ନୂଆଦିଲ୍ଲୀ : ରବିବାର (୧୭ ଅଗଷ୍ଟ) ଅପରାହ୍ନ ୩ଟା ସମୟରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କର ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ନୂଆ ଦିଲ୍ଲୀର ରାଷ୍ଟ୍ରୀୟ ମିଡ଼ିଆ କେନ୍ଦ୍ରରେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହେବା ନେଇ ଘୋଷଣା କରିଛନ୍ତି କମିଶନ। ଏହି ସୂଚନା କମିଶନର ଡାଇରେକ୍ଟର ଜେନେରାଲ (ମିଡ଼ିଆ)ଦ୍ୱାରା ଦିଆଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ବରିଷ୍ଠ ଅଧିକାରୀ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା ଓ ଅପଡେଟ୍ ସେୟାର କରି ପାରନ୍ତି, ଯାହା ଆଗାମୀ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ସଂପର୍କିତ ହୋଇ ପାରେ।
ଏହା ବ୍ୟତୀତ ‘ଭୋଟ ଚୋରି ’ର ଗୁରୁତର ଅଭିଯୋଗରେ ଘେରି ହୋଇଥିବା ଭାରତୀୟ ନିର୍ବାଚନ କମିଶନ ଏବେ ଏହି ଅଭିଯୋଗରେ ନିଜର ସ୍ଥିତି ସ୍ପଷ୍ଟ କରି ପାରନ୍ତି। ଉଲ୍ଲେଖନୀୟ ଯେ, ଏହି ସାମ୍ୱାଦିକ ସମ୍ମିଳନୀ ଏମିତି ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ବିରୋଧୀ ଦଳ , ବିଶେଷକରି କଂଗ୍ରେସ ଓ ତାର ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଭୋଟ ଚୋରି ଓ ଜାଲିଆତିର ଅଭିଯୋଗ ଲଗେଇ କମିଶନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଗତ କିଛି ମାସରୁ , ବିଶେଷ ରୂପେ ୨୦୨୪ର ଲୋକସଭା ନିର୍ବାଚନ ଓ ଏହାପରେ ହୋଇଥିବା ବିଧାନସଭା ନିର୍ବାଚନ ପରେ , ବିରୋଧୀ ଦଳମାନେ ଭୋଟର ତାଲିକାରେ ବ୍ୟାପକ ସ୍ତରରେ ଅନିୟମିତତାର ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ ଅଗଷ୍ଟରେ ନୂଆ ଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏକ ବିସ୍ଫୋରକ ବୟାନ ଦେଇଥିଲେ। କର୍ଣ୍ଣାଟକର ବେଙ୍ଗାଲୁରୁ ମଧ୍ୟ ଲୋକସଭା ସିଟ୍ର ମହାଦେବପୁରା ବିଧାନସଭା ଅଞ୍ଚଳର ଉଲ୍ଲେଖ କରି ,ପାଖାପାଖି ୧,୦୦,୨୫୦ ଭୋଟରଙ୍କ ନାମ ଥିବା ଭଳି ଗୁରୁତର ଅଭିଯୋଗ କରିଥିଲେ। ରାହୁଲ ଏହା ମଧ୍ୟ କହିଥିଲେ ,ଯଦି ଏହି ଜାଲିଆତି ନହୋଇ ଥାନ୍ତା , ତ କଂଗ୍ରେସ କର୍ଣ୍ଣାଟକରେ ୧୬ଟି ଲୋକସଭା ସିଟ୍ ଜିତିପାରି ଥାନ୍ତା , କିନ୍ତୁ ତାକୁ କେବଳ ୯ଟି ସିଟ୍ ମିଳିଥିଲା।
ଏହା ବ୍ୟତୀତ , ରାହୁଲ ଗାନ୍ଧୀ ମହାରାଷ୍ଟ୍ର ଓ ହରିଆଣାର ନିର୍ବାଚନରେ ମଧ୍ୟ ଭୋଟର ତାଲିକାରେ ଅନିୟମିତତାର ଦାବି କରିଛନ୍ତି , ଯେଉଁଥିରେ ୫ମାସରେ ଅସାମାନ୍ୟ ଭାବେ ଲକ୍ଷଲକ୍ଷ ଭୋଟରଙ୍କ ନାଁ ଯୋଡ଼ା ଯିବାର କଥା କୁହାଯାଇଛି। ସେ ନିର୍ବାଚନ କମିଶନ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ମିଶି ଥିବା ଅଭିଯୋଗ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, କମିଶନ ଡିଜିଟାଲ ଓ ମେସିନ –ରିଡେବଲ ଭୋଟର ତାଲିକା ସାର୍ବଜନିକ କରନ୍ତୁ।
ହେଲେ , ପ୍ରେସ୍ କନଫରେନ୍ସର ଏଜେଣ୍ଡା ବିଷୟରେ ଏବେସୁଦ୍ଧା କୌଣସି ଅଫିସିଆଲି ସୂଚନା ସେୟାର କରାଯାଇ ନାହିଁ , କିନ୍ତୁ କୁହାଯାଉଛି ଯେ, ନିର୍ବାଚନ କମିଶନ କଂଗ୍ରେସ ପାର୍ଟି ଦ୍ୱାରା ଲଗାଯାଉ ଥିବା ଭୋଟ ଚୋରି ଅଭିଯୋଗ ଉପରେ ଜବାବ ଦେଇପାରେ।