ତ୍ରିଭେନ୍ଦ୍ରମ ୧୬।୬:ଇଂଲଣ୍ଡ ରୟାଲ ନେଭିର ଏକ ଏଫ-୩୫(ବି) ଲାଇଟନିଂ ଫାଇଟର ଜେଟ୍ ର ତ୍ରିଭେନ୍ଦ୍ରମରେ ଜରୁରି ଲ୍ୟାଣ୍ଡିଂ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରଶ୍ନଟି ହେଲା ଆମେରିକା ଓ ଇଂଲଣ୍ଡ ଦ୍ୱାରା ଷ୍ଟିଲଥ୍ ଅର୍ଥାତ ରାଡାରରୁ ଅଦୃଶ୍ୟ କୁହାଯାଉଥିବା ପଞ୍ଚମ ପିଢୀର ଏହି ଲଢୁଆ ବିମାନରେ ସତରେ କ’ଣ ସେହି ସବୁ କ୍ଷମତା ଅଛି ଯାହା କୁହାଯାଉଛି? କାରଣ ଭାରତୀୟ ବାୟୁସେନା ଅଧିକାରୀକ ରୂପେ କହିଛନ୍ତି ଯେ ତାଙ୍କର ଇଣ୍ଟିଗ୍ରେଟେଟ୍ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ (ଆଇଏସିସିଏସ୍) ଏହି ଏଫ-୩୫କୁ ନା କେବଳ ଠାବ ବରଂ ଚିହ୍ନଟ ମଧ୍ୟ କରିଥିଲା।
ଏହା ସେହି ଆଇଏସିସିଏସ୍ ଯାହା ଅପରେସନ ସିନ୍ଦୂର କାଳରେ ପାକିସ୍ତାନର ସମସ୍ତ ଆକାଶୀୟ ଆକ୍ରମଣର ମୁକିବିଲା କରିଥିଲା। ଏଥିରୁ ଏବେ ପ୍ରଶ୍ନ ଉଠୁଛି ଭାରତର ଏୟାର ଡିଫେନ୍ସ ସିଷ୍ଟମ କ’ଣ ଏତେ ସକ୍ଷମ ଯାହା ଷ୍ଟିଲଥ୍ ଫାଇଟର ଜେଟ୍ କୁ ବି ଚିହ୍ନି ଦେଉଛି? ଉଲ୍ଲେଖଯୋଗ୍ୟ ଯେ ଏଚଏମଏସ୍ ୱେଲସ୍ ଆଜିକାଲି ଆରବ ସାଗରରେ ମୁତୟନ ହୋଇଛି ଓ ଏହା ଭାରତର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ (ଏଡିଆଇଡିଜେଡ୍) ବାହାରେ ରହିଛି। ଶନିବାର ବିଳମ୍ବିତ ରାତ୍ରିରେ ଏଫ-୩୫(ବି) ଫାଇଟର ଜେଟ୍ କୌଣସି କାରଣରୁ ଏୟାରକ୍ରାଫ୍ଟ କ୍ୟାରିୟରରେ ଅବତରଣ କରିବାକୁ ବିଫଳ ହୋଇଥିଲା। ଏଣୁ ବିମାନ ଏମାର୍ଜେନ୍ସୀ ଡାଇଭର୍ସନ ନେଇ ତ୍ରିଭେନ୍ଦ୍ରମ ଆଡକୁ ଉଡିଥିଲା।
ଲଢୁଆ ବିମାଟି ଯେମିତି ଭାରତଆଡକୁ ମୁହାଇଁଲା ବାୟୁସେନାର ଆଇସିସିଏସ୍ ଏଫ-୩୫କୁ ତୁରନ୍ତ ଡିଟେକ୍ଟ କରିବା ସହିତ ସୁଖୋଇ ଫାଇଟର ଜେଟ୍ କୁ ଏହା ବିରୋଧରେ ମୁତୟନ କରିଥିଲା। ଏହି ସମୟରେ ଏଫ-୩୫ ପାଇଲଟ ଡାଇଭର୍ସନର କାରଣ କହିବାରୁ ତାଙ୍କୁ ତ୍ରିଭେନ୍ଦ୍ରମ ବିମାନ ବନ୍ଦରରେ ଅବତରଣ କରିବାକୁ ଦିଆଯାଇଥିଲା। ଆମେରିକା ଓ ଇଂଲଣ୍ଡର ଦାବି ଯେ ଏଫ-୩୫(ବି)କୁ ଏପରି ଡିଜାଇନ କରାଯାଇଛି ଯେପରି ରାଡାରରୁ ଅଦୃଶ୍ୟ ରହିବ।
ଏଫ-୩୫ର ରାଡାର କ୍ରସ ସେକ୍ସନ ବହୁତ କମ୍। ଏଣୁ ଏହା କୌଣସି ରାଡାରରେ ଧରାପଡେ ନାହିଁ।ବିମାନକୁ ଷ୍ଟିଲଥ୍ କରିବା ପାଇଁ ଏହାର ଇଞ୍ଜିନ ଓ ଟର୍ବାଇନକୁ ସମ୍ପୂର୍ଣ୍ଣ ଘୋଡାଇ ଦିଆଯାଏ। ଏପରିକି ଏହାର ଅସ୍ତ୍ରଶସ୍ତ୍ର ପ୍ରଣାଳୀକୁ ଫାଇଟର ଜେଟ୍ ର ଭିତର ଭାଗରେ ଇଣ୍ଟିଗ୍ରେଟ୍ କରାଯାଇଛି। ଅନ୍ୟ ଫାଇଟର ଜେଟ୍ ମାନଙ୍କରେ ଅସ୍ତ୍ରଶସ୍ତ୍ର ବାହାରେ ଥାଏ। ଏଣୁ ରାଡାରରେ ଧରାପଡିଯାଇଥାଏ।
ମାତ୍ର ଦୁଇଦିନ ପୂର୍ବେ ଫରାସୀ ଯୁଦ୍ଧ ବିମାନ କମ୍ପାନୀ ଡାସଲ୍ଟ କମ୍ପାନୀ ସିଇଓ ଏରିକ୍ ଟ୍ରାପିୟର ରାଫେଲ ଫାଇଟର ଜେଟ୍ କୁ ଆମେରିକାର ଏଫ-୩୫ ଓ ଚୀନ୍ ର ସବୁ ଯୁଦ୍ଧବିମାନଠାରୁ ଉନ୍ନତ ବୋଲି କହିଥିଲେ। ଏଥିରୁ ଭାରତର ସଫଳତା ଏହା ସାବ୍ୟସ୍ତ କରିଛି ଆମର ଡିଟେକ୍ସନ ଟେକ୍ ନିକ୍ କୌଣସିଥିରେ କମ ନୁହେଁ। ଭାରତୀୟ ବାୟୁସେନା କହିଛନ୍ତି ଯେ ଏଫ-୩୫କୁ ଆବଶ୍ୟକୀୟ ବୈଷୟିକ ସହାୟତା ଦିଆଯାଉଛି, ଯେପରି ସେ ପୁଣି ଥରେ ଏଚଏମଏସ୍ ୱେଲସକୁ ଫେରିଯାଇ ପାରିବ।