ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ରେକର୍ଡ

Published By : Prameya-News7 Bureau | January 17, 2025 IST

ପୁରୀ ୧୭/୦୧: ସବୁ ଅପେକ୍ଷାରେ ଅନ୍ତ । ଶୁକ୍ରବାରଠାରୁ ଲାଗୁ ହେଲା ଶ୍ରୀମନ୍ଦିର ପକ୍ଷରୁ ଜାରି ହୋଇଥିବା ୫ ସୂତ୍ରୀ ମାର୍ଗଦର୍ଶିକା । ଆସନ୍ତା ୨୦ ତାରିଖରେ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଅନିଶ୍ଚିତତା । ଶ୍ରୀମନ୍ଦିର ନାଟମଣ୍ଡପରୁ ହୁଣ୍ଡି ଅପସାରଣ ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ହୁଣ୍ଡି ଅପସାରଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। 

ତେବେ ଏହି ବୈଠକରେ ବଜେଟ ଆୟ ବ୍ୟୟ ଉପରେ ମଧ୍ୟ ଆଲୋଚନା ହୋଇଛି । ଶ୍ରୀମନ୍ଦିରର ସମସ୍ତ ରେକର୍ଡ ଏବଂ ଫାଇଲ୍ କାର୍ଯ୍ୟ କମ୍ପ୍ୟୁଟରୀକରଣ ହେବ। ଅନଲାଇନ ଡୋନେସନ୍‌କୁ କିଭଳି ସହଜ କରିହେବ, ସେନେଇ ମଧ୍ୟ ଆଲୋଚନା ହୋଇଛି । ଡିଜିଟାଲ ଲାଇବ୍ରେରି କରାଯିବ। ସମସ୍ତ ଗ୍ରନ୍ଥ ଗୁଡ଼ିକ ଡିଜିଟାଇଜେସନ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । 


ବୈଠକରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ନିମନ୍ତେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୫ ସୂତ୍ରୀ କାର୍ଯ୍ୟାବଳୀଗୁଡିକ ହେଲା,  ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । 


ସେହିପରି ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧି କାର୍ଯ୍ୟାଳୟ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବନାହିଁ । ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍‌ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି । 


କହିରଖୁ କି, ଶ୍ରୀମନ୍ଦିର  କାର୍ଯ୍ୟାଳୟରେ କାମ କରିବା ବେଳେ ପାନ, ଗୁଟୁଖା ଖାଇବା ବାବଦରେ ପୂର୍ବ ମୁଖ୍ୟ ପ୍ରଶାସକ ରଞ୍ଜନ ପାଢ଼ି ନିଷିଦ୍ଧ ଆଦେଶ ଲଗାଇଥିଲେ । ମାତ୍ର ଏହାକୁ ପରେ ପାଳନ କରାଯାଉନଥିଲା । ସେହିପରି ଶ୍ରୀମନ୍ଦିରକୁ  ଯାଉଥିବା ପ୍ରଶାସନିକ କର୍ମଚାରୀମାନେ ସାଙ୍ଗରେ ସ୍ମାର୍ଟ ଫୋନ୍‌ ନେଇ ଯାଉଥିବାରୁ ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଉଥିଲା । ସମସ୍ତଙ୍କ ନିମନ୍ତେ ଗୋଟିଏ ପ୍ରକାର ନିୟମ କରିବାକୁ ଦାବି ହୋଇ ଆସୁଥିଲା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.