ରକ୍ତରଞ୍ଜିତ ହେଲା 'ବର୍ଗର କିଙ୍ଗ', ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଜଣେ ମୃତ

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ ୧୯/୦୬: ରକ୍ତରଞ୍ଜିତ ହେଲା ରାଜଧାନୀରେ ଥିବା 'ବର୍ଗର କିଙ୍ଗ' । ରେଷ୍ଟୁରାଣ୍ଟ ଭିତରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼। ଆଉ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ପଶ୍ଚିମ ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା। । ତିନି ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିବା ସୂଚନା । 

ସୂଚନା ଥାଉକି, ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ ଆଉଟ୍‌ଲେଟ୍‌ରେ ଗୁଳିମାଡ଼ ହୋଇଛି। ଷ୍ଟାଣ୍ଡ ଅଲୋନ୍‌ ଫୁଡ୍‌ ଆଉଟ୍‌ଲେଟ୍‌ ଭିତରେ ତିନି ଜଣ ଆତତାୟୀ ଆସି ୧୦ ରୁ ଅଧିକ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ସାଙ୍ଗଙ୍କ ସହ ବସି ଜଣେ ବ୍ୟକ୍ତି ବର୍ଗର ଖାଉଥିବା ବେଳେ ତାଙ୍କୁ ଟାର୍ଗେଟ୍‌ କରି ଏହି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। 

ସେପଟେ ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ କହିବା କଥା ବ୍ୟକ୍ତିଗତ କିମ୍ବା ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ପୋଲିସ ବର୍ଗର କିଙ୍ଗ ଆଉଟଲେଟର ମ୍ୟାନେଜର ଏବଂ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରୁଛି । 

ଘଟଣା ସମ୍ପର୍କରେ ଦିଲ୍ଲୀ ପଶ୍ଚିମ ଡିସିପି କହିଛନ୍ତି, ୧୦ ରାଉଣ୍ଡ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.