LIVE TV

ତେଲଗୁ ଅଭିନେତ୍ରୀଙ୍କ ନାଁରେ ସଂଗୀନ ଆରୋପ,ସ୍ବାମୀଙ୍କ ସହ ମିଶି ଘରୋଇ ସହାୟିକାଙ୍କୁ ଦେଉଛନ୍ତି ନିର୍ଯାତନା

NEWS7
dimple hayathi

ହାଇଦ୍ରାବାଦ ୦୧/୧୦: ଅଡୁଆରେ ତାମିଲ ଓ ତେଲ୍‌ଗୁ ଫିଲ୍ମ ଅଭିନେତ୍ରୀ ଡିମ୍ପଲ ହାୟାତି । ହାଇଦ୍ରାବାଦ ପୋଲିସ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀ ଡେଭିଡଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦଂପତ୍ତିଙ୍କ ଘରେ ରହୁଥିବା ସହାୟିକା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଉତ୍ପୀଡନ, ମାରପିଟ ଓ ଦୁର୍ବ୍ୟବହାରର ଅଭିଯୋଗ ଆଣି ଫିଲ୍ମ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି । ୨୨ ବର୍ଷୀୟ ପୀଡିତାଙ୍କର ଘର ରାୟଗଡା ଜିଲ୍ଲାରେ । ସେ ରୋଜଗାର ପାଇଁ ଓଡ଼ିଶା ଛାଡି ହାଇଦ୍ରାବାଦ ଯାଇଥିଲେ । ସେଠାରେ ସେ ଅଭିନେତ୍ରୀ ଡିମ୍ପଲ ହାୟାତିଙ୍କ ଘରେ ସହାୟକ ଭାବରେ କାମ କରୁଥିଲେ ।

ତେବେ ଅଭିନେତ୍ରୀ ଓ ତାଙ୍କ ସ୍ବାମୀ ପୀଡିତାଙ୍କୁ ଦେଉଥିଲେ ନିର୍ଯାତନା । ପ୍ରଥମେ ପ୍ରଥମେ ସବୁ ଠିକ ଚାଲିଥିଲା । ଧିରେ ଧିରେ ଅସଲ ରୂପ ଦେଖାଇବା ଆରମ୍ଭ କରିଦେଇଥିଲେ ଉଭୟ । ପୀଡିତାଙ୍କୁ ନିର୍ଯାତନା ଦେବା ସହ ଖାଇବାକୁ ଦେଉନଥିଲେ । ମୋ ଜୀବନ ତାଙ୍କ ଜୋତା ସହ ସମାନ ନୁହେଁ ବୋଲି ମଧ୍ୟ କହୁଥିଲେ ।ଏତିକିରେ ମନ ଶାନ୍ତି ହେଲାନି ଯେ ଖରାପ ଭାଷାରେ ଗାଳିଗୁଲଜ ଶୁଣିବାକୁ ମିଳୁଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡିତା ।

ସୋମବାର ସଂଧ୍ୟା ପ୍ରାୟ ସାଢେ ୭ଟା ସମୟ । ଦଂପତ୍ତିଙ୍କ ପୋଷା କୁକୁର ଭୋକିବାରୁ ଡିମ୍ପଲ ଓ ଡେଭିଡ ପୀଡିତାଙ୍କ ଉପରେ ରାଗିଯାଇ ଖରାପ ବ୍ୟବହାର କରିଥିଲେ । ଯାହାର ଭିଡିଓ ରେକର୍ଡିଂ କରିବାରୁ ଡେଭିଡ ମୋବାଇଲ ଛଡାଇ ନେଇ ଫିଙ୍ଗିଦେଇଥିଲେ । ଏମିତିକି ମୋତେ ମାରିବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ଫିଲ୍ମ ନଗର ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ଡିମ୍ପଲ ଓ ଡେଭିଡଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌ ହୋଇଛି ।