ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ନେଇ ରାଜନୀତି ଥମିବାର ନାଁ ଧରୁନି। କାହିଁକି ସେ ଇସ୍ତଫା ଦେଲେ ତାର ପ୍ରକୃତ କାରଣ ସ୍ପଷ୍ଟ ଜଣା ପଡ଼ିନି। ଏହା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରବିବାର କହିଛନ୍ତି ଯେ, ଜଗଦୀପ ଧନଖଡ଼ଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ପ୍ରକୃତ କାରଣ ବିଷୟରେ କୌଣସି ସୂଚନା ନାହିଁ। ଧନଖଡ଼ଙ୍କୁ ହିଁ ଜଣାଇବାକୁ ପଡ଼ିବ ଯେ, ବାସ୍ତବରେ କଣ ଘଟିଥିଲା। କାରଣ ଏହି ମାମଲା ତାଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ରହିଛି।
ଖଡ଼ଗେ କହିଛନ୍ତି, ଧନଖଡ଼ ସର୍ବଦା ସରକାରଙ୍କ ପକ୍ଷ ନେଇ ଆସିଛନ୍ତି। ଯେବେ ବି ବିରୋଧୀ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛନ୍ତି, ସେ କୃଷକ ପ୍ରସଙ୍ଗ ହେଉ କି ବିଦେଶ ନୀତି ସଂପର୍କିତ ପ୍ରସଙ୍ଗ ହେଉ, ସେ ବିରୋଧୀଙ୍କୁ କହିବାକୁ ଅନୁମତି ଦେଉ ନ ଥିଲେ। କଣ ଧନଖଡ଼ଙ୍କୁ କୃଷକଙ୍କ ପକ୍ଷରେ କହିବା କାରଣରୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲା। ଏହି ପ୍ରଶ୍ନର ଉତ୍ତରରେ ଖଡ଼ଗେ କହିଛନ୍ତି, ଏହି ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ। ଯେବେ ଆମେ କୃଷକ, ଗରିବ, ଅନ୍ତର୍ଜାତୀୟ ପ୍ରସଙ୍ଗ କିମ୍ବା ବିଦେଶ ନୀତି ସମ୍ବନ୍ଧିତ ଅନେକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛୁ, ଆମକୁ ସୁଯୋଗ ଦିଆଗଲା ନାହିଁ। ସେ କାହିଁକି ଇସ୍ତଫା ଦେଲେ କେବଳ ସେ ହିଁ କହି ପାରିବେ।
ସୂଚନାଯୋଗ୍ୟ, ଧନଖଡ଼ ଜୁଲାଇ ୨୧ ତାରିଖ ସନ୍ଧ୍ୟାରେ ଅଚାନକ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଥିବା ନିଜ ଇସ୍ତଫା ପତ୍ରରେ ଲେଖିଥିଲେ ଯେ, ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଦେଇଥିବା ଇସ୍ତଫା ପତ୍ରକୁ ତତ୍କାଳ ପ୍ରଭାବରୁ ଗ୍ରହଣ କରାଯାଉ। ତାଙ୍କର ଇସ୍ତଫା ପରେ ଏବେ ନୂଆ ଉପରାଷ୍ଟ୍ରପତି ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାସକ ଏନଡିଏ ଓ ଇଣ୍ଡିଆ ମେଣ୍ଟ ନିଜ ନିଜର ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି।