ନୂଆଦିଲ୍ଲୀ: ବତ୍ୟା ଡଲଫିନ୍‌ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷତି ଘଟିଛି। ଏହା ପୂର୍ବରୁ ସରକାର ସେଠାରେ 'ରେଡ୍ ଆଲର୍ଟ' ଜାରି କରିଥିଲେ। ପ୍ରବଳ ପବନ ଓ ବର୍ଷା ଯୋଗୁଁ ୧,୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହେବା ସହ ରେଳ ଓ ଡଙ୍ଗା ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଚୀନ୍ ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସ୍ଥାନୀୟ ସମୟ ସନ୍ଧ୍ୟା ୫:୩୦ରେ ଜେଜିଆଙ୍ଗ ପ୍ରଦେଶର ତାଇଜୋ ଉପକୂଳରେ ଏହି ଟାଇଫୁନ୍ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହି ସମୟରେ କେନ୍ଦ୍ରସ୍ଥଳ ନିକଟରେ ପବନର ବେଗ ଘଣ୍ଟାପ୍ରତି ୪୨ ମିଟର (ପ୍ରାୟ ୯୪ ମାଇଲ୍) ରହିଥିଲା।

ପ୍ରକୋପକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ 'ରେଡ୍ ଆଲର୍ଟ' ଜାରି କରିଛି। ଜୁଲାଇ ଶେଷ ସପ୍ତାହରେ ଆସିଥିବା 'ଟାଇଫୁନ୍ ନୌଲ୍' ପରେ ଏହି ବର୍ଷ ଚୀନ୍‌ରେ ଜାରି ହୋଇଥିବା ଏହା ଦ୍ୱିତୀୟ ସର୍ବୋଚ୍ଚ ସତର୍କ ସୂଚନା। ବିମାନ, ରେଳ ଓ ପରିବହନ ସେବା ପ୍ରଭାବିତ ହୋଇଛି ।  ସାଂଘାଇର ଦୁଇଟି ମୁଖ୍ୟ ବିମାନବନ୍ଦରରୁ ମୋଟ ୧,୩୮୪ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ସେହିପରି ହାଙ୍ଗଜୋରୁ ୩୦୦ରୁ ଅଧିକ ଏବଂ ନିଙ୍ଗବୋ ଲିସେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଧ୍ୟ ଅନେକ ଉଡ଼ାଣ ବାତିଲ ହୋଇଛି।

ସାଂଘାଇରେ ଫେରୀ ସେବା, କିଛି ସବୱେ ଲାଇନ୍ ଏବଂ ଦୂରଗାମୀ ବସ୍ ସେବା ବନ୍ଦ କରିଦିଆଯାଇଛି। ୟାଙ୍ଗଜି ନଦୀ ଡେଲ୍ଟା ଅଞ୍ଚଳରେ ଟ୍ରେନ୍ ଚଳାଚଳ ଆଂଶିକ ବନ୍ଦ ରହିଛି ଏବଂ ଏହି ବନ୍ଦ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଜାରି ରହିପାରେ। ସାଂଘାଇ ନିକଟସ୍ଥ ଜୁଶାନ୍ ବନ୍ଦର (ଚୀନର ସବୁଠାରୁ ବଡ଼ ଜାହାଜ ଇନ୍ଧନ କେନ୍ଦ୍ର) ସମେତ ଅନ୍ୟାନ୍ୟ ବନ୍ଦରଗୁଡ଼ିକରେ କାର୍ଯ୍ୟ ବନ୍ଦ ରଖାଯାଇଛି। ବାତ୍ୟାର ଭୟାବହତାକୁ ଆଖି ଆଗରେ ରଖି ସାଂଘାଇରୁ ୧ ଲକ୍ଷରୁ ଅଧିକ ଏବଂ ତାଇଜୋ ଅଞ୍ଚଳରୁ ପ୍ରାୟ ୩,୯୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

ଜୁଲାଇ ମାସରୁ ଚୀନର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ଫସଲ କ୍ଷତି ଯୋଗୁଁ ବ୍ୟାପକ ଆର୍ଥିକ କ୍ଷତି ଘଟିଛି। ବର୍ତ୍ତମାନ ଏହି ଟାଇଫୁନ୍ ପ୍ରଭାବରେ ଫୁଜିଆନ୍, ଜେଜିଆଙ୍ଗ, ସାଂଘାଇ, ଜିଆଙ୍ଗସୁ, ହେବେଇ, ବେଜିଂ ଏବଂ ତିଆଞ୍ଜିନରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।