ନିଶା କାରବାର ପ୍ରତିବାଦରେ ଗାଁ ମହିଳାଙ୍କ ରଣହୁଙ୍କାର, ମାଦକ ଦ୍ରବ୍ୟ ବିକ୍ରି ବନ୍ଦ ପାଇଁ ଦେଲେ ଚେତାବନୀ

NEWS7
dev-diwali-is-observed-in-the-puri-the-lion-door-of-sri-mandir-temple-illuminated-by-the-lamp

ଆନନ୍ଦପୁର: ଗାଁ ନିକଟରେ ଚାଲିଛି ଜୁଆ ଖେଳ ସହ ମଦ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ମାରାତ୍ମକ ମାଦକ ଦ୍ରବ୍ୟର କାରବାର। ଏସବୁ ଖାଇ ଗାଁର ଛୋଟ ପିଲାଙ୍କ ଠାରୁ ଆରମ୍ଭ ଯୁବଗୋଷ୍ଠୀ ନିଶାସକ୍ତ ହେଉଛନ୍ତି। ଯାହାର ଘାତକ ପରିମାଣ ଭୋଗିବାକୁ ପଡ଼ୁଛି ପରିବାର ଲୋକଙ୍କୁ। ଏଭଳି ଅଭିଯୋଗ ଆଣିବା ସହ ଗାଁରେ ଏସବୁ ମାଦକ ଦ୍ରବ୍ୟର ବେପାର ବନ୍ଦ ଦାବିରେ ମଙ୍ଗଳବାର ଶୋଭାଯାତ୍ରା କରିଛନ୍ତି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ନୂଆକଲୋନୀ ସାହିର ମହିଳାମାନେ।

ସେମାନେ ଅଭିଯୋଗ କରିଛନ୍ତି, ଗାଁ ନିକଟରେ ଥିବା ହାଟପଡିଆ ଠାରେ ଦୈନିକ ଜୁଆଖେଳ ସହ ମଦ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ମାରାତ୍ମକ ମାଦକ ଦ୍ରବ୍ୟର କାରବାର ଚାଲିଛି। ଏହି ନିଶା ସାମଗ୍ରୀ ଖାଇ ଗାଁ ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତେ କ୍ଷତିଗ୍ରସ୍ତ ହେଉଛନ୍ତି।

ନିଶା ଖାଇବାପରେ ଏମାନେ କାହାରିକୁ ଆଉ ଚିହ୍ନିପାରୁ ନାହାନ୍ତି। ଗାଁର ଅନେକ ଲୋକେ ନିଶା ଖାଇ ମୃତ୍ୟୁ ବରଣ ମଧ୍ୟ କଲେଣି। ହେଲେ ସବୁ ଜାଣି ପ୍ରଶାସନ, ପୋଲିସ୍ ଓ ଅବକାରୀ ବିଭାଗ ନୀରବ। ତେଣୁ ଏହାର ପ୍ରତିବାଦ କରିବା ସହ ହାଟ ପଡ଼ିଆରୁ ଏହି କାରବାରକୁ ସଂପୂର୍ଣ୍ଣ ବନ୍ଦ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗାଁର ମହିଳାମାନେ । ଏହା ସହ ସେମାନେ ଚେତାବନୀ ଦେଇଛନ୍ତି ଯଦି ଯଥାଶୀଘ୍ର ମଦ ସହ ଅନ୍ୟ ନିଶା ସାମଗ୍ରୀ ବିକ୍ରି ବଦ ନହେବ, ତେବେ ଆଗକୁ ଗାଁରେ ଠେଙ୍ଗା ବୁଲିବ।