ନୂଆଦିଲ୍ଲୀ ୩।୮: ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ କେନ୍ଦ୍ର ସରକାର ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ ହ୍ରାସ କରିଛନ୍ତି। କେମିକାଲସ୍ ଓ ଫର୍ଟିଲାଇଜର ମନ୍ତ୍ରାଳୟ ରବିବାର ଏହି ସୂଚନା ଦେଇଛି। ଏହି ନିଷ୍ପତ୍ତି ନ୍ୟାସନାଲ ଫାର୍ମାସ୍ୟୁଟିକଲ ପ୍ରାଇସିଂ ଅଥରିଟି (ଏନପିପିଏ) ନେଇଛନ୍ତି, ଯାହାର ଅର୍ଥ ଔଷଧକୁ ଅଧିକ ଶସ୍ତା ଓ ସୁଲଭ କରିବା। ଏହି ସବୁ ଔଷଧରେ ହୃଦ, ଡାୟବେଟିଜ୍, ଫୁଲା, ସଂକ୍ରମଣ ଓ ମାନସିକ ଆଦି ରୋଗର ଔଷଧ ରହିଛି।
ଯେଉଁ ସବୁ ଔଷଧର ମୂଲ୍ୟ ହ୍ରାସ ହୋଇଛି ସେଥିରେ ଏସିକ୍ଲୋଫେନାକ, ପ୍ୟାରାସିଟାମଲ, ଟ୍ରିପ୍ସିନକାଇମୋ ଟ୍ରିପସିନ, ଆମୋକ୍ସିଲିନ ପୋଟାସିୟମ କ୍ଲେଭୁଲେନେଟ୍, ଏଟୋରଭାଷ୍ଟେଟିନ କ୍ଲୋପିଡୋଗ୍ରେଲ ଓ ଡାୟବେଟିଜ ଔଷଧ ଯେପରିକି ଏମ୍ପାଗ୍ଲିଫ୍ଲୋଜିନ, ସିଟାଗ୍ଲିପ୍ଟିନ ଓ ମେଟାଫର୍ମିନ ଭଳି କମ୍ବିନେସନ ଔଷଧ ମଧ୍ୟ ରହିଛି। ଏହି ସବୁ ଔଷଧର ନୂଆ ମୂଲ୍ୟ ଏବେ ୧୩ରୁ ୩୧ଟଙ୍କା ୭୭ ପଇସା ମଧ୍ୟରେ ରହିବ।
ମୂଲ୍ୟ ହ୍ରାସ ଔଷଧ ସୂଚୀରେ ଶିଶୁଙ୍କ ଔଷଧ, ଭିଟାମିନ-ଡି ଡ୍ରପ୍ସ ଭଳି କୋଲେକ୍ୟାଲିସିଫେରୋଲ ଡ୍ରପସ୍ ମଧ୍ୟ ଏହି ସୂଚୀରେ ରହିଛି। ଔଷଧର ମୂଲ୍ୟ ହ୍ରାସ ହୋଇଥିବାରୁ ଖୁଚୁରା ବିକ୍ରେତାଙ୍କୁ ନୂଆ ମୂଲ୍ୟ ସୂଚୀ ଦୋକାନରେ ସ୍ପଷ୍ଟ ଦେଖାଯାଉଥିବା ସ୍ଥାନରେ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଔଷଧ ଦୋକାନୀ ଏହି ନିର୍ଦ୍ଦେଶର ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଡ୍ରଗ ପ୍ରାଇସ୍ କଣ୍ଟ୍ରୋଲ ୨୦୧୩ ଓ ଅତ୍ୟାବଶ୍ୟକ ବସ୍ତୁ ଅଧିନିୟମ ୧୯୯୫ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ଔଷଧର ଏହି ସବୁ ମୂଲ୍ୟ ଜିଏସଟି ବିନା ଓ ସମସ୍ତ ଔଷଧ ନିର୍ମାତା କମ୍ପାନୀ ତାଙ୍କର ଅପଡେଟସ୍ ଏନପିପିଏ ଓ ରାଜ୍ୟ ଡ୍ରଗ କଣ୍ଟ୍ରୋଲରଙ୍କୁ ରିପୋର୍ଟ କରିବାକୁ ହେବ। ଏନପିପିଏ ଦେଶରେ ଜରୁରି ଔଷଧର ମୂଲ୍ୟ ନିୟନ୍ତ୍ରକ ସଂସ୍ଥା, ଯିଏ ରୋଗୀଙ୍କୁ ଔଷଧ ଶସ୍ତା ଓ ସହଜରେ ଉପଲବ୍ଧ ହେବା ସୁନିଶ୍ଚିତ କରନ୍ତି।