ବାଲିପାଟଣା ୨୩।୦୬ : ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଭଅଁରା ନିଜିଗଡ଼ ସେବା ସମବାୟ ସମିତି ଧାନ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀମାନେ ବ୍ଲକ ପରିସରରେ ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।
ଖବର ଅନୁଯାୟୀ, ଭଅଁରା ନିଜିଗଡ ସେବା ସମବାୟ ସମିତି ଧାନ ମଣ୍ଡିର ଚାଷୀଙ୍କ ପାଇଁ ଚଳିତ ବର୍ଷ ୯୪୪୨ କ୍ବିଣ୍ଟାଲ ୨୪ କିଲୋ ଗ୍ରାମ ଧାନ କ୍ରୟ ଟାର୍ଗେଟ ଥିଲା। ମାତ୍ର ଟାର୍ଗେଟକୁ ୮୬୮୮ କ୍ବିଣ୍ଟାଲକୁ ହ୍ରାସ କରାଯାଇଛି। ଏହା ଦ୍ଵାରା ୭୫୪ କ୍ବିଣ୍ଟାଲ ଧାନ ଚାଷୀ ବିକ୍ରି କରିପାରିବେ ନାହିଁ। ସ୍ଥାନୀୟ ଧାନ ବେପାରୀ ମଧ୍ୟ ଧାନ କିଣିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଚାଷୀ କ୍ଷତି ସହିବା ଏକ ପ୍ରକାର ସ୍ପଟ ହୋଇଛି । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ବାଲିପାଟଣା ବ୍ଳକ୍ ପରିସରରେ ପହଁଞ୍ଚି ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏହାସହ ଯୋଗାଣ ସହାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଟାର୍ଗେଟ ବଢ଼ାଯାଇ ଚାଷୀ ସମସ୍ୟାକୁ ଦୂର କରିବାକୁ ଦାବୀ କରିଛନ୍ତି ଚାଷୀ। ଯୋଗାଣ ନୀରିକ୍ଷକ କହିଛନ୍ତି ଯେ, ଚଳିତ ବର୍ଷ ରବି ଧାନ ଅମଳ ପ୍ରାୟ ୫ ଗୁଣ ବଢିଛି । ଯାହା ଟାର୍ଗେଟ ଦିଆଯାଇଥିଲା ତାହାକୁ ମଧ୍ୟ ଜିଲ୍ଲା ସ୍ତରରେ କମାଇ ଦିଆଯାଇଛି। ଏଥିପାଇଁ ସମସ୍ୟା ଉପୁଜିଛି ।