ପହଲଗାମ ଆକ୍ରମଣକୁ ଏଫ୍‌ଏଟିଏପ୍‌ ନିନ୍ଦା: କହିଲା, ବିନା ଆର୍ଥିକ ପୋଷଣରେ ଏଭଳି ଆକ୍ରମଣ ସମ୍ଭବ ନୁହେଁ

Published By : Prameya-News7 Bureau | June 16, 2025 IST

INDIATODAY

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) କଡ଼ା ନିନ୍ଦା କରିଛି। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଆତଙ୍କବାଦୀ ନେଟୱାର୍କକୁ ଆର୍ଥିକ ସମର୍ଥନ ଏବଂ ପାଣ୍ଠି ଯୋଗାଣ ବିନା ଏଭଳି ଆକ୍ରମଣ ସମ୍ଭବ ନୁହେଁ ବୋଲି ଏଫ୍‌ଏଟିଏପ୍‌ କହିଛି। ଏଫ୍‌ଏଟିଏପ୍‌ ହେଉଛି ବିଶ୍ୱ ଆତଙ୍କବାଦ ପାଣ୍ଠି ଉପରେ ନଜର ରଖୁଥିବା ଏକ ପ୍ରମୁଖ ସଂଗଠନ। ଏଫ୍‌ଏଟିଏପ୍‌ ଏହାର ବିବୃତ୍ତିରେ କହିଛି ଯେ "ଟଙ୍କାର ମୁଭମେଣ୍ଟ" ଆତଙ୍କବାଦର କେନ୍ଦ୍ର ବିନ୍ଦୁ ଏବଂ ଏହା ବିନା ଏପରି ଆକ୍ରମଣ ସମ୍ଭବ ନୁହେଁ।

ଏଫ୍‌ଏଟିଏପ୍‌ର ଏହି ବିବୃତ୍ତି ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଥମ ଥର ପାଇଁ ଏହି ବିଶ୍ୱ ସଂଗଠନ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଥାକୁ ସିଧାସଳଖ ଉଠାଇଛି। ତେଣୁ ପାକିସ୍ତାନ ଆତଙ୍କବାଦୀ ନେଟୱର୍କ ଚଲାଉଥିବା ଭାରତର ଦାବିକୁ ଏଥିରେ ବଳ ମିଳିବ। 

ଆତଙ୍କବାଦ ପାଇଁ ବଦନାମ ପାକିସ୍ତାନ

ଏଫ୍‌ଏଟିଏପ୍‌ ପାକିସ୍ତାନକୁ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଗ୍ରେ ତାଲିକା ଭୁକ୍ତ କରିଥିଲା। ଏହାପରେ ୨୦୨୨ ତାକୁ ଏହି ତାଲିକାରୁ ହଟାଇ ଦେଇଥିଲା। ହେଲେ ଭାରତ ଏଫ୍‌ଏଟିଏପ୍‌ ପାଖରେ ପାକିସ୍ତାନକୁ ପୁଣି ଥରେ ଗ୍ରେ ତାଲିକାରେ ରଖିବାକୁ ଦୀର୍ଘଦିନ ହେଲା ଦାବି କରି ଆସୁଛି। କାରଣ ପାକିସ୍ତାନ ସୀମାପାର ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ଭାରତ ଅଭିଯୋଗ କରୁଛି। ଏବେ ଏଫ୍‌ଏଟିଏପ୍‌ ଏହି ବିବୃତ୍ତି ଦେବା ପରେ ଭାରତର ପକ୍ଷ ମଜଭୁତ ହୋଇ ଯାଇଥିବା ପରି ମନେ ହେଉଛି। 

ଏଫ୍‌ଏଟିଏପ୍‌ ପାକିସ୍ତାନ-ଭିତ୍ତିକ ଆତଙ୍କୀଙ୍କୁ ଆର୍ଥିକ ସମର୍ଥନର ରାସ୍ତା ବିଷୟରେ ଆଲୋଚନା କରି କହିଛି ଯେ ଆତଙ୍କବାଦୀମାନେ ହାୱାଲା, ଏନଜିଓ ଏବଂ କ୍ରିପ୍ଟୋକରେନ୍ସି ଭଳି ଡିଜିଟାଲ ଉପକରଣ ବ୍ୟବହାର କରି ଟଙ୍କା ମୁଭମେଣ୍ଟକୁ ଲୁଚାଇ ରଖନ୍ତି। ଏହା ବ୍ୟତୀତ, ସୋସିଆଲ ମିଡିଆର ଅପବ୍ୟବହାର, କ୍ରାଉଡଫଣ୍ଡିଂ ଏବଂ ଭର୍ଚୁଆଲ ସମ୍ପତ୍ତି ଭଳି ନୂଆ ବିପଦ ମଧ୍ୟ ଅନ୍ତର୍ଜାତୀୟ ସମ୍ପ୍ରଦାୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଯାହା ପାରମ୍ପରିକ ମନିଟରିଂ ସିଷ୍ଟମକୁ ବାଇପାସ୍ କରିପାରିବ ବୋଲି ଏଫ୍‌ଏଟିଏପ୍‌ କହିଛି। 

ଆତଙ୍କବାଦୀଙ୍କୁ ସଫଳତା ହେବାରୁ ରୋକିବାକୁ ହେବ। 

ପ୍ୟାରିସ୍ଥିତ ଏଫ୍‌ଏଟିଏପ୍‌ ସଂଗଠନ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ଏଫ୍‌ଏଟିଏପ୍‌ ସଭାପତି ଏଲିସା ଡି ଆଣ୍ଡା ମାଦ୍ରାଜୋ କହିଛନ୍ତି ଯେ ଆତଙ୍କବାଦୀ କେବଳ ଗୋଟିଏ ସଫଳତା ପଛରେ ପଡିଥାନ୍ତି। ତେବେ ଦେଶଗୁଡ଼ିକ ପ୍ରୁତ୍ୟେକ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରିବା ଉଚିତ।

ଖୁବ୍ ଶୀଘ୍ର, ଏଫ୍‌ଏଟିଏପ୍‌ ଏକ ରିପୋର୍ଟ ପ୍ରକାଶ କରିବ, ଯେଉଁଥିରେ ଆତଙ୍କବାଦ ପାଣ୍ଠିର ବିଶ୍ୱସ୍ତରୀୟ ନମୁନା ଏବଂ କେସ୍ ଷ୍ଟଡିଜ୍ ସାମିଲ ହେବ। ଏହାସହ ଏକ ୱେବିନାର ମଧ୍ୟ ଆୟୋଜନ କରାଯିବ। ଯାହା ସରକାରୀ ଏବଂ ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କୁ ନେଇ କରାଯିବ। ଏଥିରେ ବିଭିନ୍ନ ସମ୍ଭାବ୍ୟ ବିପଦ ବିଷୟରେ ସଚେତନ କରାଯିବ। ଏପଟେ ଭାରତ ମଧ୍ୟ ଏଫ୍‌ଏଟିଏପ୍‌ ପାଖରୁ ପାକିସ୍ତାନ ଉପରେ କଟକଣା ଲଗାଇବାକୁ ଆଶା କରୁଛି। 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.