ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ମାମଲା ରୁଜୁ, ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଭଡକିଲେ ନିର୍ଦ୍ଦେଶକ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ ୦୭।୦୮; ଟ୍ରେଲର ରିଲିଜ ପୂର୍ବରୁ ବିବାଦ ଘେରରେ ‘ଦ ବେଙ୍ଗଲ ଫାଇଲ୍ସ’ । ରିଲିଜ ଅପେକ୍ଷାରେ ଥିବା ଏହି ଫିଲ୍ମକୁ କଡ଼ା ବିରୋଧ କରିବା ସହ ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଯାହାର ଉତ୍ତର ଦେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିବେକ ଅଗ୍ନିହୋତ୍ରୀ ।  ସିନେମାର ପ୍ରମୋସନ ପାଇଁ ଆମେରିକା ଯାଇଥିବା ବିବେକ ସେଠାରୁ ଏକ ଭିଡିଓ ବାର୍ତ୍ତା ଜାରି କରି ମମତା ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

ବିବେକ ଅଗ୍ନିହୋତ୍ରୀ କହିଛନ୍ତି, "ମୁଁ ଆମେରିକାରେ 'ଦି ବେଙ୍ଗଲ ଫାଇଲ୍ସ'ର ପ୍ରମୋସନ କରୁଛି। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଏହା ହିନ୍ଦୁ ନରସଂହାର ଉପରେ ନିର୍ମିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହା ଆମ ଇତିହାସର ଅନେକ କଳା ଅଧ୍ୟାୟକୁ ଉନ୍ମୋଚନ କରେ। କିନ୍ତୁ ମୁଁ ଏଠାରେ ଥିବା ସମୟରେ, ପଶ୍ଚିମବଙ୍ଗର ଶାସକ ଦଳ ଏବଂ ସେମାନଙ୍କର ସଦସ୍ୟମାନେ ବିଭିନ୍ନ ସହରରେ, ବିଭିନ୍ନ ଥାନାରେ ଆମ ବିରୁଦ୍ଧରେ ଅନେକ ଏଫଆଇଆର ଦାଖଲ କରୁଛନ୍ତି। ମୁଁ ଏହି ସୂଚନା କାହା ସହିତ ସେୟାର କରିନଥିଲି କାରଣ ଆମେ ଆଇନଗତ ରାସ୍ତା ବାଛୁଥିଲୁ। ମୋର ଭାରତୀୟ ନ୍ୟାୟପାଳିକା, ବିଶେଷକରି କୋଲକତା ହାଇକୋର୍ଟ ଉପରେ ବହୁତ ବିଶ୍ୱାସ ଅଛି । ହାଇକୋର୍ଟରେ ମାମଲା ଶୁଣାଣି ଚାଲିଥିବା ସମୟରେ, ସେହି ସମୟରେ ସେମାନେ ଅଧିକ ଏଫଆଇଆର ଦାଖଲ କରିଥିଲେ। ମୁଁ ଭାବୁଛି ଏହା ସେମାନଙ୍କର ରଣନୀତି। ଶାସକ ଦଳ ଆମକୁ ଏତେ ଆଇନଗତ ଅସୁବିଧାରେ ପକାଇବାକୁ ଚାହୁଁଛି ଯେ ଆମେ ଫିଲ୍ମର ପ୍ରଚାର ଉପରେ ଧ୍ୟାନ ଦେଇପାରିବୁ ନାହିଁ।

ମମତା ସରକାର ସିନେମାକୁ ପ୍ରଥମ ଦିନରୁ ବିରୋଧ କରୁଛନ୍ତି । ପଶ୍ଚିମବଙ୍ଗରେ ସୁଟିଂ ପାଇଁ ଅନୁମତି ଦେଇନଥିଲେ। କିନ୍ତୁ ଆମେ ପଶ୍ଚିମବଙ୍ଗର କଳା ଅଧ୍ୟାୟକୁ ଦେଖାଇବାକୁ ଆମେ ଚାହୁଛୁ ।ସିନେମାକୁ ବିରୋଧ କରି ସତ ଲୁଚାଇବାକୁ ଚାପ ପଡ଼ୁଛି। ଦ କାଶ୍ମୀର ଫାଇଲ୍ସ ପରି ସତ୍ୟ ଘଟଣା ଓ ସାମାଜିକ ପ୍ରସଙ୍ଗ ଉପରେ ସିନେମା ନିର୍ମାଣ କରି ଚର୍ଚ୍ଚାରେ ରହିଥିଲେ ବିବେକ ଅଗ୍ନିହୋତ୍ରୀ । ଏଥରକ ମଧ୍ୟ ସମାନ ଏକ୍ସପେରିମେଣ୍ଟ କରି ଦ ବେଙ୍ଗଲ ଫାଇଲ୍ସ ନିର୍ମାଣ କରିଛନ୍ତି । ଯେଉଁଥିରେ ୭୮ବର୍ଷ ପୂର୍ବ ପଶ୍ଚିମବଙ୍ଗ ନରସଂହାର କଥାକୁ ଦର୍ଶାଯାଇଛି । ମମତା ସରକାର କହିଛନ୍ତି, କାହାଣୀରେ ମିଛ ତଥ୍ୟ ଦିଆଯାଇ ପଶ୍ଚିମବଙ୍ଗର ଛବିକୁ ଖରାପ କରିବାକୁ ପ୍ରୟାସ କରାଯାଉଛି । ତେବେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯାହା ବି ହେଉ ସିନେମାର ପ୍ରଥମ ଟ୍ରେଲର କୋଲକାତାରେ ହିଁ ରିଲିଜ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.