ନୂଆଦିଲ୍ଲୀ: ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍‌ ହାରିଛି ଇଂଲଣ୍ଡ। ପରାଜୟ ସହ ଦଳ ସିରିଜ୍ ହାରିଛି। ଏହା ସହିତ ଇଂଲଣ୍ଡର ଦ୍ଵିପାକ୍ଷିକ ଦିନିକିଆ ସିରିଜ୍ ପରାଜୟର ଧାରା ବଜାୟ ରହିଛି। ୨୦୨୩ ଦିନିକିଆ ବିଶ୍ଵକପ୍ ପରଠୁ ଇଂଲଣ୍ଡ ଛଅଟି ଦ୍ଵିପାକ୍ଷିକ ସିରିଜ୍ ଖେଳିଛି ଏବଂ ଏଥିରୁ କେବଳ ଗୋଟିଏ ସିରିଜ ଜିତିଛି। ଇଂଲଣ୍ଡ ଜୁନରେ ଓ୍ଵେଷ୍ଟଇଣ୍ଡିଜକୁ ତିନି ମ୍ୟାଚ୍‌ର ଦିନିକିଆ ସିରିଜରେ ୩-୦ରେ ହରାଇଥିଲା। ମାତ୍ର ଏହା ପରେ ଇଂଲଣ୍ଡ ଦଳ ଲୟ ହରାଇ  ସିରିଜ୍ ହାରି ଚାଲିଛି। ଦକ୍ଷିଣ ଆଫ୍ରିକା ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଥିଲା।

ଇଂଲଣ୍ଡ କ୍ରିକେଟ୍ ଦଳ ୨୦୧୯ରେ ଦିନିକିଆ ବିଶ୍ଵକପ୍ ଜିତିଥିଲା। ଏହା ପରଠୁ ଦଳ ପରବର୍ତ୍ତୀ ବିଶ୍ଵକପ୍ ୨୦୨୩ ପର୍ଯ୍ୟନ୍ତ ମୋଟ୍ ସାତୋଟି ଦିନିକିଆ ସିରିଜ୍‌ ଜିତିଛି। ମାତ୍ର ଗତ ଦିନିକିଆ ବିଶ୍ଵକପ୍ ପରଠୁ ଇଂଲଣ୍ଡର ଦିନିକିଆ ପ୍ରଦର୍ଶନ ବହୁତ ଖରାପ ରହିଛି। ଦଳ ୬ଟି ଦିନିକିଆ ସିରିଜ୍ ଖେଳି କେବଳ ଗୋଟିଏ ସିରିଜ୍ ଜିତି ପାରିଛି। ଇଂଲଣ୍ଡକୁ ଓ୍ଵେଷ୍ଟଇଣ୍ଡିଜ ହାତରୁ ଦୁଇ ଥର, ଭାରତଠୁ ଥରେ, ଅଷ୍ଟ୍ରେଲିଆଠୁ ଥରେ ଏବଂ ଦକ୍ଷିଣ ଆଫ୍ରିକା ହାତରୁ ଥରୁଟିଏ ସିରିଜ୍ ପରାଜୟ ଭୋଗିଛି।

ଇଂଲଣ୍ଡ ଦଳ ୨୨ ଦିନିକିଆ ମ୍ୟାଚ୍ ଖେଳି ମାତ୍ର ସାତୋଟି ଜିତି ପାରିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚ ଓ  ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଦିନିକିଆ ମ୍ୟାଚ୍ ଜିତି ପାରିଛି। ଦଳର ବିଜୟ ପ୍ରତିଶତ ୩୧.୮ ପ୍ରତିଶତ ରହିଛି। ବିଶ୍ଵକପ୍ ୨୦୨୩ ପରଠୁ ପୂର୍ଣ୍ଣ ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରୁ କେବଳ ବାଂଲାଦେଶ ଓ ଜିମ୍ବାଓ୍ଵେର ବିଜୟ ପ୍ରତିଶତ ଇଂଲଣ୍ଡଠୁ କମ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ  ଇଂଲଣ୍ଡର ପ୍ରଦର୍ଶନ ବହୁତ ନିରାଶଜନକ ରହିଛି। ଗତ ଚାରୋଟି ମୁକାବିଲାରେ ଦକ୍ଷିଣ ଆଫ୍ରିକାର ଦବଦବା ବଜାୟ ରହିଛି ଏବଂ ଦଳ ସମସ୍ତ ମୁକାବିଲା ନିଜ ନାଁରେ କରିଛି।