News7 Logo

ଘଣ୍ଟାଏ ବର୍ଷାରେ ଆଣ୍ଠୁଏ ପାଣି, ସମଲେଶ୍ୱରୀ ମନ୍ଦିର ଗର୍ଭ ଗୃହରେ ପଶିଲା ଡ୍ରେନେଜ୍ ପାଣି

NEWS7
MANDIR

ବଲାଙ୍ଗୀର: ଘଣ୍ଟାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି । ଅସ୍ତବ୍ୟସ୍ତ ହୋଇଗଲା ଜନଜୀବନ । ସ୍ଥିତି ଏପରି ଯେ, ବଲାଙ୍ଗୀରର ମା ସମଲେଶ୍ୱରୀ ମନ୍ଦିର ଭିତରେ ଓ ଗର୍ଭ ଗୃହରେ ବର୍ଷା ଏବଂ ଡ୍ରେନେଜ୍ ପାଣି ପଶିଛି । ଏକ ଘଣ୍ଟା ବର୍ଷାର ଲଗାଣ ବର୍ଷାରେ ବେହାଲ ପୂରା ଅଞ୍ଚଳ । ବର୍ଷା ଛାଡ଼ିବା ପରେ ଗର୍ଭ ଗୃହରୁ ପାଣି ବାହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମା ସମଲେଶ୍ୱରୀଙ୍କ ମନ୍ଦିରରେ ବର୍ଷା ପାଣି ପଶିବା ପ୍ରଥମ ଘଟଣା ନୁହେଁ । ବର୍ଷ ବର୍ଷ ଧରି ମା ସମଲେଶ୍ୱରୀ ମନ୍ଦିରରେ ଏଭଳି ପରିସ୍ଥିତି ରହିଛି । ଲଗାଣ ବର୍ଷା ହେଲେ ମନ୍ଦିର ଓ ଗର୍ଭ ଗୃହ ଭିତରେ ଡ୍ରେନେଜ ଏବଂ ବର୍ଷା ପାଣି ପଶୁଛି । ରାସ୍ତା ଉଚ୍ଚତା ଅଧିକ ଥିବା ବେଳେ ମନ୍ଦିର ତଳେ ରହିଥିବାରୁ ବାରମ୍ୱାର ଏଭଳି ସ୍ଥିତି ଉପୁଜୁଛି । ଡ୍ରେନେଜ ପାଣି ପଶିବା କାରଣରୁ ମାଙ୍କ ନୀତିକାନ୍ତିରେ ବ୍ୟାହତ ହେଉଛି । ମନ୍ଦିର ଉନ୍ନତି ଓ ନିର୍ମାଣ ପାଇଁ ୩ କୋଟି ଟଙ୍କା ଆସିଥିଲା । କିଛି କାମ ହୋଇଥିବା ବେଳେ ଜବର ଦଖଲ ପାଇଁ ମନ୍ଦିର କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ସେପଟେ ମନ୍ଦିରର ଅସମ୍ପୂର୍ଣ୍ଣ କାମକୁ ନେଇ ଅସନ୍ତୋଷ ଦେଖାଦେଇଛି ।