ୱାଶିଂଟନ ଡିସି: ଭାରତ ଉପରେ ଟ୍ରମ୍ପଙ୍କ ଟାରିଫକୁ ସମାଲୋଚନା କରିବାର ଦିନକ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନଙ୍କ ଘରେ ଏଫ୍ବିଆଇ ଚଢ଼ାଉ କରିଛି। ଦିନେ ଟ୍ରମ୍ପଙ୍କର ଘନିଷ୍ଠ ଥିବା ବଲ୍ଟନ ବର୍ତ୍ତମାନ ଟ୍ରମ୍ପଙ୍କର ଜଣେ ବଡ଼ ସମାଲୋଚକ। ଏଫ୍ବିଆଇ ଚଢ଼ାଉର ଦିନକ ପୂର୍ବରୁ ସେ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ଦଣ୍ଡାତ୍ମକ ଶୁଳ୍କକୁ ସମାଲୋଚନା କରିଥିଲେ। ଭାରତ ସହିତ ସମ୍ପର୍କକୁ ଖରାପ କରିବା ନେଇ ଟ୍ରମ୍ପଙ୍କ ଉପରେ କଡ଼ା ଟିପ୍ପଣୀ କରିଥିଲେ ବଲ୍ଟନ।
ଅନ୍ତର୍ଜାତୀୟ ଗଣମାଧ୍ୟମ ଏପିର ରିପୋର୍ଟ ଅନୁସାରେ, କିଛି ନିର୍ଦ୍ଦିଷ୍ଟ ଡକ୍ୟୁମେଣ୍ଟ ପରିଚାଳନରେ ସମସ୍ୟା ନେଇ ଏଫ୍ବିଆଇ ଚଢ଼ାଉ କରିଛି। ତେବେ ବୋଲ୍ଟନଙ୍କୁ ଡିଟେନ ରଖାଯାଇ ନାହିଁ କିମ୍ବା ତାଙ୍କ ଉପରେ କୌଣସି ଅଭିଯୋଗ କରାଯାଇ ନାହିଁ। ତେବେ ପ୍ରଶାସନ ପକ୍ଷରୁ ଏ ନେଇ ଯଦିଓ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ, ତେବେ ଏଫ୍ବିଆଇ ଡାଇରେକ୍ଟର କାଶ ପଟେଲ୍ ଏକ ସନ୍ଦେହାତ୍ମକ ଟ୍ୱିଟ୍ କରିଛନ୍ତି। ବୋଲଟନଙ୍କ ଘରେ ଚଢ଼ାଉ କରିବାର କିଛି ସମୟ ପରେ ଶ୍ରୀ ପଟେଲ୍ ଟ୍ୱିଟ୍ କରି ଲେଖିଥିଲେ “ଆଇନ ଉପରେ କେହି ନାହାନ୍ତି, ଏଫ୍ବିଆଇ ଏଜେଣ୍ଟମାନେ ଏକ ମିଶନରେ ଅଛନ୍ତି ବୋଲି କାଶ ପଟେଲ୍ ଟ୍ୱିଟ୍ କରିଛନ୍ତି।”
ଏଫ୍ବିଆଇ ରେଡ୍ ଜାରି ରହିଥିଲେ ସୁଦ୍ଧା ବୋଲ୍ଟନ ଟ୍ରମ୍ପଙ୍କର ନୋବେଲ ଶାନ୍ତି ପୁରସ୍କାର ଲୋଭକୁ ନେଇ କଟାକ୍ଷ କରିଛନ୍ତି। ଋଷ-ୟୁକ୍ରେନ୍ ଯୁଦ୍ଧରେ ଟ୍ରମ୍ପଙ୍କର ହସ୍ତକ୍ଷେପ ପରେ କୌଣସି ଅଗ୍ରଗତି ହେଉଥିବା ଦେଖାଯାଉ ନାହିଁ ବୋଲି ବୋଲ୍ଟନ କହିଛନ୍ତି। ୧୭ ମାସ ପାଇଁ ଟ୍ରମ୍ପଙ୍କର ସୁରକ୍ଷା ପରାମର୍ଶଦାତା ଥିବା ବୋଲଟନ କହିଛନ୍ତି “ଋଷ ଏହାର ଲକ୍ଷ୍ୟରେ କୌଣସି ପରିବର୍ତ୍ତନ କରି ନାହିଁ। ୟୁକ୍ରେନକୁ ନୂଆ ଋଷ ସାମ୍ରାଜ୍ୟ ଭିତରକୁ ଟାଣିବାକୁ ଚେଷ୍ଟା କରୁଛି। ମସ୍କୋ ଚାହୁଁଛି ସେ ଅକ୍ତିଆର କରିଥିବା ସମସ୍ତ ଏରିଆ ଓ ଡୋନେସ୍କର ଅବଶିଷ୍ଟ ଏରିଆ ୟୁକ୍ରେନ୍ ଛାଡ଼ି ଦେଉ। ହେଲେ ଜେଲେନ୍ସିକ ଏଭଳି କେବେ କରିବେ ନାହିଁ। ତେବେ ବୈଠକ ଜାରି ରହିବ, କାରଣ ଟ୍ରମ୍ପ ନୋବେଲ୍ ଶାନ୍ତି ପୁରସ୍କାର ଚାହୁଁଛନ୍ତି। କିନ୍ତୁ ଏହି ଆଲୋଚନାର କୌଣସି ପ୍ରଗତି ମୋତେ ଦେଖାଯାଉ ନାହିଁ।”