'RSS କହିଲେ ମୁଁ ପଦ ଛାଡିଦେବି, କିନ୍ତୁ କାମ କରିବା ଜାରି ରହିବ' : ଅବସର ନେଇ ମୋହନ ଭାଗବତଙ୍କ ବୟାନ

NEWS7
dharmendra-pradhan-discuss-with-people-about-ujjala-yojna

ନାଗପୁର,|୦୨ : ସଙ୍ଘ କହିଲେ ତୁରନ୍ତ ପଦ ଛାଡ଼ିଦେବି । ସାଧାରଣତଃ ୭୫ ବର୍ଷ ପରେ ଆଉ କୌଣସି ପଦ ପଦବିରେ ରହିବା କଥା ନୁହେଁ । ଏକଥା ସମସ୍ତେ ଚର୍ଚ୍ଚା କରିଥାନ୍ତି । ଆରଏସଏସ ଯଦି କହିବ ତେବେ କିଛି ନଭାବି ସେ ତୁରନ୍ତ ପଦ ଛାଡିଦେବେ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସଂଘର ମୁଖ୍ୟ ହେବାର ମାପକାଠି ବ୍ରାହ୍ମଣ,କ୍ଷତ୍ରୀୟ,ବୈଶ୍ୟ କିମ୍ବା ଶୁଦ୍ର ନୁହେଁ । ହିନ୍ଦୁ ସଙ୍ଗଠନ ପାଇଁ କାମ କରୁଥିବା ଯେକୌଣସି ବ୍ୟକ୍ତି ସଂଘର ମୁଖ୍ୟ ହୋଇପାରିବେ ବୋଲି ମୁମ୍ବାଇରେ ଆୟୋଜିତ ସଙ୍ଘର ଶତାବ୍ଦୀ ସମାରୋହରେ ଯୋଗଦେବା ଅବସରରେ ଭାଗବତ ଏଭଳି କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ,ତାଙ୍କୁ ୭୫ ବର୍ଷ ପୂରିଲାଣି । ଏକଥା ସେ ସଂଘକୁ ଜଣାଇଛନ୍ତି,କିନ୍ତୁ ସଂଘ ତାଙ୍କୁ କାମ ଜାରି ରଖିବାକୁ କହିଛି । ଯେବେ ସଂଘ କହିବ ସେ ପଦ ଛାଡିଦେବେ । କିନ୍ତୁ କାମରୁ ଅବସର ନେବେ ନାହିଁ । ସେ କହିଛନ୍ତି ବୀର ସାଭରକରଙ୍କୁ ଭାରତରତ୍ନ ଦିଆଯିବା ଉଚିତ । ଏହାଦ୍ୱାରା ଏହି ପୁରସ୍କାରର ଗରିମା ବଢ଼ିବ । ସେହିଭଳି ୟୁସିସି ଉପରେ ସେ କହିଛନ୍ତି ସମାନ ନାଗରିକ ସଂହିତା ସମସ୍ତଙ୍କ ବିଶ୍ୱାସକୁ ନେଇ ପ୍ରସ୍ତୁତ କରାଯିବା ଉଚିତ । ୟୁସିସି ଦ୍ୱାରା ସମାଜରେ ମତଭେଦ ବଢ଼ିବା କଥା ନୁହେଁ । ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଭାରତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କରାଯାଇଥିବ । ଦେଶର କୌଣସି କ୍ଷତି ହେବ ନାହିଁ । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ତଡିବା ଉଚିତ । ପୂର୍ବରୁ ଏସବୁ ହୋଇପାରୁ ନଥିଲା । ବର୍ତ୍ତମାନ ଧୀରେ ଧୀରେ ଏସବୁ କରାଯାଉଛି ବୋଲି ଭାଗବତ କହିଛନ୍ତି । ଏହି ଅବସରରେ ଭାଗବତ ବାଂଲାଦେଶର ହିନ୍ଦୁମାନେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି ବାଂଲାଦେଶରେ ୧.୨୫ କୋଟି ହିନ୍ଦୁ ଅଛନ୍ତି । ସେମାନେ ଯଦି ଏକାଠି ହେବେ ରାଜନୈତିକ ବ୍ୟବସ୍ଥାକୁ ନିଜ ସୁବିଧା ତଥା ସୁରକ୍ଷା ଲାଗି ବ୍ୟବହାର କରିପାରିବେ । ସଂଘ ନିଜର ସୀମା ଭିତରେ ରହି ବାଂଲାଦେଶରେ ହିନ୍ଦୁଙ୍କ ଲାଗି ଯାହା ସମ୍ଭବ ତାହା କରିବ।

ଏହି ଖବରଟି ପଢନ୍ତୁ... ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ କିଛି ବିବାଦ ନାହିଁ, ଡ୍ରେସିଂ ରୁମରେ ସବୁ ଠିକ୍ ଅଛି- ମୁହଁ ଖୋଲିଲା ବିସିସିଆଇ

ଭାଗବତ ଆହୁରି ମଧ୍ୟ କହିଛନ୍ତି ଯେଆରଏସଏସ୍ ପ୍ରଚାର ପ୍ରସାର କରୁନି,ବରଂ ସମାଜରେ ସଂସ୍କାର ଆଣୁଛି । ଆବଶ୍ୟକତା ଠାରୁ ଅଧିକ ପ୍ରଚାର କେବଳ ଲୋକ ଦେଖାଣିଆ । ଏହାଦ୍ୱାରା ଅହଂକାର ବଢ଼ିବ । ସଂଘ ନିଜର ସ୍ୱୟଂସେବକଙ୍କ ଠାରୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ କାମ ନିଏ । ଆରଏସଏସ୍ ଇତିହାସରେ ଏଭଳି କେବେ ଘଟିନାହିଁ ଯେତେବେଳେ କି କାହାକୁ ବଳପୂର୍ବକ ଅବସର ଦିଆଯାଇଛି । ସଂଘର କାର୍ଯ୍ୟପ୍ରଣାଳୀରେ ଇଂରାଜୀ କେବେ ବି ମୁଖ୍ୟ ଭାଷା ହେବ ନାହିଁ । କାରଣ ଇଂରାଜୀ ଭାରତୀୟ ଭାଷା ନୁହେଁ । ଏହାକୁ ଇଂରେଜମାନେ ବ୍ୟବହାର କରୁଥିଲେ । ଆମକୁ ଇଂରାଜୀ ଶିଖିବାକୁ ହେବ । କିନ୍ତୁ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ ବୋଲି ଭାଗବତ କହିଛନ୍ତି ।