ଟେରିଟୋରିଆଲ ଆର୍ମିରେ ଧୋନୀ ଓ ସଚ୍ଚିନଙ୍କ ସହିତ ଜାଣନ୍ତୁ କିଏ ସବୁ ଅଛନ୍ତି ଅଫିସର, ଯୁଦ୍ଧ ପାଇଁ ଆସିପାରେ ଡାକରା

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଣୁ ରକ୍ଷା ମନ୍ତ୍ରାଳୟ ମୁଖ୍ୟ ଟେରିଟୋରିଆଲ ଆର୍ମିର ଅଫିସର ଓ ଜବାନଙ୍କୁ ଆକ୍ଟିଭ ଡ୍ୟୁଟି ନିମନ୍ତେ ଡକାଇ ପାରନ୍ତି। ଟେରିଟୋରିଆଲ ଆର୍ମିରେ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯେପରିକି ମହେନ୍ଦ୍ର ସିଂହ ଧୋନୀ, ସଚ୍ଚିନ ପାଇଲଟ, କପିଲ ଦେବ, ଅଭିନବ ବିନ୍ଦ୍ରା, ମୋହନଲାଲ ଓ ଅନୁରାଗ ଠାକୁର ଆଦି ଅଫିସର ଅଛନ୍ତି। ଏଣୁ ଯୁଦ୍ଧପାଇଁ ସେମାନଙ୍କୁ ମଧ୍ୟ ଡାକରା ପଡିପାରେ। 

ଭାରତୀୟ ପ୍ରାଦେଶିକ ସେନା (ଟେରିଟୋରିଆଲ ଆର୍ମି) ଏକ ସ୍ୱେଚ୍ଛାକୃତ ସଙ୍ଗଠନ, ତେବେ ଏହା ରୋଜଗାରର ଗ୍ୟାରେଣ୍ଟି ଦିଏ ନାହିଁ। ଏହା କୌଣସି ନିୟମିତ ନିଯୁକ୍ତି ନୁହେଁ। ଦେଶର ସାଧାରଣ ନାଗରିକ ଚାହିଁଲେ ଟେରିଟୋରିଆଲ ଆର୍ମିରେ ଯୋଗଦେଇ ପାରିବେ। ତେବେ ଏଥି ପାଇଁ ବିଭିନ୍ନ କ୍ଷେତ୍ର ଯେପରିକି ଖେଳ, ରାଜନୀତି ଓ ମନୋରଞ୍ଜନରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଟେରିଟୋରିଆଲ ଆର୍ମିରେ ସମ୍ମାନଜନକ ନିଯୁକ୍ତି ଦିଆଯାଇଥାଏ। ତେବେ ଏପରି କେତେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଟେରିଟୋରିଆଲ ଆର୍ମିରେ ସେବା ଦେଉଛନ୍ତି ଆସନ୍ତୁ ଜାଣିବା। 

ମହେନ୍ଦ୍ର ସିଂହ ଧୋନୀ
ଭାରତୀୟ କ୍ରିକେଟର ପୂର୍ବତନ କ୍ୟାପ୍ଟେନ ତଥା ବିଶ୍ୱକପ୍ ବିଜେତା ଏମ.ଏସ.ଧୋନୀଙ୍କୁ ୨୦୧୧ ମସିହାରେ ଟେରିଟୋରିଆଲ ଆର୍ମିରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କ ଦିଆଯାଇଥିଲା। ସେ ପ୍ରାଦେଶିକ ସେନାର ପାରାଶୁଟ ରେଜିମେଣ୍ଟରେ ତାଙ୍କର ସେବା ଦେଇଛନ୍ତି। ଏଥି ପାଇଁ ସେ ସାମରିକ ପ୍ରଶିକ୍ଷଣ ମଧ୍ୟ ପ୍ରାପ୍ତ କରିଛନ୍ତି। ଧୋନୀ ୨୦୧୯ ମସିହାରେ ଜମ୍ମୁ-କାଶ୍ମୀରରେ ନିଜ ୟୁନିଟ୍ ସହିତ ସମୟ ଅତିବାହିତ କରିଥିଲେ। ଏଠାରେ ସେ ପାଟ୍ରୋଲିଂ ଓ ଅନ୍ୟ ସେନା ଗତିବିଦ୍ଧିରେ ମଧ୍ୟ ଅଂଶଗ୍ରହଣ କରିଥିଲେ। 

କପିଲ ଦେବ (କ୍ରିକେଟର) 
୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ୱକପ କ୍ରିକେଟ ଜିତାଇଥିବା କପିଲ ଦେବଙ୍କୁ ପ୍ରାଦେଶିକ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରାପ୍ତ ହୋଇଛି। ସେ ପ୍ରାଦେଶିକ ସେନାର ବ୍ରାଣ୍ଡ ଆମ୍ବାସେଡର ଭାବେ ମଧ୍ୟ ସକ୍ରିୟ ଥିଲେ। ତେବେ ସେ ନିୟମିତ ସାମରିକ ପ୍ରଶିକ୍ଷଣ ପ୍ରାପ୍ତ କରି ନାହାନ୍ତି। 

ଅଭିନବ ବିନ୍ଦ୍ରା (ତୀରନ୍ଦାଜ) 
ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ୨୦୧୧ ମସିହାରେ ପ୍ରାଦେଶିକ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କ ଦିଆଯାଇଥିଲା। ତାଙ୍କର ଏହି ନିଯୁକ୍ତି ଖେଳ ଓ ଦେଶ ସେବାପାଇଁ ତାଙ୍କ ଯୋଗଦାନକୁ ସମ୍ମାନୀତ କରିବା ପାଇଁ ଥିଲା। 

ମୋହନଲାଲ (ଅଭିନେତା)
ମାଲାୟଲମ ସିନେମାର ସୁପରଷ୍ଟାର ମୋହନଲାଲଙ୍କୁ ୨୦୦୯ ମସିହାରେ ପ୍ରାଦେଶିକ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ଦିଆଯାଇଥିଲା। ଭାରତୀୟ ସିନେମାରେ ମୋହନଲାଲ ହିଁ ଏକମାତ୍ର ଅଭିନେତା ଯାହାଙ୍କୁ ଏହି ସମ୍ମାନଜନକ ପଦବୀ ମିଳିଛି। ‘କିର୍ତ୍ତି ଚକ୍ର’ ଓ ‘କୁରୁକ୍ଷେତ୍ର’ ଫିଲ୍ମରେ ଅଭିନୟ କରିବା ପରେ ସେ ନିଜ ଆଡୁ ପ୍ରାଦେଶିକ ସେନାରେ ଯୋଗଦେବାକୁ ଇଛା ପ୍ରକାଶ କରିଥିଲେ ଓ ଏଥି ପାଇଁ ସେ ସାମରିକ ପ୍ରଶିକ୍ଷଣ ମଧ୍ୟ ଗ୍ରହଣ କରିଥିଲେ। 

ସଚ୍ଚିନ ପାଇଲଟ (ରାଜନେତା) 
କଂଗ୍ରେସ ନେତା ତଥାତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚ୍ଚିନ ପାଇଲଟ ୨୦୧୨ ମସିହାରେ ପ୍ରାଦେଶିକ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ ଯୋଗ ଦେଇଥିଲେ। ସିଏ ପ୍ରଥମ କେନ୍ଦ୍ରମନ୍ତ୍ରୀ ଥିଲେ ଯିଏ ପ୍ରାଦେଶିକ ସେନାରେ ଅଧିକାରୀ ହୋଇଥିଲେ। 

ଅନୁରାଗ ଠାକୁର (ରାଜନେତା) 

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର ୨୦୧୬ ମସିହାରେ ପ୍ରାଦେଶିକ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ ଯୋଗ ଦେଇଥିଲେ। ସେ ଏପରି ପ୍ରଥମ ବିଜେପି ନେତା ଯାହାଙ୍କୁ ପ୍ରାଦେଶିକ ସେନାରେ କମିଶନ ପ୍ରାପ୍ତ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.