ଲୋକେ ମରୁଥିଲେ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା...ବେଙ୍ଗାଲୁରୁରେ ଦଳାକଟକା ପାଇଁ କ୍ଷମା ମାଗିଲେ ଡିକେ ଶିବକୁମାର

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଆରସିବିର ବିଜୟ ଉତ୍ସବ ଲୋକଙ୍କୁ ଦୁଃଖରେ ଭରି ଦେଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଲୋକଙ୍କ ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଅନେକ ଲୋକ ଆହତ ହୋଇଛନ୍ତି । ଲୋକଙ୍କ ଜୀବନ ଯାଉଥିଲା, ସେପଟେ କିନ୍ତୁ ସେଲିବ୍ରେସନ୍ ଚାଲିଥିଲା । ବେଙ୍ଗାଲୁରୁରେ ମୃତ୍ୟୁର ତାଣ୍ଡବ ଭିତରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୟାନ ସାମନାକୁ ଆସିଛି । ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ଏହି ଘଟଣା ଘଟିଛି ବୋଲି ସେ କହିଛନ୍ତି ।

ଶିବକୁମାର କହିଛନ୍ତି, 'ବେଙ୍ଗାଲୁରୁ ଓ କର୍ଣ୍ଣାଟକର ସମସ୍ତ ଲୋକଙ୍କୁ କ୍ଷମା ମାଗୁଛି । ଆମେ ଏକ ପରେଡ୍ ବାହାର କରିବାକୁ ଚାହୁଁଥିଲୁ, କିନ୍ତୁ ଭିଡ଼ ଅନିୟନ୍ତ୍ରିତ ଥିଲା ।' ତେବେ ନିଜ ବୟାନରେ ସେ କୋହଲି ଓ ଆରସିବି ଟିମକୁ ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ଆମେ ଆରସିବି ଓ କର୍ଣ୍ଣାଟକକୁ ନେଇ ଗର୍ବିତ । ୧୮ ବର୍ଷ, ଏକ ଦୀର୍ଘ ସଂଘର୍ଷ । କୋହଲିଙ୍କ ସଚ୍ଚୋଟତା ରୟାଲ୍ଟି ଫେରାଇଛି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୦ ଜଣଙ୍କ ମୃତ୍ୟୁ ପରେ ବି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜାରି ରହିଥିଲା । ତେଣୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଲୋକଙ୍କ ଜୀବନ ନେଇଥିବା ଏହି ଉତ୍ସବ ପାଇଁ ଦାୟୀ କିଏ ? ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଆହୁରି ବଢିପାରେ ।

ଏହି ଘଟଣା ପରେ ବିଜେପି ଲଗାତାର କଂଗ୍ରେସକୁ ଘେରୁଛି । ବିଜେପି କହିଛି ଯେ କଂଗ୍ରେସ ସରକାରର ଦାୟିତ୍ୱହୀନତା ଯୋଗୁ ଲୋକଙ୍କ ଜୀବନ ଯାଇଛି । କଂଗ୍ରେସ ସରକାର କୌଣସି ବ୍ୟବସ୍ଥା କରିନଥିଲେ । ରାଜ୍ୟ ସରକାର ଭିଡ଼ ନିୟନ୍ତ୍ରଣ କରିପାରିଲା ନାହିଁ । ଏହି ପୂରା ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.