News7 Logo

ମୁମ୍ବାଇ ଦହିସରରେ ଅଗ୍ନିକାଣ୍ଡ, ୨୪ ମହଲା ବିଲ୍ଡିଂରେ ଲାଗିଥିଲା ନିଆଁ, ଜଣେ ମହିଳା ମୃତ, ୧୮ ଆହତ

NEWS7
Mumbai Fire

ମୁମ୍ବାଇ ୭।୯: ମୁମ୍ବାଇ ଦହିସରରେ ଏକ ୨୪ ମହଲା ବିଲ୍ଡିଂରେ ନିଆଁ ଲାଗିଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୧୮ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ପୂର୍ବ ଦହିସରର ଶାନ୍ତି ନଗରସ୍ଥିତ  ନ୍ୟୁ ଜନକଲ୍ୟାଣ ସୋସାଇଟିରେ ଏହି ନିଆଁ ଲାଗିଛି। ସୂଚନା ଅନୁସାରେ ବିଲ୍ଡିଂରେ ନିଆଁ ଲାଗିଥିବା ଜଣା ପଡିବା ପରେ ଏଥିରେ ରହୁଥିବା ଲୋକେ ଆତଙ୍କିତ ହୋଇ ଏଣେତେଣେ ପଳାୟନ କରିଥିଲେ।

୨୪ ମହଲା କୋଠାରେ ନିଆଁ ଲାଗିବା ସୂଚନା ମିଳିବାମାତ୍ରେ ଦମକଳ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ନିଆଁ ଅପରାହ୍ନ ପ୍ରାୟ ୩ଟା ବେଳେ ଲାଗିଥିଲା। ଅନେକ ଉଦ୍ୟମ ପରେ ନିଆଁକୁ ଏବେ ଆୟତ୍ତ କରାଯାଇଛି। ତେବେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ନିଆଁ ଲାଗିବାର କାରଣ ଜାଣିବା ପାଇଁ ଦମକଳ ବିଭାଗ କର୍ମଚାରୀ ଏବେ ଯାଞ୍ଚ କରୁଛନ୍ତି।

୨୪ ମହଲା ବିଲ୍ଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୭ ଫାୟାର ଇଞ୍ଜିନ ଘଟଣାସ୍ଥଳକୁ ପଠାଯାଇଥିଲା। ଘଟଣା ସ୍ଥଳରେ ଏବେ ଉଦ୍ଧାର ଅଭିଯାନ ଚଳାଯାଇଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳକୁ ୭ଟି ଫାୟାର ଇଞ୍ଜିନ, ୩ଟି ଜମ୍ବୋ ଟ୍ୟାଙ୍କର, ୨ଟି ଅଟୋ ୱାଟର ଟ୍ୟାଙ୍କର, ଗୋଟିଏ ବ୍ରିଦିଂ ଅପରେଟସ୍ ଭ୍ୟାନ, ଗୋଟିଏ ହାଇପ୍ରେସର ପମ୍ପ, ଗୋଟିଏ ଏଏଲପି, ଗୋଟିଏ ଟର୍ଣ୍ଣଟେବଲ ଲାଡର, ଗୋଟିଏ ଏଚଆରଏଫଏଫଭି ଓ ଗୋଟିଏ ଡବ୍ଲୁକ୍ୟୁଆରଭି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା।

ନିଆଁଲିଭା ଯିବା କାଳରେ ୧୪ ମହଲାରୁ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଥିଲା। ନିଆଁ ଲାଗିବା ଘଟଣା ପ୍ରଚାରିତ ହେବା ପରେ ମୁମ୍ବାଇ ନଗରନିଗମର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।