କର୍ଣ୍ଣାଟକ ନିର୍ବାଚନରେ ହୋଇଛି ଘୋଟାଲା, ୧ ଲକ୍ଷ ଭୋଟର ନକଲି ଥିଲେ: ରାହୁଲ ଗାନ୍ଧୀଙ୍କ ସଂଘାତିକ ଅଭିଯୋଗ

Published By : Prameya-News7 Bureau | August 07, 2025 IST

indiatoday

ନୂଆଦିଲ୍ଲୀ: ଗୁରୁବାର ଇଲେକ୍ସନ କମିଶନଙ୍କ ଉପରେ ଶାଣିତ ଆକ୍ରମଣ କରିଛନ୍ତି  ରାହୁଲ ଗାନ୍ଧୀ। ଇଲେକ୍ସନ ବିଜେପି ସହ ମିଶି ଦେଶରେ ନିର୍ବାଚନ ଚୋରି କରିବାକୁ ଚାହୁଁଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଇଲେକ୍ସନ କମିଶନଙ୍କ ଉପରେ ଏଭଳି ଆକ୍ରମଣ କରିଛନ୍ତି ରାହୁଲ। ଭୋଟର ତାଲିକାରେ ନକଲି ଲୋକଙ୍କୁ ଯୋଡାଯାଉଛି ଏବଂ କର୍ଣ୍ଣାଟକର ଭୋଟର ତାଲିକା ଦେଖାଇ ତାଙ୍କ ମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ରାହୁଲ କହିଛନ୍ତି।  

ବାଙ୍ଗାଲୋର ସେଣ୍ଟ୍ରାଲ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ "ଭୟଙ୍କର ଚୋରି" (ବ୍ୟାପକ ପରିମାଣର ଭୋଟ ଚୋରି) ହୋଇଛି। ୬.୫ ଲକ୍ଷ ଭୋଟର ମଧ୍ୟରୁ ୧ ଲକ୍ଷ ଭୋଟ ଚୋରି ହୋଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି "କର୍ଣ୍ଣାଟକର ମହାଦେବପୁରା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଏକ ଆଭ୍ୟନ୍ତରୀଣ ଅନୁସନ୍ଧାନରୁ ଏକ ଲକ୍ଷରୁ ଅଧିକ ଡୁପ୍ଲିକେଟ୍ ଭୋଟର, ସେମାନଙ୍କର ଅବୈଧ ଠିକଣା ଆଦି ମିଳିଛି।"

ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନରେ ୨୦୨୪ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କଂଗ୍ରେସ ର ମନସୁର ଅଲ୍ଲୀ ଖାନ ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଆଗୁଆ ଚାଲିଥିଲେ। ହେଲେ ଶେଷ ବେଳକୁ ବିଜେପିର ପିସି ମୋହନ ୩୨ ,୭୦୭ ଆସନରେ ବିଜୟୀ ହୋଇଥିଲେ। 

କଂଗ୍ରେସକୁ ୬,୨୬,୨୦୮ ଭୋଟ ମିଳିଥିବା ବେଳେ ବିଜେପିକୁ ୬,୫୮,୯୧୫ ଭୋଟ ମିଳିଥିଲା। ଗାନ୍ଧୀ ଦର୍ଶାଇଛନ୍ତି ଯେ କଂଗ୍ରେସ ୭ଟି ଆସନରୁ ୬ଟି ଜିତିଥିଲେ ମଧ୍ୟ ମହାଦେବପୁରା ଆସନରେ ହାରିଯାଇଥିଲା। ସେତେବେଳେ ଦଳ ଏଠାରେ ୧,୧୪,୦୦୦ ଭୋଟରେ ପରାଜିତ ହୋଇଥିଲା।

ରାହୁଲ ଦାବି କରିଛନ୍ତି ଯେ ୧,୦୦,୨୫୦ ଭୋଟର ଚୋରି ହୋଇଛି। ଯେଉଁଥିରେ ୧୧,୯୬୫ ଡୁପ୍ଲିକେଟ୍ ଭୋଟର, ୪୦,୦୦୯ ଭୋଟର ଜାଲ୍ ଏବଂ ଅବୈଧ ଠିକଣା ଥିବା ଲୋକ, ୧୦,୪୫୨ ବଲ୍କ ଭୋଟର କିମ୍ବା ସିଙ୍ଗଲ ଆଡ୍ରେସ୍ ଭୋଟର, ଡୁପ୍ଲିକେଟ୍ ଫଟୋ ଥିବା ୪,୧୩୨ ଭୋଟର ଥିଲେ। ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ୩୩,୬୯୨ ଭୋଟର ନୂଆ କିମ୍ବା ପ୍ରଥମ ଥର ପାଇଁ ଭୋଟରଙ୍କ ପାଇଁ ଉଦ୍ଦିଷ୍ଠ ଥିବା ଫର୍ମ ୬ର ଅପବ୍ୟବହାର କରିଥିଲେ।

ଇଲେକ୍ସନ କମିଶନ ଇଲେକ୍ଟ୍ରୋନିକ୍ସ ଫର୍ମାଟ୍‌ରେ ଭୋଟର ଲିଷ୍ଟ ଦିଅନ୍ତୁ। ୩୦ ସେକେଣ୍ଡର ସତ ଉଜାଗର ହୋଇଯିବ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଇସି କାହିଁକି ଏହା ଦେଉ ନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ତେଣୁ ଭୋଟର ଲିଷ୍ଟ ଦେବାକୁସେ ଇଲେକ୍ସନ କମିଶନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.