କଟକ: କଟକ ଦଶହରା ପାଇଁ ଜିଲ୍ଲା ପ୍ରଶାସନ ଜାରି କରିଥିବା ଏସଓପିକୁ କାଏମ ରଖିଛନ୍ତି ହାଇକୋର୍ଟ। କିନ୍ତୁ ସାଜସଜ୍ଜା ଠାରୁ ଆରମ୍ଭ କରି ତୋରଣ ନିର୍ମାଣ କାର୍ଯ୍ୟ ସବୁ କିଛି ରାତିରେ ହେବ।  ପୂଜା ସରିବାର ନିର୍ଦ୍ଧିଷ୍ଟ ଅବଧି ଭିତରେ ସମସ୍ତ ତୋରଣ ଖୋଲିବାକୁ ହେବ ବୋଲି କହିଛନ୍ତି ହାଇକୋର୍ଟ। ତେବେ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ପୂର୍ବରୁ ଯେଉଁ କଟକଣା ଜାରିହୋଇଛି ତାହା ବଳବତ୍ତର ରହିଛି। କୌଣସି ପରିସ୍ଥିତିରେ ଡିଜେ ବାଜିବ ନାହିଁ ଏବଂ ଉଚ୍ଚାରିତ ଶବ୍ଦ ୬୫ ଡେସିବଲ ଭିତରେ ସୀମିତ ରଖିବାକୁ ଆଜି ପୋଲିସକୁ ନିର୍ଦେଶ ହୋଇଛି।

ଦଶହରା ପାଳନ ଲାଗି ନିକଟରେ ଜିଲ୍ଲାପାଳ ଏସଓପି ଜାରି କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୂଜା ମଣ୍ଡପରେ ହେବାକୁ ଥିବା ସାଜସଜ୍ଜା ଏବଂ ତୋରଣ ନିର୍ମାଣ ଲାଗି ପ୍ରଥମେ ଡିଜାଇନ ପ୍ରସ୍ତୁତ କରିବାକୁ ହେବ। ତାକୁ ନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ, ସିଏମସି ଏବଂ ଅଗ୍ନିଶମ ବାହିନୀ କ୍ଳିଅରାନ୍ସ ଦେବା ପରେ ନିର୍ମାଣ କାମ ହେବ। ପରେ ଉକ୍ତ ନିର୍ମାଣ କାର୍ଯ୍ୟର ତଦାରଖ କରାଯାଇ ଏନଓସି ପ୍ରଦାନ କରାଯିବ। ତେବେ ପାର୍ବଣ ବେଳେ ଯେପରି ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ନହେବ ସେନେଇ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବାଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଆଜି ଡିସିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ସୂଚନାଯୋଗ୍ୟ, ଦୁର୍ଗା ପୂଜା ପାଇଁ ଐତିହାସିକ କଟକ ସହରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ତିଆରି ଚାଲିଛି। ତେବେ କେମିତି ପାର୍ବଣ ଶୃଙ୍ଖଳାର ସହ ସୁବ୍ୟବସ୍ଥିତ ଢଙ୍ଗରେ ହେବ ସେ ଉପରେ ହାଇକୋର୍ଟଙ୍କ ସହ କଟକ ଜିଲ୍ଲା ପ୍ରଶାସନ ଗୁରୁତ୍ଵାରୋପ କରିଛନ୍ତି। ପରିମଳ ସ୍ଵଚ୍ଛତା ନେଇ ସିଏମସି ଅଣ୍ଟା ଭିଡ଼ିଛି।