଲଗାରିଦମରେ ଆଞ୍ଚଳିକ ଭାଷା ପ୍ରତି ପୂର୍ବାଗ୍ରହ ବା ପକ୍ଷପାତ ସ୍ପଷ୍ଟ ଜଣାପଡିଯାଉଛି, ଏଣୁ ବହୁ ସଂଖ୍ୟାରେ ସମ୍ଭାବିତ ଉପଭୋକ୍ତା ଅଣଦେଖା ହୋଇଯାଉଛନ୍ତି। ଏହା ଡିଜିଟାଲ ବଜାର ପ୍ରତି ଏକ ଚେତାବନୀ ଯେ ଯଦି ସେମାନେ ବାସ୍ତବାରେ ଭାରତର ହୃଦୟକୁ ଛୁଇଁବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସ୍ଥାନୀୟ ଭାଷା ଓ ସ୍ଥାନୀୟ ସନ୍ଦର୍ଭକୁ ପ୍ରାଥମିକତା ଦେବାକୁ ପଡିବ। ରିପୋର୍ଟରେ ଏକ ପ୍ରମୁଖ ବିନ୍ଦୁ ଏହା ଯେ ମହିଳାମାନେ ଏବେ ଭାରତର ନୂଆ ଆର୍ଥିକ ଶକ୍ତିରେ ପରିଣତ ହେଉଛନ୍ତି। ତଥ୍ୟରୁ  ଏହା ପୁଷ୍ଟି ହେଉଛି ଯେ ଦେଶର ୫୦%ରୁ ଅଧିକ ମେଡିକାଲ ଛାତ୍ର ମହିଳା। ସେହିପରି ୧୪% ବ୍ୟବସାୟ ଏବେ ମହିଳାଙ୍କ ଦ୍ୱାରା ସଞ୍ଚାଳିତ ହେଉଛି। 

ଆଜିର ଜେନେରେସନ ‘ଜେଡ୍’ ଓ ଆଲଫା, ଯେଉଁମାନେ ୨୫ ବର୍ଷ ବୟସରୁ କମ ଆୟୁବର୍ଗର ଯୁବ ପିଢୀ ଉପଭୋଗ କ୍ଷେତ୍ରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛନ୍ତି। ରିପୋର୍ଟ ଅନୁସାରେ ୯୯%ଯୁବବର୍ଗ ପାରିବାରିକ ଯାତ୍ରାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି। ଏପରି ଯୁବ ବର୍ଗ ବ୍ରାଣ୍ଡକୁ ତାର ମୂଲ୍ୟ, ସମଗ୍ରତା ଓ ସ୍ଥିରତା ଆଧାରରେ ଆଙ୍କୁଛନ୍ତି। ସୋସିଆଲ ମିଡିଆ ଓ ଜାଗତିକରଣ ସଂସ୍କୃତି ସଂସ୍ପର୍ଶରେ ରହିବା ଯୋଗୁ ସେମାନେ ଅଧିକ ପାଶ୍ଚାତ୍ୟ ଦୃଷ୍ଟିକୋଣ ଆପଣାଉଛନ୍ତି। 

ଏହି ଯୁବବର୍ଗର ଖାସ ବିଶେଷତା ହେଉଛି ସେମାନେ ଯଦି ଭାବନ୍ତି ଏହା ଅସମ୍ବେଦନଶୀଳ ଓ ନିର୍ଯାତନା ତେବେ ଭାରତର ପାରମ୍ପାରିକ ପ୍ରଥା ଓ ପରମ୍ପରା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ‘ଫୋକ ଫ୍ରିକ୍ୱେନ୍ସୀ’ର ସଂସ୍ଥାପକ ତଥା ମାନବ ବିଜ୍ଞାନୀ ଗାୟତ୍ରୀ ସପ୍ରୁ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ‘ମୁଁ ନିଜେ ଦେଖିଛି ସଂସ୍କୃତି, ଡାଟା ଓ ବ୍ୟବସାୟୀକ ରଣନୀତି ମଧ୍ୟରେ କେତେ ଅନ୍ତର। ଆଜିର କୌଣସି ବିଶ୍ଲେଷଣ କେବଳ ଜେନେରାଲ ନଲେଜକୁ ଦୋହରାଉଛି, ତେବେ ଏହି ରିପୋର୍ଟ ଗଭୀର ଅନୁଶୀଳନରେ ପ୍ରସ୍ତୁତ କରାଯାଇଛି ଓ ପରିବର୍ତ୍ତନର ସଠିକ ଦିଗକୁ ଦର୍ଶାଉଛି’।  

ସପ୍ରୁଙ୍କ ଅନୁସାରେ ଆଜିର ଭାରତୀୟ ଖାଉଟି ଦୃଢ, ସଚେତନ ଓ ମୂଲ୍ୟ ଆଧାରିତ। ସେମାନେ କେବଳ କ୍ୱାଲିଟି ନୁହେଁ ବ୍ରାଣ୍ଡର କାହାଣୀ, ଏହାର ସାମାଜିକ ଦାୟିତ୍ୱ ଓ ବ୍ୟବହାରକୁ ମଧ୍ୟ ଦେଖୁଛନ୍ତି। ଏହା ବ୍ରାଣ୍ଡ ମାନଙ୍କ ଲାଗି ଏକ ସ୍ପଷ୍ଟ ସଂକେତ ଯେ ‘ଯଦି ସେମାନେ ଭବିଷ୍ୟତରେ ପ୍ରାସଙ୍ଗିକ ହୋଇ ରହିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସମ୍ବେଦନଶୀଳ, ପାରଦର୍ଶି ଓ ମୂଲ୍ୟ ଆଧାରିତ ଦୃଷ୍ଟିକୋଣ ଆପଣାଇବାକୁ ପଡିବ’। ୨୦୩୦ ଆଡକୁ ଅଗ୍ରସର ହେଉଥିବା ଭାରତ କେବଳ ବୈଷୟିକ ଅଥବା ଆର୍ଥିକ ଶକ୍ତିରେ ପରିଣତ ହେବନି ବରଂ ଏକ ସାଂସ୍କୃତିକ, ସାମାଜିକ ଓ ଖାଉଟି ପରିବର୍ତ୍ତନର ଉଦାହରଣ ମଧ୍ୟ ଉପସ୍ଥାପନ କରିବ। 

ଏହି ସବୁ ତତ୍ୱ ମିଶି ଭାରତକୁ ଏକ ନୂଆ ଦିଗକୁ ନେଇ ଯାଉଛି । ବ୍ରାଣ୍ଡ, ନୀତି ନିର୍ମାତା ଓ ସମାଜ ଯଦି ଏହି ପରିବର୍ତ୍ତନକୁ ସମୟ ଥାଉ ବୁଝିଗଲା ତେବେ ଏହି ପରିବର୍ତ୍ତନ ଏକ ସ୍ୱର୍ଣ୍ଣିମ ଅବସର ପାଲଟିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.