ଇରାନ ଯୁଦ୍ଧ ଯୋଗୁ ବନ୍ଦରରେ ଫସିଛି ୪ ଲକ୍ଷ ମେଟ୍ରିକ ଟନ୍ ଭାରତୀୟ ବାସୁମତୀ ଚାଉଳ, ରପ୍ତାନୀ ଉପରେ ପଡ଼ିପାରେ ବଡ଼ ପ୍ରଭାବ

NEWS7
dhanteras-delhi-bomb-blast-in-october-2005-

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା। ଇରାନ ଉପରେ ଇସ୍ରାଏଲ- ଆମେରିକାର ମିଳିତ ସାମରିକ ଅଭିଯାନ ଯୋଗୁ କେବଳ ଭୂରାଜନୈତିକ ପରିସ୍ଥିତି ନୁହେଁ ବରଂ ଭୟଙ୍କର ବାଣିଜ୍ୟିକ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ଇରାନ ବିଶ୍ବର ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ମାର୍ଗ ଷ୍ଟ୍ରେଟ ଅଫ୍ ହର୍ମୁଜକୁ ମଧ୍ୟ ବନ୍ଦ କରିସାରିଲାଣି। ଏମିତିରେ ଆଗକୁ ସ୍ଥିତି ଜଟିଳ ହେବା ନେଇ ଆଶଙ୍କା କରାଯାଉଛି।

ତେବେ ଏହାରି ମଧ୍ୟରେ ଆସିଥିବା ରିପୋର୍ଟ ଅନୁସାରେ, ଯୁଦ୍ଧ ଯୋଗୁ ଭାରତର ପ୍ରାୟ ୪ ଲକ୍ଷ ମେଟ୍ରିକ୍ ଟନ୍ ବାସୁମତୀ ଚାଉଳ ବନ୍ଦରମାନଙ୍କରେ ଅଟକି ରହିଛି। ବାଣିଜ୍ୟ ଅଧିକାରୀଙ୍କ ଅନୁସାରେ, ସପ୍ତାହାନ୍ତରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ ମାଲ ପରିବହନର ମୂଲ୍ୟ ଦ୍ୱିଗୁଣିତ ହୋଇଯାଇଛି। ଫଳରେ ରପ୍ତାନୀ ଚୁକ୍ତି ପ୍ରାୟ ବନ୍ଦ ହୋଇଯାଇଛି। ଏହାକୁ ଆଗୁ ଅଡ଼ୁଆ ସୃଷ୍ଟି କରିପାରେ।

ସୂଚନାଥାଉକି, ଭାରତ ବିଶ୍ୱର ସବୁଠାରୁ ବଡ଼ ଉଚ୍ଚମାନର ବାସୁମତୀ ଚାଉଳ ରପ୍ତାନୀକାରୀ ଦେଶ। ଏହାର ପ୍ରମୁଖ କ୍ରେତାଙ୍କ ମଧ୍ୟରେ ରହିଛନ୍ତି ସାଉଦି ଆରବ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ମଧ୍ୟପ୍ରାଚ୍ୟ ଦେଶ।

ମଧ୍ୟପ୍ରାଚ୍ୟ ସଙ୍କଟ ରପ୍ତାନୀକୁ ବନ୍ଦ କରିଦେଲା

ଅଲ୍ ଇଣ୍ଡିଆ ରାଇସ୍ ଏକ୍ସପୋର୍ଟର୍ସ ଆସୋସିଏସନ୍ (AIREA)ର ସଭାପତି ସତୀଶ ଗୋୟଲ କହିଛନ୍ତି, ‘‘ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ନୌବାଣିଜ୍ୟ ମାର୍ଗ ବାଧାପ୍ରାପ୍ତ ହୋଇଥିବାରୁ ପ୍ରାୟ ୨ ଲକ୍ଷ ମେଟ୍ରିକ ଟନ୍ ବାସୁମତୀ ଚାଉଳ ରପ୍ତାନୀ ପାଇଁ ଅଟକି ରହିଛି । ସେହିଭଳି ସମାନ ପରିମାଣର ବାସୁମତୀ ଚାଉଳ ଭାରତୀୟ ବନ୍ଦରଗୁଡ଼ିକରେ ଅଟକି ରହିଛି।’’

ସେ କହିଛନ୍ତି ଯେ, ରପ୍ତାନୀକାରୀମାନେ ପୂର୍ବରୁ ବନ୍ଦରଗୁଡ଼ିକୁ ସେମାନଙ୍କର ସାମଗ୍ରୀ ପରିବହନ କରିସାରିଛନ୍ତି। କିନ୍ତୁ କଣ୍ଟେନରରେ ମାଲ ପରିବହନ ମୂଲ୍ୟ ବଢ଼ିଯିବାରୁ, ମଧ୍ୟପ୍ରାଚ୍ୟକୁ ଚାଉଳ ପଠାଇବା ସମ୍ଭବ ହେଉନାହିଁ। ଆଉ ଏତେ ବଡ଼ ପରିମାଣର ଚାଉଳ କିଣିବାକୁ ବର୍ତ୍ତମାନ କୌଣସି ବିକଳ୍ପ ବଜାର ଉପଲବ୍ଧ ନାହିଁ।

ସେ ଆହୁରି କହିଛନ୍ତି, ରପ୍ତାନୀକାରୀମାନେ ସଂରକ୍ଷଣ ଖର୍ଚ୍ଚ ଏବଂ କିଛି କ୍ଷେତ୍ରରେ ବନ୍ଦରଗୁଡ଼ିକରେ ରଖାଯାଇଥିବା ଷ୍ଟକ୍ ପାଇଁ ଅଧିକ ମାଲ ପରିବହନ ଶୁଳ୍କ ସମ୍ମୁଖୀନ ହେଉଥିବାରୁ AIREA ବାଣିଜ୍ୟ ମନ୍ତ୍ରଣାଳୟକୁ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଏକ ଗ୍ଲୋବାଲ୍ ଟ୍ରେଡିଂ ହାଉସର ଜଣେ ଡିଲର କହିଛନ୍ତି ଯେ, ରପ୍ତାନୀକାରୀମାନେ ବର୍ତ୍ତମାନ ମଧ୍ୟପ୍ରାଚ୍ୟରୁ ନୂତନ ଅର୍ଡର ନେଉନାହାଁନ୍ତି ଏବଂ ପୂର୍ବ-ବ୍ୟବସ୍ଥିତ ଡିଲରୁ ଯୋଗାଣକୁ ପ୍ରାଥମିକତା ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ ଏବର୍ଷ ରେକର୍ଡ ବାସୁମତୀ ଫସଲ ହାସଲ କରିଛି। କିନ୍ତୁ ରପ୍ତାନୀ ଚାହିଦାରେ ହଠାତ୍ ହ୍ରାସ ଯୋଗୁ ମୂଲ୍ୟ ପ୍ରାୟ ୬ ପ୍ରତିଶତ ହ୍ରାସ ପାଇଛି। ଭାରତ ଏବଂ ପାକିସ୍ତାନ ହେଉଛି ଏକମାତ୍ର ଦେଶ ଯେଉଁଠାରେ ବିରିୟାନୀ ଏବଂ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହୃତ ଲମ୍ବା- ଦାନା ବାସୁମତୀ ଚାଉଳ ବହୁଳ ପରିମାଣରେ ଚାଷ କରାଯାଏ। ବିଶ୍ୱ ବଜାରରେ ବାସୁମତୀ ଚାଉଳର ଏକ ପ୍ରିମିୟମ୍ ମୂଲ୍ୟ ରହିଛି।