LIVE TV

୪ ବର୍ଷ ପରେ ଖୋଲିବ କି ଫାଇଲ, ବାପା କହିଲେ ମୃତ୍ୟୁ ମାମଲାରେ ଆମକୁ ନ୍ୟାୟ ମିଳିନି

NEWS7
mamita

ଭୁବନେଶ୍ୱର ୨୯/୦୯ : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ଦାବି ରଖିବା ପରେ, ସାମ୍ନାକୁ ଆସିଲା ମମିତାଙ୍କ ବାପାମାଆଙ୍କ ପ୍ରତିକ୍ରିୟା । ଆମ ଝିଅର ହତ୍ୟାକାଣ୍ଡର ନ୍ୟାୟ ଆମକୁ ମିଳିପାରିନାହିଁ । ପୂର୍ବରୁ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲୁ , ପୂର୍ବରୁ ଅନ୍ୟ ସରକାର ଥିଲା । ଏବେ ନୂଆ ସରକାର ହୋଇଛି । ଆମକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀ ଆମକୁ ଡାକିଲେ ଆମେ ନିଶ୍ଚୟ ଯିବୁ ବୋଲି କହିଛନ୍ତି ମମିତା ମେହେରଙ୍କ ବାପା । ଦୀର୍ଘ ୪ବର୍ଷ ହେବାକୁ ବସିଲାଣି ହେଲେ ଆମକୁ ନ୍ୟାୟ ମିଳିନାହିଁ ।  କୋର୍ଟ ଉପରେ ଆମର ଭରସା ଅଛି ବୋଲି ସେ କହିଛନ୍ତି । 

ସେପଟେ ଘଟଣାକୁ ନେଇ ତେଜିଛି ରାଜନୀତି । ବିଜେଡି କହିଲା ଆଇନ ଯିବ ତା ବାଟରେ । ଯାହାଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ସେମାନେ ନିଷ୍ପତି ନେବେ । ଆଇନ ତା ବାଟରେ ଯିବ । ସରକାର ପରିବର୍ତନ ହେବା ପରେ ସେମାନେ ଚାହିଁବେ ବିଭିନ୍ନ କଥାକୁ ଉଖୁରାଇବା ପାଇଁ । ଆଇନ ତା ବାଟରେ ଯିବ ସତ୍ୟକୁ କେହି ଉଖୁରାଇ ପାରିବେନି । ପୁରୁଣା ଫାଇଲ ଖୋଲିଲେ ବିଜେଡି ପାଇଁ ଅଡୁଆ ହେବ କି ନାହିଁ ସମୟ କହିବ । 

ଅନ୍ୟପଟେ ବିଜେପି ରଖିଛି ପ୍ରତିକ୍ରିୟା । ମହାଲିଙ୍ଗ କଲେଜକୁ ବିଜେଡ଼ି ନେତା ମାନେ ନିୟମିତ ଯାଉଥିଲେ । ତାପରେ ମମିତା ମେହେରଙ୍କ ହତ୍ୟା ହୋଇଛି । ଦୋଷୀ ମାନଙ୍କୁ ପୂର୍ବ ସରକାର ଘଣ୍ଟ ଘୋଡାଇଥିଲେ । ମମିତା ମେହେର ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ବିଜେଡ଼ିର ଅନ୍ୟ କିଛି ନେତାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଲୋକ ମାନେ ଜାଣିବାକୁ ଚାହୁଁଛନ୍ତି କେଉଁ ମାନେ ଏଥିରେ ସଂପୃକ୍ତ ।

ରାଜନୈତିକ ବ୍ୟକ୍ତିଙ୍କର ଏଥିରେ ସଂପୃକ୍ତି ଅଛି କି ନାହିଁ ? ମହାଲିଙ୍ଗ କଲେଜକୁ କାହିଁକି ରାଜନୈତିକ ଲୋକ ମାନେ ବାରମ୍ବାର ଯାଉଥିଲେ ? ଏ ସବୁ କଥା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ତେବେ ବିଜେପି ସରକାର ଉପରେ ଲୋକଙ୍କର ଭରସା ଅଛି । ପୂର୍ବ ସରକାର ଭଳି ନୁହେଁ ବିଜେପି ସରକାର । ତେଣୁ ସବୁ କଥା ବିଚାର କରି ରାଜ୍ୟ ସରକାର ଠିକ୍ ସମୟରେ ଠିକ ନିଷ୍ପତି ନେବେ । ଯିଏ ବି ଏ ଘଟଣାରେ ସଂପୃକ୍ତ ଥିବେ ଦଣ୍ଡ ପାଇବେ ।