ଭୁବନେଶ୍ଵର: ସାକ୍ଷୀଗୋପାଳ ଜୟା ହୋଟେଲ୍ରେ ମଟନରେ ଗୋମାଂସ ମିଶାଯାଉଥିବା ଖବର ଭାଇରାଲ୍ ପରେ ସାରା ରାଜ୍ୟରେ ପଡିଛି ପ୍ରଭାବ । ଲୋକେ ଆଉ ହୋଟେଲରେ ମଟନ୍ ଖାଇବାକୁ ପସନ୍ଦ କରୁନାହାନ୍ତି। ତେଣୁ ରାଜ୍ୟର ଅନେକ ପ୍ରସିଦ୍ଧ ମଟନ୍ ହୋଟେଲ୍ ହେଉ କି ଛୋଟବଡ଼ ହୋଟେଲ୍ ସବୁଠି ମଟନ୍ ବିକ୍ରି ଅହେତୁକ ଭାବେ ହ୍ରାସ ପାଇଛି । ଫଳରେ ହୋଟେଲ୍ ମାଲିକ କ୍ଷତିସହୁଛନ୍ତି । ହୋଟେଲ୍ ଗୁଡିକରେ ମଟନ୍ ବଦଳରେ ମାଛ, ଅଣ୍ଡା କିମ୍ବା ଭେଜ୍ ଚାହିଦା ବଢିଛି।
ହୋଟେଲ୍ ଗୁଡ଼ିକରେ ମଟନକୁ ଦେଖି ଲାଗିଣାଣି ଡ଼ର । ମଟନ ଛାଡ଼ି ମାଛ ଓ ଚିକେନକୁ ଆଦରିଲେଣି ଗ୍ରାହକ । କିଛି ଦିନ ପୂର୍ବରୁ ପୁରୀ ସାକ୍ଷୀଗୋପାଳରେ ଥିବା ଜୟା ହୋଟେଲରୁ ମଟନରେ ଗୋ ମାଂସ ମିଶ୍ରଣ ହୋଇ ଖାଇବାକୁ ଦେବା ଘଟଣା ଭାଇରାଲ ହେବାପରେ ଲୋକଙ୍କ ମନରେ ପଶିଛି ଛନକା । ତେଣୁ ଯାଜପୁର, ଜଗତସିଂହପୁର, ପୁରୀ ଜିଲ୍ଲାର କୋଣାର୍କ, ନିମାପଡ଼ା, ଗୋପ ସହ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ଏବେ ହୋଟେଲ୍ରେ ମଟନ ଖାଇବାକୁ ଡ଼ରିଲେଣି । ଫଳରେ ଅନେକ ହୋଟେଲରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଯେଉଁଠି ଲୋକେ ନିର୍ଦ୍ଧିଷ୍ଟ ହୋଟେଲ ମାନଙ୍କରେ ମଟନ ଖାଇବାକୁ ଧାଡ଼ି ଲଗାଉଥିଲେ ସେଠାରେ ଆଉ ମଟନ ଖାଇବାକୁ ପସନ୍ଦ କରୁ ନାହାନ୍ତି। ଯେଉଁସବୁ ପ୍ରସିଦ୍ଧ ମଟନ ହୋଟେଲ୍ ଗୁଡିକରେ ଦିନକୁ ୩୦ରୁ ୪୦ କେଜି ମଟନ ତରକାରୀ ବିକ୍ରି ହେଇଥିଲା ସେହି ସବୁ ହୋଟେଲରେ ୨ କେଜି ମଟନ ରୋଷେଇ ହେଲିବି ବିକ୍ରି ହୋଇପାରୁନି, ବଳକା ରହୁଛି । ମଟନ୍ ଖାଇବାକୁ ଲୋକଙ୍କର ଆଗ୍ରହ କମି ଯାଇଛି । ମଟନ୍ ବଦଳରେ ଏବେ ଲୋକେ ମାଛ, ଚିକେନ୍ କିମ୍ବା ଅଣ୍ଡା ତରକାରୀ ଖାଉଛନ୍ତି । ଅନେକ ଗ୍ରାହକ ତ ଭେଜ୍ ମିଲ୍ ଖାଇବାକୁ ପସନ୍ଦ କରୁଛନ୍ତି । ଲୋକଙ୍କ ମନରେ ଭୟ ରହିଛି କାଳେ ହୋଟେଲରେ ମଟନ ବଦଳରେ ଗୋ ମାଂସ ମିଶାଇ ଦିଆଯାଉନାହିଁ ତ ।
ବଲାଙ୍ଗିର ସଂରକ୍ଷିତ ଜଙ୍ଗଲ ଭିତରେ ଗୋମାଂସ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି। ଗାଈଗୋରୁଙ୍କୁ ମରାଯାଇ ମାଂସ ବିକ୍ରି କରାଯାଉଥିବା ନେଇ ଆସିଛି ଅଭିଯୋଗ । ବଲାଙ୍ଗୀର ସହର ଠାରୁ ମାତ୍ର ୪ କିଲୋମିଟର ଦୂର କଦଳୀ ମୁଣ୍ଡା ନର୍ସରୀ ପଛପଟେ ଗୋରୁ ହାଡ଼ , ମୁଣ୍ଡ, ପଞ୍ଜରା ଆଦି ପଡ଼ିଥିବା ଦେଖିବାକୁ ମିଳିଛି । ବନ ବିଭାଗ ନାକ ତଳେ କିଭଳି ଏଭଳି ଘଟଣା ଚାଲିଛି ତାକୁ ନେଇ ଉଠିଛି ନାନା ପ୍ରଶ୍ନ।
ସରକାର ଓ ଜିଲ୍ଲା ପ୍ରଶାସନ ଏହାଉପରେ ଧ୍ୟାନଦେବା ସହ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ରାଜ୍ୟରେ ଗୋଚାଲଣକୁ ବ୍ୟାନ୍ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗୋମାଫିଆ ଗୋମାଂସ ଚୋରା ଚାଲଣ କରୁଛନ୍ତି । ଏହା ଉପରେ କେବେ ଲାଗିବ ରୋକ୍ ଅପେକ୍ଷା ରହିଛି ।