LIVE TV

ଗୋଟେପଟେ ଦେଉଛନ୍ତି ପୂଜା ଉପହାର ଅନ୍ୟପଟେ ଛଡାଉଛନ୍ତି ଖୁସି, ସରକାରଙ୍କ ଉପରେ ବଢୁଛି କର୍ମଚାରୀଙ୍କ ରୋଷ

NEWS7
Ministry of Finance

ନୂଆଦିଲ୍ଲୀ ୨୦।୯: ଗୋଟିଏପଟେ ସରକାର ଜିଏସଟି ସଂଶୋଧନ ଲାଗୁ କରି ପାର୍ବଣରେ ଲୋକଙ୍କୁ ବଡ଼ ଉପହାରର କଥା କହୁଛନ୍ତି, ଅନ୍ୟପଟେ କର୍ମଚାରୀଙ୍କୁ ଦୀପାବଳି ଓ ଅନ୍ୟ ଉତ୍ସବରେ ମିଳୁଥିବା ଗିଫ୍ଟ କାଟ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏ ବାବଦେ ଅର୍ଥମନ୍ତ୍ରାଳୟ କଡ଼ା ମନବୃତ୍ତି ଅବଲମ୍ବନ କରୁଥିବା ବେଳେ ଏପରି ଗିଫ୍ଟ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଏବେ ସରକାରୀ କର୍ମଚାରୀଙ୍କୁ ଅସନ୍ତୁଷ୍ଟ କରିଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ବିତ୍ତ ପରାମର୍ଶଦାତା ଡ. ସୁମନ୍ତ୍ର ପାଲ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ବିତ୍ତୀୟ ପରାମର୍ଶଦାତାଙ୍କ ଏପରି ପରାମର୍ଶରେ କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ର ଉଦ୍ୟମ (ସିପିଏସୟୁ) କର୍ମଚାରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିତ୍ତ ପରାମର୍ଶଦାତା ସେପ୍ଟେମ୍ବର ୧୭ ତାରିଖରେ ଡିପାର୍ଟମେଣ୍ଟ ଅଫ ପବ୍ଲିକ୍ ଏଣ୍ଟରପ୍ରାଇଜ (ଡିପିଇ)ଙ୍କୁ ଲେଖିଥିବା ପତ୍ରରେ ସିପିଏସୟୁ ମାନଙ୍କରେ ଦୀପାବଳି ଓ ଅନ୍ୟ ପର୍ବପର୍ବାଣୀରେ ଗିଫ୍ଟ ଦେବାନେବାର ପରମ୍ପରା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ପତ୍ରରେ କୁହାଯାଇଛି ଯେ କର୍ମଚାରୀଙ୍କୁ ଏପରି ଉପହାର ପ୍ରଦାନ ଦ୍ୱାରା ସରକାରୀ ଖର୍ଚ୍ଚ ବଢୁଛି। ଅର୍ଥବ୍ୟବସ୍ଥାରେ ଜନତାଙ୍କ ସଂସାଧନର ନ୍ୟାୟପୂର୍ଣ୍ଣ ଉପଯୋଗ ନିମନ୍ତେ ଏହି  ପଦକ୍ଷେପ ନେବା ଜରୁରି ବୋଲି କୁହାଯାଇଛି।

ଡିପିଇ ଚିଫ୍ ଏକଜ୍ୟୁକୁଟିଭଙ୍କୁ ଲେଖାଯାଇଥିବା ପତ୍ରରେ ବିତ୍ତ ପରାମର୍ଶଦାତା କହିଛନ୍ତି ଯେ ଏହା ଦେଖିବାକୁ ମିଳୁଛି ସିପିଏସୟୁମାନଙ୍କରେ ଦୀପାବଳି ସମେତ ଅନ୍ୟ ପର୍ବପର୍ବାଣୀରେ ଉପହାର ଦେବାର ପ୍ରଥା ପ୍ରଚଳିତ ହେଉଛି, ଏହାକୁ ବନ୍ଦ କରିଦେବା ଉଚିତ। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ସୁପାରିଶକୁ କଡ଼ାକଡ଼ି ପାଳନ କରାଯିବା ଦରକାର। ଏଣୁ ଏବେ ସବୁ କେନ୍ଦ୍ରୀୟ ସାର୍ବଜନିକ ଉପକ୍ରମରେ ଏପରି ପ୍ରଥାକୁ ବନ୍ଦ କରିବା ପାଇଁ ଆଗ୍ରହ କରାଯାଇଛି। ଏହି ନିର୍ଦ୍ଦେଶ ପରେ ସିପିଏସୟୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନଙ୍କ କହିବା କଥା ହେଉଛି ଏହି ଆଦେଶ ସେମାନଙ୍କ ଭାବନା ଓ ଉତ୍ସାହ ଉପରେ ନକରାତ୍ମକ ପ୍ରଭାବ ପକାଇବ।

ସେହିପରି ନ୍ୟାସନାଲ ମିସନ ଫର ଓଲ୍ଡ ପେନସନ ସ୍କିମ୍ ଭାରତର ଅଧ୍ୟକ୍ଷ ଡ.ମଞ୍ଜିତ ସିଂହ ପଟେଲ କହିଛନ୍ତି ଯେ ଅର୍ଥମନ୍ତ୍ରାଳୟଙ୍କ ଏହି ନିର୍ଦ୍ଦେଶ ଯୁକ୍ତିଯୁକ୍ତ ନୁହେଁ। ସେ କହିଛନ୍ତି ଯେଦି ଦୀପାବଳି ଓ ଅନ୍ୟ ପାର୍ବଣରେ କର୍ମଚାରୀଙ୍କୁ କିଛି ଉପହାର ମିଳିଯାଉଛି ଏଥିରେ ଭୁଲ କେଉଁଠି?ଏହା ଏକ ଛୋଟ ଟୋକନ, ହେଲେ ଏହାର ଭାଲ୍ୟୁ ବହୁତ ଅଧିକ। ମଞ୍ଜିତ ସିଂହ ପଟେଲଙ୍କ କହିବା କଥା ହେଉଛି ଉପହାର ମିଳିବା ଦ୍ୱାରା କର୍ମଚାରୀଙ୍କୁ ଏହା ଅନୁଭବ ହୋଇଥାଏ ଯେ ତା କାମର ସମ୍ମାନ କରାଯାଉଛି। ଏଣୁ ସେ ଦୁଇଗୁଣା ଉତ୍ସାହରେ କାମ କରିଥାଏ।