ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ, ସବୁ ରାଜ୍ୟ ରାଜପଥକୁ ୪ ଲେନ୍ କରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

NEWS7
dont-know-which-planet-she-is-living-on-priyanka-gandhi-taunts-nirmala-sitharaman-in-parliament--

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ କାର୍ଯ୍ୟର ଗତିକୁ ବଢ଼ାଇବାକୁ ପଡ଼ିବ। ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେଲେ ସବୁ ରାସ୍ତାଘାଟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ। ଏଥି ଲାଗି ଆଧୁନିକ ସଫ୍ଟୱେର ଓ ଜ୍ଞାନକୌଶଳକୁ ଉପଯୋଗ କରି ନିଜର ଦକ୍ଷତାର ପରିଚୟ ଦେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ଅପରାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ମନ୍ତ୍ରୀ ହରିଚନ୍ଦନ କହିଲେ ଯେ କେବଳ ବଡ଼ ବଡ଼ ସହରର ଉନ୍ନୟନ ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ ନାହିଁ। ଏଥି ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତି ସହରକୁୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରିବାକୁ ପଡ଼ିବ। ବିଶେଷ କରି, ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍ରୋଡ୍ ନିର୍ମାଣ କରିବା ନେଇ ଯୋଜନା ପ୍ରସ୍ତୁତ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶାକୁ ଯୋଗାଯୋଗ ସୁଦୃଢ଼ିକରଣ ପାଇଁ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି ରାଜ୍ୟର ସବୁକୋଣକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍ କରିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ୍ ସାହାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରୋଡ୍ ଓ ଲେଫ୍ଟ ପାରାଲାଲ ରୋଡ୍, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ-ଫୁଲନଖରା ରୋଡ୍, ପଳାଶୁଣି ଠାରୁ ଗ୍ୟାରେଜ୍ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍ ରୋଡ୍, କାଇମାଟିଆ ଛକରୁ ଗୋଠପାଟଣା ରାସ୍ତା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତିକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା ।

ସେହିପରି ପ୍ରମୁଖ ଜାତୀୟ ରାଜପଥ ଯଥା କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ, ପିପିଲି-କୋଣାର୍କ ରାସ୍ତାର ନୂଆ ଆଲାଇନ୍ମେଣ୍ଟ, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍ ଓ ବଲାଙ୍ଗିର ବାଇପାସ୍ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍) ଇଂ ଧ୍ୟାନଚାନ୍ଦ ନାୟକ, ଜାତୀୟ ରାଜପଥ ପ୍ରାଧିକରଣ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।