ସ୍ଥାନୀୟ ଠିକାଦାରଙ୍କୁ କାମ ଦିଆଯାଉନଥିବା ଅଭିଯୋଗରେ ମୁହାଁମୁହିଁ ପରିସ୍ଥିତି, ୩ ଘଣ୍ଟାର ଆଲୋଚନା ଫେଲ୍

NEWS7
excise-dept-raid-in-mayurbhanja-area

ବଲାଙ୍ଗିର ୨୧।୨: ବଲାଙ୍ଗିର ଜିଲ୍ଲାରେ ଥମୁନି ଠିକାଦାର ଓ ଅଧିକାରୀଙ୍କ କଳି । ପୁଣି ଦେଖିବାକୁ ମିଳିଛି ମୁହାଁମୁହିଁ ପରିସ୍ଥିତି । ବାହାର ଜିଲ୍ଲା ଠିକାଦାରଙ୍କୁ କାମ ଦେଇ ସ୍ଥାନୀୟ ଠିକାଦାରଙ୍କୁ କାମ ଦେଉନଥିବା ଅଭିଯୋଗକୁ ନେଇ ମୁହାଁମୁହିଁ ପରିସ୍ଥିତି ହୋଇଛି । ଉଭୟ ପକ୍ଷରୁ ଥାନାରେ ଏତଲା । ୩ ଘଣ୍ଟା ଆଲୋଚନା ପରେ ବି ବାହାରିଲାନି ସମାଧାନ ବାଟ । ସେପଟେ ପୋଲିସ କହିଲା ତଦନ୍ତ ପରେ ମାମଲା ରୁଜୁ ହେଲେ ନେବୁ କାର୍ଯ୍ୟାନୁଷ୍ଠାନ ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଠିକାଦାରଙ୍କୁ କାମ ନ ଦେଇ ବାହାର ଠିକାଦାରଙ୍କୁ କାମ ଦିଆଯାଉଛି । ଏହାକୁ ନେଇ ଶୁକ୍ରବାର ପ୍ରେମରଞ୍ଜନ ପାଣିଗ୍ରାହୀ ନାମକ ଜଣେ ଠିକାଦାର ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ବେଳେ ଉଭୟ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉଭୟ ମଧ୍ୟରେ ଗାଳିଗୁଲଜ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏମିତି କି ଯନ୍ତ୍ରୀ ଜଣକ ଠିକାଦାରଙ୍କୁ ବାଡ଼ିରେ ମାଡ଼ ମାରି ଘଉଡାଇବାକୁ କହିଥିବା ସହ ସୁପାରି ଦେଇ ମାରିଦେବେ ବୋଲି ଧମକ ଦେଇଥିବା ଠିକାଦାର ଅଭିଯୋଗ କରିଛନ୍ତି । ଏନେଇ ଶନିବାର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ତାଙ୍କ କର୍ମଚାରୀ ଥାନାର ଦ୍ୱାରସ୍ଥ ହୋଇ ଅଧିକ୍ଷଣ ଯନ୍ତ୍ରୀଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଠିକାଦାରଙ୍କ ସହ ସଙ୍ଘ ମଧ୍ୟ ଥାନାରେ ଯନ୍ତ୍ରୀଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । କିଛି ସମୟ ପାଇଁ ଥାନାରେ ମହାଭାରତ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଶେଷରେ ଟାଉନ ଆଇଆଇସି ଓ ଏସ୍ଡିପିଓ ଉଭୟ ଠିକାଦାର ସଙ୍ଘ ଓ ଅଧିକାରୀଙ୍କୁ ଡାକି ୨ ଘଣ୍ଟା ଧରି ଆଲୋଚନା କରିଥିଲେ । ଶେଷରେ କିଛି ସମୟ ମାଗି ଅଧିକାରୀଙ୍କ କାର୍ଯ୍ୟାଳୟରେ ଉଭୟ ସଙ୍ଘ ଓ ଅଧିକାରୀ ବସି ଆଲୋଚନା କରିବା ପରେ ଫଇସଲା କରିବୁ ବୋଲି ଉତ୍ତର ରଖିଥିଲେ । ଏନେଇ ପୋଲିସ ଉଭୟ ପକ୍ଷର ଏତଲା ରଖି ତଦନ୍ତ କରୁଥିବା କହିଛି ।

ସେପଟେ ଏନେଇ ଶନିବାର ସକାଳୁ କିଛି ଠିକାଦାର ଓ ଯନ୍ତ୍ରୀ ଆଲୋଚନା କରିଥିବା ବେଳେ ଝାମେଲା କରିଥିବା ଠିକାଦାର ଜଣକ ସଙ୍ଘର ହୋଇନଥିବା ଓ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ନିଜେ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ଯାହାକି ଏହି ଘଟଣାକୁ ଆହୁରି ଗଣ୍ଡଗୋଳିଆ କରିଛି । ଏନେଇ ପୋଲିସର ତଦନ୍ତ କ’ଣ ହେଉଛି ତାକୁ ଅପେକ୍ଷା ।