ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେବନି ପୁରୁଣା ଗାଡିକୁ ପେଟ୍ରୋଲ ମନା ନିୟମ। ପୁରୁଣା ଯାନବାହନ ଉପରୁ ଲଗାଯାଇଥିବା ପ୍ରତିବନ୍ଧକ ନିୟମକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ପ୍ରବେଶ ବର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବୟସ ନୁହେଁ ବରଂ ଗାଡିର ପଲ୍ୟୁସନ ଷ୍ଟାଟସ୍ ଦେଖିବାକୁ ହେବ। ଜୁଲାଇ ୧ରୁ ଦିଲ୍ଲୀରେ ଲାଗୁ ହୋଇଥିବା 'ଏଣ୍ଡ-ଅଫ୍-ଲାଇଫ୍ ଯାନ' (ELV) ନିୟମ ସମ୍ପର୍କରେ ଜନସାଧାରଣଙ୍କ ସମସ୍ୟାର ପ୍ରସଙ୍ଗ ଉଠାଇଛନ୍ତି। ଏହି ନୀତି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ଟ୍ରାଫିକ୍ ଏବଂ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଲୋକମାନେ ପୂର୍ବରୁ ଚାପରେ ଅଛନ୍ତି।ଏପରି ପରିସ୍ଥିତିରେ ପର୍ଯ୍ୟାପ୍ତ ପ୍ରସ୍ତୁତି ବିନା ଏହି ନିୟମକୁ କାର୍ଯ୍ୟକାରୀ କରିବା ଜନସାଧାରଣଙ୍କ ଉପରେ ଅଧିକ ବୋଝ ପକାଇବା ଭଳି।
ପ୍ରବେଶ ବର୍ମା କହିଛନ୍ତି ଯେ ଯାନବାହାନଗୁଡ଼ିକୁ ବୟସ ନୁହେଁ ବରଂ ପଲ୍ୟୁସନ ଷ୍ଟାଟସ ଆଧାରରେ ବନ୍ଦ କରାଯିବା ଉଚିତ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଏହି ନିୟମ ଗୁରୁଗ୍ରାମ ଏବଂ ନୋଏଡା ଭଳି ଏନସିଆର ଅଞ୍ଚଳରେ ଲାଗୁ ହେଉନାହିଁ, ତେବେ ହଠାତ୍ କେବଳ ଦିଲ୍ଲୀରେ କାହିଁକି ଏହାକୁ ଲାଗୁ କରାଯାଇଛି। ଦିଲ୍ଲୀ ସରକାର ଏହି ନିୟମ ଉପରେ ବିଚାର କରିଛନ୍ତି।
ପ୍ରବେଶ ବର୍ମା ସୂଚନା ଦେଇଛନ୍ତି ଯେ ଏହି ପ୍ରସଙ୍ଗ ସମ୍ପର୍କରେ ଦିଲ୍ଲୀ ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିୟମର ପୁନର୍ବିଚାର କରାଯିବ। ସେ କହିଥିଲେ, "ଆମେ ଚାହୁଁଛୁ ଯେ ଏହା ଉପରେ ଏକ ବ୍ୟାପକ ଆଲୋଚନା ହେଉ। ଯେତେବେଳେ ସମଗ୍ର NCRରେ ନିୟମଗୁଡ଼ିକ ଲାଗୁ ହେବ, ସେତେବେଳେ ହିଁ ଏହାକୁ ଦିଲ୍ଲୀରେ ପ୍ରଭାବଶାଳୀ ଭାବରେ ଲାଗୁ କରାଯିବା ଉଚିତ।"
ଦିଲ୍ଲୀର ପରିବେଶ ମନ୍ତ୍ରୀ CAQMକୁ ଏକ ଚିଠି ଲେଖିଛନ୍ତି। ଏଥିରେ ଦିଲ୍ଲୀର ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଇନ୍ଧନ ନ ଦେବାର ନିୟମର ପୁନର୍ବିଚାର କରାଯିବା ଉଚିତ ବୋଲି ଦାବି କରାଯାଇଛି। ଏପରି ପରିସ୍ଥିତିରେ, ଦିଲ୍ଲୀବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ବିଶ୍ୱାସ କରାଯାଉଛି। ସେପଟେ ଏହି ଘଟଣାରେ ଦିଲ୍ଲୀ ସରକାର ଏବଂ CAQM ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ।