ଜଣେ ଦୁଷ୍କର୍ମ କଲେ ବି ସଭିଙ୍କୁ ମିଳିବ ସଜା ; ଗଣଦୁଷ୍କର୍ମ କେସରେ SCଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ: ଏକ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି ସମାନ ଉଦ୍ଦେଶ୍ୟରେ ଅପରାଧ କରାଯାଇଥାଏ, ତେବେ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିଲେ ମଧ୍ୟ ଗଣଦୁଷ୍କର୍ମରେ ସାମିଲ ଅନ୍ୟ ବ୍ୟକ୍ତି ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ । ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି କେଭି ବିଶ୍ୱନାଥନଙ୍କ ପୀଠ ମେ ୧ ତାରିଖରେ ଏହି ରାୟ ଶୁଣାଇଛନ୍ତି ।

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ, ପୀଠ କହିଛନ୍ତି ଆଇପିସିର ଧାରା ୩୭୬(୨)(ଜି) ଅନ୍ତର୍ଗତ ଗଣଦୁଷ୍କର୍ମ ମାମଲାରେ ଯଦି ସମସ୍ତେ ସମାନ ଉଦ୍ଦେଶ୍ୟ ବା ଚକ୍ରାନ୍ତ କରି ଏହି ଘୃଣ୍ୟ କାମ କରିଥିବେ ତେବେ ସମସ୍ତେ ଦଣ୍ଡିତ ହେବେ । ଜଣେ ଦୁଷ୍କର୍ମ କରିଥାଉ ନା କାହିଁକି ଏଥିରେ ସଂପୃକ୍ତ ବ୍ୟକ୍ତି ବି ଦୋଷୀ ସାବ୍ୟସ୍ତ ହେବ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ଧାରା ଆଧାରରେ ଗଣଦୁଷ୍କର୍ମରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କ ପାଇଁ ପ୍ରମାଣିତ କରାଯିବାର ଆବଶ୍ୟକତା ନାହିଁ ।  ଜଣେ ବ୍ୟକ୍ତି ଦ୍ୱାରା ଦୁଷ୍କର୍ମ ହୋଇଥିଲେ, ଗଣଦୁଷ୍କର୍ମରେ ସାମିଲ ଅନ୍ୟ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ପର୍ଯ୍ୟାପ୍ତ । 

ସୁପ୍ରିମକୋର୍ଟ ଏହି ରାୟ ମଧ୍ୟ ପ୍ରଦେଶରେ ୨୦୦୪ରେ ଜଣେ ମହିଳାଙ୍କ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ କାଏମ ରଖି ଦେଇଛନ୍ତି । ଅଭିଯୁକ୍ତ ରାଜୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । 

କଣ ଥିଲା ମାମଲା

ଏହି ଘଟଣା ୨୦୦୪ ମସିହା ଜୁନ ମାସର । ପୀଡିତା ଏକ ବିବାହ ସମାରୋହରୁ ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କୁ ଅପହରଣ କରି ଅନେକ ସ୍ଥାନରେ ଅବୈଧ ଭାବେ ରଖିଥିଲେ ଅଭିଯୁକ୍ତ । ପୀଡିତା ନିଜ ବୟାନରେ କହିଛନ୍ତି ଯେ, ଜଳନ୍ଧର କୋଲ ଓ ଆବେଦନକାରୀ ରାଜୁ ଦୁଇ ଜଣ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ସରକାରୀ ଓକିଲ ମାମଲାରେ ୧୩ ସାକ୍ଷୀଙ୍କୁ କୋର୍ଟରେ ହାଜର କରିଥିଲେ । ଏଥିରେ ପୀଡିତାଙ୍କ ସହ ତାଙ୍କ ବାପା ଓ ତଦନ୍ତକାରୀ ଅଧିକାରୀ ସାମିଲ ଥିଲେ । ଟ୍ରାଏଲ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଅପହରଣ କରିବା, ଦୁଷ୍କର୍ମ କରିବା ଓ ବେଆଇନ ଭାବେ ଅଟକ ରଖିବାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ହାଇକୋର୍ଟ ମଧ୍ୟ ଟ୍ରାଏଲ କୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ । ଜଳନ୍ଧର  ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ନ ଥିବା ବେଳେ ରାଜୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲା । 

ସୁପ୍ରିମକୋର୍ଟ କହିଛନ୍ତି, ଏଫଆଇଆରରେ କେବଳ ଜଳନ୍ଧର କୋଲ ଦ୍ୱାରା ଦୁଷ୍କର୍ମ ଉଲ୍ଲେଖ ହୋଇଥିଲେ ହେଁ, ପୀଡିତା ନିଜ ବୟାନରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜୁ ବି ଦୁଷ୍କର୍ମ କରିଥିଲା । ପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ହୋଇପାରେ ରାଜୁ ଦୁଷ୍କର୍ମ କରିନାହିଁ, ତଥାପି ମାମଲାରେ ତାର ସଂପୃକ୍ତି ଯୋଗୁଁ ସେ ସମାନ ଭାବେ ଦୋଷୀ ସାବ୍ୟସ୍ତ ହେବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.