ଚାଷ ପାଇଁ ସାର ସଙ୍କଟ, MRP ଠାରୁ ଢେର ଅଧିକ ମୂଲ୍ୟରେ ବିକୁଛନ୍ତି ବ୍ୟବସାୟୀ

Published By : Prameya-News7 Bureau | July 27, 2025 IST

ଗଜପତି: ଚାଷ ପାଇଁ ସାର ସଙ୍କଟ। ଖରିଫ ଚାଷ ପାଇଁ ଚାଷୀଙ୍କୁ ଠିକ୍ ସମୟରେ ମିଳୁନି ଆବଶ୍ୟକ ସାର ।   ଯେଉଁଠି ଯେମିତି ମିଳୁଛି ସେଠି ଦାମ୍ ଚଢା ରହିଛି। MRP ଠାରୁ ଢେର ଅଧିକ ମୂଲ୍ୟରେ ବିକୁଛନ୍ତି ବ୍ୟବସାୟୀ।  ଏମିତି ଅଭିଯୋଗ କେବଳ ଗୋଟିଏ କି ଦୁଇଟି ସ୍ଥାନର ନୁହେଁ। ଧାନ ବେଉଷଣ ଚାଲିଥିବା ବେଳେ ଅଧିକାଂଶ ଜିଲ୍ଲାରେ ଏଭଳି ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ। ସାର ଅଭାବ କଥାକୁ ସ୍ବୀକାର କରିଛନ୍ତି ଜିଲ୍ଲା କୃଷି ଅଧିକାରୀ।  

ଗଜପତି ଜିଲ୍ଲାରେ ଜୁଲାଇ ମାସ ପାଇଁ ୧୭୮୦ ମେଟ୍ରିକ ଟନ ସାର ଆବଶ୍ୟକ। କିଛି ଜିଲ୍ଲାରେ ମହଜୁଦ୍ ଅଛନ୍ତି ୯ଶହ ମେଟ୍ରିକ୍ ଟନ୍ । ଚାଷୀଙ୍କ ଅଭିଯୋଗ ହେଲା ୟୁରିଆ ପ୍ୟାକେଟ ପିଛା ଏମଆରପି  ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ୫ଶହରୁ ୭ଶହ ଟଙ୍କାରେ ବିକ୍ରି ହେଉଛି । ସେହିପରି ଡିଏପି ଏମଆରପି ୧୩୫୦ ଟଙ୍କା ରହିଥିବା ବେଳେ ବଜାରରେ ୧୮ଶହରୁ ୨ହଜାର ଟଙ୍କାରେ ବିକ୍ରି ହେଉଛି।  ଚାଷୀ ବାଧ୍ୟ ହୋଇ ପଡ଼ୋଶୀ ଆନ୍ଧ୍ରରୁ ଚଢା ଦରରେ ସାର କିଣୁଛନ୍ତି ।  

Also read: ଅଗଷ୍ଟ ୧ରୁ ୫ଟି ବଡ଼ ପରିବର୍ତ୍ତନ ; ବଦଳିବ କ୍ରେଡିଟ୍ କାର୍ଡ୍ ଓ UPI ନିୟମ, ବଢ଼ିପାରେ ମାସିକ ଖର୍ଚ୍ଚ...

ସେହିପରି ନବରଙ୍ଗପୁର ଜିଲ୍ଲାରେ ଖରିପ ଋତୁ ପାଇଁ  ୮୭ ହଜାର ମେଟ୍ରିକ ଟନ୍  ସାର   ଆବଶ୍ୟକ ରହିଛି। ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ ମାନଙ୍କରେ ସାର ମହଜୁଦ ଥିବା କୃଷି ଅଧିକାରୀ କହୁଥିବା ବେଳେ ଚାଷୀ କିନ୍ତୁ ଚଢା ଦାମ୍‌ରେ ସାର କିଣୁଛନ୍ତି। ଏଠି ମକା ଚାଷ ପାଇଁ ମଧ୍ୟ ସାର ଆବଶ୍ୟକ ପଡ଼ିଥାଏ। ଜୁଲାଇ ମାସରେ ଯେତିକି ସାର ଆବଶ୍ୟକ ତାହା ପହଞ୍ଚି ନଥିବା ସରକାରୀ ତଥ୍ୟ କହୁଛି। ଖରିଫ ଧାନ ଚାଷ ପାଇଁ ଡିଏପି ଏବଂ ୟୁରିଆ ସାରର ଆବଶ୍ୟକତା ରହିଥିବା ବେଳେ ଏହି ଦୁଇପ୍ରକାର ସାରର ଅଭାବ ଚାଷୀଙ୍କୁ ହତାଶ କରିଛି। ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.