ମୁମ୍ଵାଇ ୨୩।୦୬; ଅଡୁଆରେ ସାଉଥ୍ ଷ୍ଟାର ବିଜୟ ଦେବରକୋଣ୍ଡା। ତାଙ୍କର ଏକ ପୁରୁଣା ବିବାଦୀୟ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ଯାହା ବିରୁଦ୍ଧରେ କରାଯାଇଛି ଅଭିଯୋଗ ଦାଖଲ । ଆଦିବାସୀ ସଂଘ ସାଇବରାବାଦର ରାଇଦୁଗ୍ରାମ ପୋଲିସ ଷ୍ଟେସନରେ ବିଜୟଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଅଭିନେତା ସେମାନଙ୍କ ସଂଘକୁ ଅପମାନ କରିଛନ୍ତି। ଅଭିନେତାଙ୍କ ବିରୁଦ୍ଧରେ ଏସସି/ଏସଟି ଧାରା ଅଧୀନରେ ଏକ ମାମଲା ରୁଜୁ କରାଯାଇଛି।
ବିଜୟ ଦେବରକୋଣ୍ଡା ଏପ୍ରିଲ ମାସରେ ଅଭିନେତା ସୂର୍ଯ୍ୟଙ୍କ ଫିଲ୍ମ 'ରେଟ୍ରୋ'ର ଅଡିଓ ଲଞ୍ଚରେ ପହଞ୍ଚିଥିଲେ। ସେଠାରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଆତଙ୍କବାଦର ମୁକାବିଲା ପାଇଁ ସମସ୍ତେ ଏକ ହେବା ଆବଶ୍ୟକ। ସେ ଲୋକମାନଙ୍କୁ ଶିକ୍ଷା ଦେବା ବିଷୟରେ କଥା ହୋଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ପାକିସ୍ତାନର ଲୋକମାନେ ସେମାନଙ୍କ ସରକାରଙ୍କ ଠାରୁ ବିରକ୍ତ ହୋଇଯାଇଛନ୍ତି। ବିଜୟ ତାଙ୍କ ଭାଷଣ ସମୟରେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ।
କିନ୍ତୁ ତା'ପରେ ସେ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହା ଯୋଗୁଁ ସେ ବିବାଦରେ ଫସିଗଲେ। ବିଜୟ କହିଥିଲେ, 'ଆଜି ମଧ୍ୟ ଆତଙ୍କବାଦୀମାନେ ସେହିପରି ଲଢ଼ନ୍ତି ଯେପରି ଆଦିବାସୀମାନେ ୫୦୦ ବର୍ଷ ପୂର୍ବେ ଲଢ଼ୁଥିଲେ। ଆମକୁ ଏକ ହୋଇ ରହିବା ଉଚିତ ଏବଂ ପରସ୍ପରକୁ ଭଲ ପାଇବା ଉଚିତ।' ଏଥିପାଇଁ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ନିଜେ ଖୁସି ରହିବୁ ଏବଂ ଆମ ପିତାମାତାଙ୍କୁ ଖୁସି ରଖିବୁ, ସେତେବେଳେ ହିଁ ଆମେ ଏକାଠି ଆଗକୁ ବଢ଼ିପାରିବୁ।'
ବିଜୟ କ୍ଷମା ମାଗିଥିଲେ
ଆଦିବାସୀ ସଂଘ ବିଜୟଙ୍କ କଥାକୁ ଆଦୌ ପସନ୍ଦ କରିନଥିଲେ। ସେମାନେ ତାଙ୍କ ଉପରେ ଅଭିଯୋଗ କରିଥିଲେ ଯେ ତାଙ୍କର ବକ୍ତବ୍ୟ ଆଦିବାସୀ ଗୋଷ୍ଠୀ ବିରୁଦ୍ଧରେ ଅପମାନଜନକ ଥିଲା। ବିଜୟ ଆଦିବାସୀ ସଂଘର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଥିଲେ। ସେ ଏକ ସାର୍ବଜନୀନ ନୋଟ୍ ଜାରି କରିଥିଲେ ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଟାର୍ଗେଟ କରିବା ନୁହେଁ। ସେ ସେହି ସମସ୍ତ ଆଦିବାସୀଙ୍କୁ ସମ୍ମାନ କରନ୍ତି ଯେଉଁମାନେ ବହୁ ବର୍ଷ ଧରି ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସିଛନ୍ତି। ଏବେ ବିଜୟଙ୍କ ବିରୁଦ୍ଧରେ ପଞ୍ଜିକୃତ ମାମଲା କେଉଁ ମୋଡ଼ ନେବ। ତାହା ସମୟ ଆସିଲେ ହିଁ ଜଣାପଡିବ।