ନୂଆଦିଲ୍ଲୀ ୧୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ନେଇ ଉଭୟ ଦେଶର ସାହସିକତା ଏବଂ ନିର୍ଣ୍ଣାୟକ ଭୂମିକାର ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ କରାଯାଇଥିବା ଏକ ପୋଷ୍ଟରେ ଟ୍ରମ୍ପ୍ ଏହି ପଦକ୍ଷେପକୁ ଐତିହାସିକ ଏବଂ ମାନବୀୟ ଆଖ୍ୟା ଦେଇଛନ୍ତି । ଏହାସହ ଆମେରିକାର ଭୂମିକାକୁ ମଧ୍ୟ ନିର୍ଣ୍ଣାୟକ ସହଯୋଗୀ ଭାବେ ଉପସ୍ଥାପିତ କରିଛନ୍ତି ।
ଏହି ନିଷ୍ପତ୍ତି କେବଳ ସାହସିକତା ନୁହେଁ ବରଂ ଉଭୟ ଦେଶର ଐତିହ୍ୟକୁ ଅଧିକ ଗୌରବମୟ କରିଛି । ଟ୍ରମ୍ପ୍ କହିଛନ୍ତି, ଏଭଳି ଐତିହାସିକ ଏବଂ ବୀରତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆମେରିକା ଉଭୟ ଦେଶକୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବାରୁ ମୁଁ ଗର୍ବିତ । ନିଜ ପୋଷ୍ଟରେ ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଭାରତ ଏବଂ ପାକିସ୍ତାନ ସହ ମିଶି କାଶ୍ମୀର ପ୍ରସଙ୍ଗର ଦୀର୍ଘକାଳୀନ ସମାଧାନ ଖୋଜିବାକୁ ଚେଷ୍ଟା କରିବ । ସେ ଆହୁରି ମଧ୍ୟ କରିଛନ୍ତି, ହୁଏତ ୧୦୦୦ ବର୍ଷ ପରେ ଏବେ ସମୟ ଆସିଛି ଆମେ ଏହି ଐତିହାସିକ ବିବାଦର ସମାଧାନ ଖୋଜିବା । ଯଦିଓ ଟ୍ରମ୍ପ୍ ଏହା ଭୁଲିଗଲେ ଯେ, କାଶ୍ମୀର ସମ୍ପର୍କରେ ଭାରତର ସ୍ପଷ୍ଟ ନୀତି ରହିଛି ଯେ, ଏହା ଭାରତର ଆନ୍ତରିକ ମାମଲା ।
ଡୋନାଲ୍ଡ ଟ୍ରମ୍ପ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଏବେ ଭାରତ-ପାକିସ୍ତାନ ଉଭୟ ଦେଶ ସହ ବ୍ୟବସାୟିକ ସମ୍ପର୍କକୁ ମହତ୍ବପୂର୍ଣ୍ଣ ଭାବେ ବୃଦ୍ଧି କରିବେ । ଯଦିଓ ଏ ସମ୍ପର୍କରେ କୌଣସି ଔପଚାରିକ ଚର୍ଚ୍ଚା ହୋଇନାହିଁ କିନ୍ତୁ ଏହା ସ୍ପଷ୍ଟ ଯେ, ଆମେରିକା ଉଭୟ ଦେଶ ସହ ବ୍ୟବସାୟ ବୃଦ୍ଧି କରିବାକୁ ଯାଉଛି ।
You Can Read: