ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ସପ୍ତାହେ କାଲୁଆ କରିବ ଥଣ୍ଡା

NEWS7
few-female-naga-sadhu-does-not-wear-single-piece-of-clothing-

ଭୁବନେଶ୍ୱର ୦୮/୧୨: ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ସପ୍ତାହେ ଯାଏ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ପାହାଡ଼ିଆ ସ୍ଥାନରେ ରାତି ତାପମାତ୍ରା ଆହୁରି ଖସିବ । ପାଣିପାଗ ବିଭାଗ ପୂର୍ବାନୁମାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଆଗକୁ ରାତି ତାପମାତ୍ରା ବଢ଼ିବା ସହ ଥଣ୍ଡା କମିପାରେ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି । ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୪.୪ ଡିଗ୍ରୀ ଛୁଇଁଥିଲା । ଏ ବର୍ଷ ପ୍ରଥମଥର ପାଇଁ ଏଠାରେ ପାରଦ ୪ଡିଗ୍ରୀ ଛୁଇଁଛି । ଶିମିଳିପାଳର କୋର୍ ଏରିଆରେ ପାରଦ ୨ ଡିଗ୍ରୀକୁ ଖସି ଆସିଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି ।ସିମିଳିଗୁଡ଼ାରେ ୬.୧, ରାଉରକେଲାରେ ୭.୨, ଦାରିଙ୍ଗବାଡ଼ିରେ ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀରେ ୮, ଚିପିଲିମାରେ ୮.୭, କିରେଇରେ ୮.୮, ଅନୁଗୁଳରେ ୯, କେନ୍ଦୁଝରରେ ୯.୬, ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ଥିଲା ।

କୋରାପୁଟରେ ୧୦.୩, ଭବାନୀପାଟଣାରେ ୧୦.୫, ନବରଙ୍ଗପୁରରେ ୧୧, ଢେଙ୍କାନାଳରେ ୧୧.୪, ବଲାଙ୍ଗୀର, ବାରିପଦା ଓ ବୌଦ୍ଧରେ ୧୧.୫, କଟକରେ ୧୧.୮, ଭୁବନେଶ୍ୱରରେ ୧୧.୯ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିଥିଲା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ ଡିଗ୍ରୀ କମିଛି । ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୪ ଡିଗ୍ରୀ ଓ ଉତ୍ତର-ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ ଖସି ଯାଇଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୪ ଡିଗ୍ରୀ, କଟକରେ ୨.୮, କେନ୍ଦୁଝରରେ ୨.୬, କୋରାପୁଟରେ ୨.୪, ଗୋପାଳପୁରରେ ୨ ଡିଗ୍ରୀ କମ୍ ରହିଥିଲା ।

ରାଉରକେଲାରେ ଗତ ୭ ଦିନ ଭିତରେ ରାତି ତାପମାତ୍ରା ପ୍ରାୟ ୭ ଡିଗ୍ରୀ କମିଛି । ଡିସେମ୍ବର ୧ ତାରିଖରେ ଏଠାରେ ପାରଦ ୧୪.୫ ଡିଗ୍ରୀ ଥିଲା। ରବିବାର ଏହା ୭.୨ଡିଗ୍ରୀକୁ ଖସିଛି । ସପ୍ତାହ ଭିତରେ ଭବାନୀପାଟଣାରେ ପାରଦ ସର୍ବାଧିକ ୭.୩ ଡିଗ୍ରୀ ଖସିଛି । ୧୭.୮ ଡିଗ୍ରୀରୁ ୧୦.୫ ଡିଗ୍ରୀକୁ ଖସି ଆସିଛି । ସେହିଭଳି ଝାରସୁଗୁଡ଼ାରେ ଡିସେମ୍ବର ୧ରେ ପାରଦ ୧୩.୭ ଡିଗ୍ରୀ ଥିବାବେଳେ ରବିବାର ୭.୬ ଡିଗ୍ରୀକୁ ଖସିଛି । ଫୁଲବାଣୀରେ ୭ ଦିନ ତଳେ ୧୪.୩ ଥିବାବେଳେ ଏହା ୮ ଡିଗ୍ରୀକୁ କମିଛି । ସୁନ୍ଦରଗଡ଼ରେ ୧୫.୪ରୁ ୧୦ ଡିଗ୍ରୀ ଓ ଟିଟିଲାଗଡ଼ରେ ୧୮.୮ରୁ ୧୩ ଡିଗ୍ରୀକୁ ଖସିଛି । ଭୁବନେଶ୍ୱରରେ ୪.୧ ଓ କଟକରେ ୩.୧ ଡିଗ୍ରୀ କମିଛି ।