ରାଷ୍ଟ୍ର ପରିଚାଳନାରେ ନ୍ୟାୟ ଇଞ୍ଜିନ୍ ସଦୃଶ : ବିଚାରପତି ଶଶିକାନ୍ତ ମିଶ୍ର

NEWS7
fighting-between-mamata-and-priyanka-tomorrow-section-144-took-place-outside-the-booth

ଭୁବନେଶ୍ୱର ୨୩।୦୧ : ଭାରତର ସମ୍ବିଧାନ ରାଷ୍ଟ୍ରର ନାଗରିକଙ୍କୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି କରିବା ସୁନିଶ୍ଚିତ କରିଛି । ଯାହାଦ୍ୱାରା କି ରାଷ୍ଟ୍ର ନିରନ୍ତର ଭାବେ ଉଚ୍ଚତର ସ୍ତରକୁ ଯାଇ ସଫଳତା ହାସଲ କରିପାରିବ । ଭାରତ ସମ୍ବିଧାନକୁ ସମ୍ମାନ ଦେବା ଆମର ମୌଳିକ ଦାୟିତ୍ୱ ଏବଂ ନ୍ୟାୟ ଏକ ଇଞ୍ଜିନ୍ ସଦୃଶ ଯାହାକି ରାଷ୍ଟ୍ରକୁ ପରିଚାଳନା କରିଥାଏ ବୋଲି କହିଥିଲେ ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଉଦ୍ଦେଶ୍ୟରେ ସୋଆ ବକ୍ତୃତାମାଳାର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ମିଶ୍ର ଏହା କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଜ୍ଞାନ ବୃଦ୍ଧି ଓ ମାନବ ସଭ୍ୟତାର ମିଶ୍ରଣକୁ ନେଇ ବିଶେଷଜ୍ଞମାନେ ଏକାଠି ବସି ସମ୍ବିଧାନ ଗଠନ କରିଥିଲେ । ତେଣୁ ବ୍ରିଟିଶରମାନେ ଯେ ଆମକୁ ଆଇନ ଶିଖାଇଛନ୍ତି ଏହା କହିବା ଭୁଲ୍ ହେବ ବୋଲି ବିଚାରପତି ଶ୍ରୀ ମିଶ୍ର କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଜଣେ ହୁଏତ ସମ୍ବିଧାନ ବିଧି ବ୍ୟବସ୍ଥାକୁ ପ୍ରତ୍ୟେକ ଦିନ ପାଳନ କରୁ ନ ଥାଇପାରେ । କିନ୍ତୁ ନ୍ୟାୟ, ସମାନତା ଭଳି ନୀତି ଆଦର୍ଶକୁ ଯଦି ତାର ଦୈନନ୍ଦିନ କାର୍ଯ୍ୟରେ ପ୍ରତିଫଳିତ ହୁଏ । ତେବେ ସେ ସମ୍ବିଧାନକୁ ପାଳନ କରୁଛି ବୋଲି କୁହାଯାଇପାରିବ । ସେ କହିଥିଲେ ଯେ, ଇଂଲଣ୍ଡ ସମେତ ଦୁବାଇ ଏବଂ ଆବୁଧାବିର ଟ୍ରାଫିକ୍ ପୋଷ୍ଟରେ କୌଣସି ପୁଲିସ୍ ଦେଖିବାକୁ ମିଳନ୍ତି ନାହିଁ । ତେବେ ସେଠି ସମସ୍ତେ ନିୟମ ପାଳନ କରିଥାଆନ୍ତି । ତମେ ଯଦି ନିୟମ ପାଳନ କରୁଛ ତେବେ ସମ୍ବିଧାନକୁ ମଧ୍ୟ ମାନୁଛ ବୋଲି ସେ କହିଥିଲେ ।

ଭାରତୀୟ ସମ୍ବିଧାନ ଧାରା ୨୧ର ଗୁରୁତ୍ୱ ସଂପର୍କରେ ଦର୍ଶାଇ ସେ କହିଥିଲେ ଯେ ଏଥିରେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଦର୍ଶାଉଥିବାବେଳେ ଆଇନ୍ରେ ଏହାକୁ ବାହାର କରି ନେବାର ବ୍ୟବସ୍ଥା ରହିଛି । ସେହିପରି ଧାରା୧୪ ଏବଂ ଧାରା ୨୧ ମଧ୍ୟ ଜେଲ୍ରେ ଥିବା ବିଚାରଧୀନ କଏଦୀ ଏବଂ ଦୋଷୀମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥାଏ ବୋଲି ସେ କହିଥିଲେ । ଯଦିଓ ଭାରତୀୟ ଆଇନ ବ୍ୟବସ୍ଥା ଅନ୍ୟ ଦେଶ ଗୁଡିକରୁ ଉଦ୍ଧୃତ କରାଯାଇଛି । ତେବେ ଏହାର ମହତ୍ୱ ଏବଂ ଗୁରୁତ୍ୱ ଭାରତୀୟ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍ଏନ୍ଆଇଏଲ୍)ର ଡିନ୍ ପ୍ରଫେସର ଏସ୍.କେ.ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।