ନୂଆଦିଲ୍ଲୀ: ଅବକାରୀ ଘୋଟାଲାରେ ଛତିଶଗଡ଼ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ ପୁଅଙ୍କ ଠିକଣାରେ ଇଡି ରେଡ୍ । ଜାତୀୟ ଯାଞ୍ଚ ଏଜେନ୍ସି ଚୈତନ୍ୟ ବଘେଲଙ୍କ ବାସଭବନ ସହିତ ୧୫ଟି ଠିକଣାରେ ଛାପାମାରୀ କରିଛି । ଛତିଶଗଡ଼ର ମଦ ଦୁର୍ନୀତି ମାମଲାରେ ଚୈତନ୍ୟ ବାଘେଲଙ୍କ ଲିଙ୍କ୍ ଥିବା ନେଇ ଅଭିଯୋଗ ଆସିବା ପରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରୁଛି ଇଡି ।
ସୂଚନା ଅନୁଯାୟୀ, ଛତିଶଗଡ଼ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ନେଇଛି । ୨୦୨୪ରେ ଯାଞ୍ଚ ଏଜେନ୍ସି ପୂର୍ବତନ ଆଇଏଏସ ଅନିଲ ଟୁଟେଜା ଏବଂ ରାୟପୁର ମେୟର ଏଜାଜ ଢେବରଙ୍କ ଭାଇ ଅନଓ୍ବର ଢେବରଙ୍କ ସମେତ ଏକାଧିକ ଅଭିଯୁକ୍ତଙ୍କ ୧୮ ସ୍ଥାବର ଏବଂ ୧୬୧ ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨୦୫.୯ କୋଟି ଟଙ୍କା ହେବ ।
ଛତିଶଗଡ଼ରେ ଯେଉଁ ସବୁ ଅଭିଯୁକ୍ତଙ୍କ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି, ସେମାନଙ୍କ ମଧ୍ୟରେ ପୂର୍ବତନ ଆଇଏଏସ ଅନିଲ ଟୁଟେଜାଙ୍କ ୧୪ ସମ୍ପତ୍ତି ସାମିଲ୍ ରହିଛି । ଯାହାର ଆନୁମାନିକ ମୂଲ୍ୟ ୧୫.୮୨ କୋଟି ଟଙ୍କା ହେବ । ୧୧୫ ସମ୍ପତ୍ତି ଅନଓ୍ବପ ଢେବରଙ୍କ ନାଁରେ ରହିଛି । ଯାହାର ମୂଲ୍ୟ ପ୍ରାୟ ୧୧୬.୧୬ କୋଟି ଟଙ୍କା ହେବ । ଏହାସହିତ ବିକାଶ ଅଗ୍ରଓ୍ବାଲଙ୍କ ୩ ସମ୍ପତ୍ତି ରହିଛି ଆଟାଚ୍ କରିଛି ଇଡି ଟିମ୍ ।
ଇଡି ମୁତାବକ, ୨୦୧୭ରେ ଛତିଶଗଡ଼ରେ ମଦ କ୍ରୟ ଏବଂ ବିକ୍ରି ପାଇଁ CSMCL ଗଠନ କରାଯାଇଥିଲା । ମାତ୍ର ସରକାର ବଦଳିବା ପରେ ଏହି ସଣ୍ଡିକେଟ୍ ଏକ ଟୁଲ୍ ହୋଇ ରହିଗଲା । ଅଭିଯୋଗ ଅନୁଯାୟୀ, CSMCL ସହିତ ସମସ୍ତ କାର୍ଯ୍ୟ ଏହି ସଣ୍ଡିକେଟ୍ ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ଦିଆଯାଇଥିଲା । ତେଣୁ ସିଣ୍ଡିକେଟ୍ ସସଦ୍ୟ ମାନେ ଏହାର ଫାଇଦା ଉଠାଇଥିଲେ । ବେଆଇନ ଭାବେ ମଦ ବିକ୍ରି କରି କମିଶନ କମାଇଥିବା ଅଭିଯୋଗ କରିଛି ପ୍ରଦର୍ଶନ ନିର୍ଦ୍ଦେଶଳୟ ଟିମ୍ ।