ଢାକା: ଦୁର୍ନୀତି ମାମଲାର ବାଂଲାଦେଶ କ୍ରିକେଟର ଶାକିବ ଅଲ ହସନଙ୍କ ଉପରେ ଟ୍ରାବେଲ୍ ବ୍ୟାନ୍ ଲଗାଇଲେ କୋର୍ଟ। ଢାକାର ଏକ କୋର୍ଟ ପୂର୍ବତନ ଆୱାମୀ ଲିଗ୍ ସାଂସଦ ଏବଂ କ୍ରିକେଟରରୁ ରାଜନେତା ହୋଇଥିବା ଶାକିବ ଅଲ୍ ହାସନଙ୍କ ସମେତ ୧୫ ଜଣଙ୍କ ଉପରେ ଦୁର୍ନୀତି ମାମଲାରେ ଯାତ୍ରା ପ୍ରତିବନ୍ଧକ ଲଗାଇଛନ୍ତି।
ଦୁର୍ନୀତି ନିବାରଣ କମିଶନ (ଏସିସି) ଦ୍ୱାରା ଦାଖଲ ହୋଇଥିବା ଦୁଇଟି ପୃଥକ ଆବେଦନର ଶୁଣାଣି ପରେ ଢାକା ମେଟ୍ରୋପଲିଟାନ୍ ସିନିୟର ସ୍ପେଶାଲ୍ ଜଜ୍ ମହମ୍ମଦ ଜାକିର ହୋସେନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏସିସି ଆବେଦନରେ, ଶାକିବ ଏବଂ ଅନ୍ୟମାନେ ଷ୍ଟକ୍ ବଜାର ନିୟମ ଉଲ୍ଲଂଘନ କରି ଅନିୟମିତ ଉପାୟରେ ଷ୍ଟକ୍ ବଜାରରେ କୋଟି କୋଟି ଟଙ୍କା ନିବେଶ କରି ଅବୈଧ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଏସିସି ଦାବି କରିଛି ଯେ ଶାକିବ ଏବଂ ତାଙ୍କ ସହ-ଅଭିଯୁକ୍ତମାନେ ପାଣ୍ଠି ଆତ୍ମସାତ କରିବା ଉଦ୍ଦେଶ୍ୟରେ ୮.୯୭ କୋଟି ଟଙ୍କା ଏବଂ ୪.୪୮ କୋଟି ଟଙ୍କା ମୂଲ୍ୟର ଟ୍ରାଞ୍ଜାକ୍ସନ କରିଥିଲେ, ଯାହା ଦ୍ଵାରା କ୍ଷୁଦ୍ର କ୍ରେଡିଟ୍ ଆଇନର ନିୟମ ୨୩(୩) ର ଧାରା ୧୯(୧) ଉଲ୍ଲଂଘନ କରିଥିଲା।
ଏସିସି ସହକାରୀ ନିର୍ଦ୍ଦେଶକ ସଜ୍ଜାଦ ହୋସେନ ଏବଂ ଉପନିର୍ଦ୍ଦେଶକ ମହମ୍ମଦ ରୋକୋନୁଜଜାମାନ୍ କୋର୍ଟରେ ଶାକିବ ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆବେଦନ ଦାଖଲ କରିଥିଲେ। ଏବଂ ଅଭିଯୁକ୍ତମାନଙ୍କୁ ଦେଶ ଛାଡି ପଳାଇବାରୁ ରୋକିବା ପାଇଁ ଯାତ୍ରା ପ୍ରତିବନ୍ଧକ ଲଗାଇବାକୁ ସେମାନେ ଅନୁରୋଧ କରିଥିଲେ। ସୋମବାର କୋର୍ଟ ମାମଲାରେ ଶୁଣାଣି କରି ସାକିବ ଏବଂ ଅନ୍ୟ ୧୫ ଜଣଙ୍କୁ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ବାଂଲାଦେଶ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାମଲାରେ ଆସିବାକୁ ଥିବା ରାୟ ଶାକିବଙ୍କ କ୍ରିକେଟ କ୍ୟରିୟରକୁ ପ୍ରଭାବିତ କରିପାରେ। ବାଂଲାଦେଶର ଏହି ଅଲରାଉଣ୍ଡର ମେ ମାସରେ ପାକିସ୍ତାନ ସୁପର ଲିଗରେ ସାମିଲ ହେବା ପରଠାରୁ ପ୍ରଫେସନାଲ କ୍ରିକେଟ ଖେଳିନାହାଁନ୍ତି। ସେ ଶେଷ ଥର ପାଇଁ ଅକ୍ଟୋବର ୨୦୨୪ରେ ଭାରତ ବିପକ୍ଷରେ ଏକ ଟେଷ୍ଟ ସିରିଜରେ ବାଂଲାଦେଶ ପାଇଁ ଖେଳିଥିଲେ।