ଏଣିକି ଔଷଧର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଅଭିଯୋଗ କରିପାରିବେ ଗ୍ରାହକ

NEWS7
dhanmnagar-by-ele-bjds-campaigner-list

ନୂଆଦିଲ୍ଲୀ: ଏଣିକି ଔଷଧ ଦୋକାନ ସାମ୍ନାରେ ଏକ ଖାସ୍ କ୍ୟୁଆର କୋଡ୍ ଲାଗିବ । ଏହା ସହ ରହିବ ଟୋଲ୍ ଫ୍ରି ନମ୍ବର । ଏହା ଦ୍ବାରା ସ୍ମାର୍ଟଫୋନ୍ ବ୍ୟବହାରୀ ଗ୍ରାହକ ନିଜ ନିଜର ଅଭିଯୋଗ କରିପାରିବେ । ଯଦି କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ, ତା ସଂପର୍କରେ ଗ୍ରାହକ ଏହି କ୍ୟୁର କୋଡ୍ ଏବଂ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କରି ଜଣାଇ ପାରିବେ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କୁ ସମସ୍ତ ଖୁଚୁରା ଏବଂ ପାଇକାରୀ ଔଷଧ ଦୋକାନରେ ଏକ ସ୍ୱତନ୍ତ୍ର କ୍ୱିକ୍ ରେସପନ୍ସ (QR) କୋଡ୍ ଏବଂ ଟୋଲ୍-ଫ୍ରି ନମ୍ବର ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।

ଏହି କ୍ୟୁଆର କୋଡ୍ ଏବଂ ଟୋଲ୍-ଫ୍ରି ନମ୍ବର ବ୍ୟବହାର କରି, ଲୋକମାନେ ସିଧାସଳଖ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ରିପୋର୍ଟ କରିପାରିବେ। ସିଡିଏସସିଓ କହିଛି ଯେ, ସାଧାରଣ ଲୋକଙ୍କ ସମେତ ଡାକ୍ତରମାନେ ଯେକୌଣସି ଔଷଧର ପ୍ରାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ସୂଚନା ଦେଇପାରିବେ । ଜୁନ ୫, ୨୦୨୫ରେ ଫାର୍ମାକୋଭିଜିଲାନ୍ସ ପ୍ରୋଗ୍ରାମର ୧୬ତମ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏହାର ଅର୍ଥ ହେଉଛି, କ୍ୟୁଆର କୋଡ୍ ସ୍କାନିଂ କରି, ଗ୍ରାହକ ଏବଂ ଡାକ୍ତମାନେ ଯେକୌଣସି ଔଷଧ ପାର୍ଶ୍ବ ପ୍ରତିକ୍ରିୟା ଯେପରିକି ମୁଣ୍ଡ ବୁଲାଇବା, ଫୁଲିବା, ବାନ୍ତି କିମ୍ବା ଅନ୍ୟାନ୍ୟ ଗୁରୁତର ସମସ୍ୟା ବିଷୟରେ ADRMS (ପ୍ରତିକୂଳ ଔଷଧ ପ୍ରତିକ୍ରିୟା ମନିଟରିଂ ସିଷ୍ଟମ) କୁ ସିଧାସଳଖ ରିପୋର୍ଟ କରିପାରିବେ।

ସିଡିଏସସିଓ ଅନୁଯାୟୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଔଷଧ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ଯେ, ଏହି ସ୍ୱତନ୍ତ୍ର କ୍ୟୁଆର କୋଡ୍ ଦେଶର ପ୍ରତ୍ୟେକ ଖୁଚୁରା ଏବଂ ପାଇକାରୀ ଔଷଧ ଦୋକାନରେ ଏପରି ସ୍ଥାନରେ ପ୍ରଦର୍ଶିତ ହେବ ଯେଉଁଠାରେ ଏହା ସମସ୍ତଙ୍କୁ ଦେଖାଯିବ। ଏହା ସହିତ, ଔଷଧ ଦୋକାନଗୁଡ଼ିକରେ ଏହି କ୍ୟୁଆର କୋଡ୍ ସହିତ ଟୋଲ୍-ଫ୍ରି ନମ୍ବର ୧୮୦୦-୧୮୦-୩୦୨୪ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବ । ଔଷଧ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଜନସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ସିଡିଏସସିଓ ।

ଏହି ନୂତନ ବ୍ୟବସ୍ଥା ଯେକୌଣସି ବ୍ୟକ୍ତିଙ୍କୁ ସହଜରେ ଔଷଧର ସାଇଡ୍ ଇଫେକ୍ଟ (ପାର୍ଶ୍ବ ପ୍ରତିକ୍ରିୟା) ସଂପର୍କରେ ରିପୋର୍ଟ କରିବାକୁ ସାହାୟକ ହେବ । ପୂର୍ବରୁ ଅନେକ ଲୋକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାକୁ ଅଣଦେଖା କରୁଥିଲେ କିମ୍ବା ସେଗୁଡ଼ିକୁ କିପରି ରିପୋର୍ଟ କରିବେ ତାହା ଜାଣି ନଥିଲେ। ଏବେ କେବଳ କ୍ୟୁଆର କୋଡ୍ ସ୍କାନ କରି କିମ୍ବା ଟୋଲ୍-ଫ୍ରି ନମ୍ବରରେ କଲ୍ କରି, ସେମାନେ ସିଧାସଳଖ ନିଜର ଅଭିଯୋଗ ଦାଖଲ କରିପାରିବେ । ଏହି ସୂଚନା ଔଷଧ କମ୍ପାନୀ ଏବଂ ନିୟାମକଙ୍କୁ ଔଷଧ ସୁରକ୍ଷା ଉପରେ ନଜର ରଖିବା ଏବଂ ଆବଶ୍ୟକ ହେଲେ ସଂଶୋଧନମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ଏହି ପଦକ୍ଷେପ ଭାରତରେ ଔଷଧ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।