ନୂଆଦିଲ୍ଲୀ: ଭାରତରେ ଟ୍ୟାଲେଣ୍ଟ ବାହାରିବେ, ହେଲେ ଆମେରିକା, ୟୁକେ ୟୁରୋପ ଭଳି ରାଷ୍ଟ୍ରମାନେ ଏହି ଟ୍ୟାଲେଣ୍ଟକୁ କିଣି ନେବେ। ଏହି ଦେଶମାନେ ଭାରତର ଟ୍ୟାଲେଣ୍ଟ ବ୍ୟବହାର କରି ଆହୁରି ଶକ୍ତିଶାଳୀ ହେବେ, ହେଲେ ଭାରତର ସ୍ଥିତି ଯଥା ପୂର୍ବଂ ତଥା ପରଂ। ହେଲେ ପ୍ରଶ୍ନ ଉଠେ ଭାରତରେ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହୋଇ ଏମାନେ ଆମେରିକା, ୟୁକେ, ଜାପାନ,ୟୁଏଇ ଭଳି ରାଷ୍ଟ୍ରକୁ କାହିଁକି ବାଚ୍ଛନ୍ତି? କାହିଁକି ସେମାନେ ଦେଶ ଛାଡ଼ି ଅପର ଦେଶକୁ ବଳବାନ କରନ୍ତି? ତା’ର ଉତ୍ତର ଦେଇଛନ୍ତି ଭାରତରୁ ଆମେରିକା ଫେରିଯାଇଥିବା ଜଣେ ପୂର୍ବତନ ଆଇଆଇଟି ଛାତ୍ରୀ।
ଦିନେ ସେ ବି ଦେଶ ପାଇଁ କିଛି କରିବାର ଆଶା ନେଇ ଆମେରିକା ଛାଡ଼ି ଭାରତ ଆସିଥିଲେ। ଭାବିଥିଲେ, ଏଇଠି ମୋ ଟ୍ୟାଲେଣ୍ଟ ବ୍ୟବହାର କରି ଦେଶର ପ୍ରଗତିରେ ଭାଗିଦାରୀ ହେବି। ହେଲେ ସତ ଚେଷ୍ଟା ସତ୍ତ୍ୱେ ବି ହେଲା ନାହିଁ। ଚିରାଚରିତ ଦୁର୍ନୀତିଗତ ବ୍ୟବସ୍ଥା, ଉତ୍ତରାଦାୟିତ୍ୱହୀନ କ୍ଷମତାନ୍ଧ ବ୍ୟକ୍ତି ଏସବୁ ନା ତାଙ୍କୁ ଆଗକୁ ବଢିବାକୁ ଦେଲେ ନା ସେ କିଛି କରିପାରିଲେ। ଶେଷରେ ନିରାଶ ହୋଇ ସେ ପୁଣି ଆମେରିକା ଫେରିଗଲେ। ଆଉ ଗଲା ବେଳେ ସେ ତାଙ୍କ ସୋସିଆଲ୍ ମିଡିଆରେ ନାରାଶା ହାତାଶା ଦୁଇ ଧାଡ଼ି ଲେଖି ପ୍ରତିବାଦ ଜଣାଇଛନ୍ତି। ଯାହାକୁ ସୋସିଆଲ୍ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ସାଉଁଟୁଛି। କିଛି ତାଙ୍କ କଥାକୁ ସ୍ୱୀକାର କରିଥିବା ବେଳେ କିଛି ତାଙ୍କୁ ବିରୋଧ କରିଛନ୍ତି।
ଡାକ୍ତର ରାଜେଶ୍ୱରୀ ଆୟର ଆଇଆଇଟି ବମ୍ବେ ଓ ଏନ୍ଆଇଟି ପୁଡୁଚେରୀ ଜଣେ ପୂର୍ବତନ ଛାତ୍ରୀ। ସେ ତାଙ୍କ ଭାରତ ଛାଡ଼ିବାର କାରଣ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି. ସେ ଯାହା ଆଶା କରିଥିଲେ ଏବଂ ବାସ୍ତବରେ ଯାହା ଦେଖିଥିଲେ ସେଥିରେ ଆକାଶ ପାତାଳ ଫରକ। ଏହା ହିଁ ତାଙ୍କୁ ସବୁଦିନ ପାଇଁ ଆମେରିକା ଫେରିଯିବାକୁ ବାଧ୍ୟ କରିଛି ବୋଲି ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି।
ଏବେ ରାଜେଶ୍ୱରୀ ତାଙ୍କ ପୋଷ୍ଟରେ କ’ଣ ଲେଖିଛନ୍ତି ପଢ଼ନ୍ତୁ।
“ଯେତେବେଳେ ଲୋକମାନେ କହୁଥିଲେ "ପ୍ରତ୍ୟେକ ଭାରତୀୟଙ୍କ ଶେଷ ଲକ୍ଷ୍ୟ ହେଉଛି ଭାରତ ଛାଡିବା।" ଏକଥା ଶୁଣି ମୋତେ ହସ ଲାଗୁଥିଲା। କିଛି ବର୍ଷ ପୂର୍ବେ ମୁଁ ବି ମୋ ଦେଶ ପାଇଁ କର୍ତ୍ତବ୍ୟବୋଧ ଅନୁଭବ କରି ଏକ ଆଶା ନେଇ ଆମେରିକା ଛାଡ଼ି ଭାରତ ଫେରି ଆସିଥିଲି। ମୁଁ ପ୍ରକୃତରେ ଏଠି ଜୀବନ ଗଢ଼ିବା ତୋଳିବାକୁ ଓ ଦେଶର ପ୍ରଗତିରେ ଯୋଗଦାନ ଦେବାକୁ ଚାହୁଁଥିଲି। କିନ୍ତୁ ବାସ୍ତବ ଚ୍ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଏଠି ଲୋକମାନେ ଖରାପ ନିଷ୍ପତ୍ତିକୁ ଅନ୍ଧଭଳି ସମର୍ଥନ କରୁଛନ୍ତି। ଏଠି ଉଚ୍ଚା ଶୁଳ୍କ, ଅକୁଶଳତା ଓ ଅନିୟନ୍ତ୍ରିତ ଦୁର୍ନୀତିକୁ ଅନ୍ଧ ପ୍ରଶଂସା ଚାଲିଛି। ମୋତେ ଲାଗିଲା ଯେ ଆମର ଏ ସମାଜ ନିଜେ ହିଁ ନିଜର ପତନ ଆଡ଼କୁ ଅଗ୍ରସର ହେଉଛି। ଶେଷରେ... ଜିନିଷପତ୍ର ପ୍ୟାକ୍ କରି ମୋତେ ପୁଣି ଫେରି ଆସିବାକୁ ପଡ଼ିଲା। ଏଥର କିନ୍ତୁ ମନ ଦ୍ୱିଧାଗ୍ରସ୍ତ ନଥିଲା। ସତ କହିବାକୁ ଗଲେ ମୋତେ ଏତେ ଶାନ୍ତି ଲାଗୁଛି, ଯାହା ମୁଁ କେବେ ଅନୁଭବ କରି ନାହିଁ। ଭାରତ ସବୁବେଳେ ମୋ ହୃଦୟରେ ରହିବ। କିନ୍ତୁ ଏଇ ମୁଁ ଘୃଣା, କୋଳାହଳପୂର୍ଣ୍ଣ ଏବଂ ଜାଣିଶୁଣି ଅଜ୍ଞତାକୁ ସମର୍ଥନ କରୁଥିବା ପରିବେଶରେ ମୋ ପିଲାମାନଙ୍କୁ ଗଢିବାକୁ ଇଚ୍ଛା କଲି ନାହିଁ।“
ରାଜେଶ୍ୱରୀଙ୍କର ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏତିରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ସୋସିଆଲ୍ ମିଡିଆର କିଛି ୟୁଜର ରାଜେଶ୍ୱରୀଙ୍କୁ ସମର୍ଥନ କରିଥିବା ବେଳେ କିଛି ବିରୋଧ ବି କରିଛନ୍ତି। ରାଜେଶ୍ୱରୀଙ୍କୁ ଉତ୍ତର ଦେଇ ଜଣେ ଗ୍ରାହକ ଲେଖିଛନ୍ତି ଗୋଟିଏ ପରିବାର ପାଇଁ ଶାନ୍ତି ଖୋଜି ଦେଶ ଛାଡ଼ି ଦେବାର କୌଣସି ଯଥାର୍ଥତା ନାହିଁ। ଆମମାନଙ୍କ ମଧ୍ୟରୁ କିଛି ଭାରତରେ ଅଟକି ଯାଇଛୁ। ଆମେ ଚେଷ୍ଟା ଜାରି ରଖିଛୁ। ଆମେ ବର୍ତ୍ତମାନ ଛୋଟ ଛୋଟ ଯୁଦ୍ଧ ଲଢୁଛୁ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ ସମସ୍ୟା ଠାରୁ ଦୂରକୁ ଦୌଡ଼ିଲେ ସମସ୍ୟା ଦୂର ହୁଏନି। ବରଂ ସମସ୍ୟାକୁ ସାମ୍ନା କରି ଏହାର ସମାଧାନ କରିବାକୁ ହୁଏ। ୟୁଜର ଲେଖିଛନ୍ତି ଆପଣ କେତେ ଦୂର ଯିବେ ? ଆମେ ଆପଣଙ୍କ ଭଳି ଲୋକ ଖୋଜୁଛୁ ଯେଉଁମାନେ ଏଇଠି ରହିବେ ଓ ବ୍ୟବସ୍ଥା ସହ ଲଢ଼େଇ କରିବେ।