ପ୍ରଶ୍ନପତ୍ର ଦେଖି ଉଡ଼ିଲା ହୋସ୍ ! ସିବିଏସ୍‌ଇ ଦଶମ ପରୀକ୍ଷାରେ ଧୋକା ଦେଲା ମ୍ୟାଥ୍ ପେପର୍

NEWS7
find-out-what-has-been-closed-in-the-country-after-operation-sindoor

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ଗଣିତ ପରୀକ୍ଷାକୁ ନେଇ ଜୋରଦାର ବିତର୍କ ଆରମ୍ଭ ହୋଇଛି । ଶ୍ରେଣୀଗୃହ, କର୍ମଚାରୀଙ୍କ ପାଖରୁ ଆରମ୍ଭ କରି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ବେସିକ୍ ବା ମୌଳିକ ଗଣିତକୁ ବିକଳ୍ପ ରଖିଥିବା ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି । କେତେକେ ପରୀକ୍ଷା କେନ୍ଦ୍ରରେ ପିଲାମାନେ କାନ୍ଦି କାନ୍ଦି ବାହାରକୁ ଆସିଥିବାର ମଧ୍ୟ ଦେଖିବାକୁ ମିଳିଛି । ଷ୍ଟାଣ୍ଡାର୍ଡ ମ୍ୟାଥ୍ ସିଧାସଳଖ ଏନସିଇଆରଟିରୁ ଆସିଥିଲା ବୋଲି କୁହାଯାଉଥିବା ବେଳେ, ବେସିକ୍ ପେପର କଠିନ ଥିଲା ବୋଲି ଅଭିଯୋଗ ହୋଇଛି ।

ନିର୍ଦ୍ଧାରିତ ପାଠ୍ୟକ୍ରମରୁ ବାହାରେ ପ୍ରଶ୍ନ ଆସିଥିବା ନେଇ ଦାବି କରିଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷକ । ୨୦ ଲକ୍ଷରୁ ଅଧିକ ଛାତଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ପ୍ରଥମ ଦିନରେ ଗଣିତ ପରୀକ୍ଷା ସେମାନଙ୍କ ଆତ୍ମବିଶ୍ବାସକୁ ଖୁବ ପ୍ରଭାବିତ କରିପାରେ । ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷାଗତ ଚାପ ଏଡାଇବା ପାଇଁ ମୌଳିକ ଗଣିତ ବାଛିଥିଲେ ସେମାନଙ୍କ ସହ ଧୋକା ହୋଇଛି ବୋଲି ଅଭିଯୋଗ ହୋଇଛି ।

ସହଜ ଆସିବାକୁ ଥିବା ପ୍ରଶ୍ନପତ୍ର ଅଧିକ କଷ୍ଟ ଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଜାରି ହୋଇଛି । ସାଧାରଣତଃ ଗଣିତରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ଲାଗି ୨୦୨୦ରେ ସିବିଏସଇ ପକ୍ଷରୁ ବେସିକ ଏବଂ ଷ୍ଟାଣ୍ଡାର୍ଡ ମ୍ୟାଥମାଟିକ୍ସ ଭାବରେ ବିକଳ୍ପ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଯେଉଁମାନେ ଏକାଦଶରେ ଗଣିତ ରଖିବାକୁ ଚାହୁଁନଥିବେ, ସେମାନଙ୍କ ପାଇଁ ବେସିକ ମ୍ୟାଥର ଅପ୍ସନ ଦିଆଯାଇଛି । ଫଳରେ ସେମାନେ କେବଳ ସାଧାରଣ ଗଣିତ ପଢ଼ିବେ ଏବଂ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ଆଣିପାରିବେ । କିନ୍ତୁ ୨୦୨୬ ପରୀକ୍ଷାରେ ବେସିକ୍ ମ୍ୟାଥ୍ ରଖିଥିବା ପିଲାମାନେ ପ୍ରଶ୍ନପତ୍ର ଦେଖି, ସିବିଏସଇ ସେମାନଙ୍କୁ ଧୋକା ଦେଇଛି ବୋଲି ଅଭିଯୋଗ କରିଛନ୍ତି ।

ଜଣେ ଛାତ୍ରୀ ଏନେଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ ଦାବି କରିଛନ୍ତି । ସେପଟେ ତାମିଲନାଡୁରେ ଛାତ୍ରଛାତ୍ରୀ ଦାବି କରିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ସେଠାରେ ପ୍ରଶ୍ନପତ୍ର ଅଧିକ କଠିନ ଥିଲା । ଆଉ ଏକ ବଡ଼ ପ୍ରସଙ୍ଗ ହେଉଛି, ଯଦି ଏତେ କଠିନ ପ୍ରଶ୍ନପତ୍ର ତିଆରି କରିବାର ଥିଲା, ତେବେ ସିବିଏସଇ ପକ୍ଷରୁ ସେଭଳି ବହି କାହିଁକି ଦିଆଯାଇ ନଥିଲା । ସାମ୍ପଲ ପେପର ଏବଂ ପ୍ରଶ୍ନପତ୍ର ମଧ୍ୟରେ ତାଳମେଳ ନଥିବା ମଧ୍ୟ ଅଭିଯୋଗ ହୋଇଛି ।

 

ଦିଲ୍ଲୀର ଜିଏସକେଭି ଖଜୁରୀ ଖାସ ବିଦ୍ୟାଳୟର ଗଣିତ ଶିକ୍ଷକ ନୀରା ଶର୍ମାଙ୍କ ଅନୁସାରେ, ଉଚ୍ଚ ଶ୍ରେଣୀରେ ଗଣିତ ପଢିବାକୁ ଚାହୁଁନଥିବା ଛାତ୍ରଛାତ୍ରୀଙ୍କ ଚାପ କମାଇବା ପାଇଁ ମୌଳିକ ଗଣିତ ପ୍ରଚଳନ କରାଯାଇଥିଲା । ଯଦି ପ୍ରଶ୍ନପତ୍ର ଆଶାଠାରୁ ଅଧିକ ବିଶ୍ଳେଷଣାତ୍ମକ ହୋଇଯାଏ, ତେବେ ବେସିକ ଏବଂ ଷ୍ଟାଣ୍ଡାର୍ଡ ମଧ୍ୟରେ ପାର୍ଥକ୍ୟ ଝାପ୍ସା ହୋଇଯାଏ। ତେବେ ଦେଶବ୍ୟାପୀ ବିତର୍କ ଜାରି ରହିଥିବା ବେଳେ ସିବିଏସଇ କ’ଣ ନିଷ୍ପତ୍ତି ନେବ ତା ଉପରେ ସମସ୍ତଙ୍କ ନଜର ।