ପୋଡ଼ାଜଳା, ମାରପିଟ୍ ଓ ଜୀବନହାନୀ...କୋଲକାତା ମୈଦାନରେ ହିଂସାର ପୁରୁଣା ଇତିହାସ

NEWS7
delhi-govt-has-fixed-the-maximum-price-for-the-rt-pcr

ନୂଆଦିଲ୍ଲୀ: ଭାରତରେ ଫୁଟବଲ୍ ପ୍ରତି ଧିରେ ଧିରେ କ୍ରେଜ୍ ବଢିବାରେ ଲାଗିଛି । ଯଦିଓ ଭାରତ ଏହି ଖେଳରେ ବିଶ୍ୱର ଅନ୍ୟ ଦେଶମାନଙ୍କଠାରୁ ବହୁତ ପଛରେ ଅଛି, ତଥାପି ପ୍ରଶଂସକଙ୍କ ଅଭାବ ନାହିଁ । ଏପରି ସ୍ଥିତିରେ ବିଶ୍ୱ ଫୁଟବଲ୍ର ସବୁଠାରୁ ବଡ଼ ଷ୍ଟାର ଲିଓନେଲ୍ ମେସି ବହୁ ବର୍ଷ ପରେ ଭାରତ ଆସନ୍ତି, ତାଙ୍କୁ ଦେଖିବା ପାଇଁ ଉତ୍ସାହ ରହିବା ସ୍ୱାଭାବିକ । ଡିସେମ୍ବର ୧୩ରେ ମେସି କୋଲକାତାରେ ପହଞ୍ଚିବା ପରେ ସଲ୍ଟ ଲେକ୍ ଷ୍ଟାଡିୟମରେ ହଜାର ହଜାର ପ୍ରଶଂସକ ତାଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ଏହା ଏକ ଲଜ୍ଜାଜନକ ଘଟଣାରେ ପରିଣତ ହୋଇଥିଲା । ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗାଯାଇଥିଲା । ବିଶୃଙ୍ଖଳା ଚରମରେ ପହଞ୍ଚିଥିଲା । ତେବେ କୋଲକାତା ମାଟିରେ ଏଭଳି ହିଂସାର ଏକ ଲମ୍ବା ଇତିହାସ ରହିଛି ।

କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ ନିର୍ମାଣ ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ସମସ୍ତ ଫୁଟବଲ୍ ମ୍ୟାଚ୍ ଆୟୋଜନ ହେଉଥିଲା । ଅଗଷ୍ଟ ୧୬, ୧୯୮୦ରେ ଏପରି ଏକ ମ୍ୟାଚ୍‌ରେ ସହରର ଦୁଇଟି ବଡ଼ ଦଳ ପରସ୍ପର ବିପକ୍ଷରେ ମୁକାବିଲା କରିଥିଲା । "କଲିକତା ଡର୍ବି" ଭାବରେ ଜଣାଶୁଣା, ଇଷ୍ଟ ବେଙ୍ଗଲ୍ ଏବଂ ମୋହନ ବାଗାନ ମଧ୍ୟରେ ଏହି ମୁକାବିଲା ପାଇଁ ଷ୍ଟାଡିୟମ ଫୁଲ୍ ଥିଲା । ଏହି ମ୍ୟାଚ୍‌ରେ, ରେଫରିଙ୍କ ନିଷ୍ପତ୍ତି ଉଭୟ ଦଳର ପ୍ରଶଂସକଙ୍କୁ ଉତ୍ତେଜିତ କରିଥିଲା । କିଛି ମିନିଟ୍ ମଧ୍ୟରେ ପାଟିତୁଣ୍ଡ ଓ ପରେ ମାରପିଟ୍ ଆରମ୍ଭ ହୋଇଥିଲା । ହିଂସା ଆରମ୍ଭ ହେବା ମାତ୍ରେ ଷ୍ଟାଡିୟମରେ ଦଳାଚକଟା ଆରମ୍ଭ ହୋଇଥିଲା, ଯେଉଁଥିରେରେ ୧୬ ଜଣ ଫୁଟବଲ୍ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା ।

୭ ଅକ୍ଟୋବର ୨୦୦୧ରେ, କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ ଏପରି ଏକ ଦୃଶ୍ୟ ଦେଖିଲା ଲୋକ କଳ୍ପନା କରିପାରିଥିଲେ । ଇଷ୍ଟ ବେଙ୍ଗଲ୍ ଏବଂ ବ୍ରାଜିଲିୟ କ୍ଲବ୍ ପାମେରାସ୍ IFA ସିଲ୍ଡ ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ପ୍ରାୟ ଅଧ ଘଣ୍ଟା ବିତି ଯାଇଥିଲା ଏବଂ ପାମେରାସ୍ ୧-୦ରେ ଆଗୁଆ ଥିଲା । ସେହି ସମୟରେ ଜଣେ ବ୍ରାଜିଲିୟ ଖେଳାଳି ଜଣେ ଇଷ୍ଟ ବେଙ୍ଗଲ୍ ଖେଳାଳିଙ୍କୁ ମାଡ଼ ମାରିଥିଲେ । ସମସ୍ତ ଇଷ୍ଟ ବେଙ୍ଗଲ୍ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ବ୍ରାଜିଲିୟ ଖେଳାଳିଙ୍କୁ ସାମନା କରିବାକୁ ଧାଇଁ ଆସିଥିଲେ । ପାମେରାସର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ମଧ୍ୟ ଧସ୍ତାଧସ୍ତି ଆରମ୍ଭ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଦେଖି, ପୋଲିସ ଲାଠିଚାର୍ଜ ଆରମ୍ଭ କରିଥିଲା । ବ୍ରାଜିଲିୟ ଖେଳାଳିମାନେ ଶେଷରେ ଡ୍ରେସିଂ ରୁମକୁ ଫେରିଗଲେ, ଏବଂ ଫାଇନାଲ୍ ବାତିଲ ହୋଇଗଲା।

ବିଶ୍ୱକପ୍ ସେମିଫାଇନାଲରେ ଷ୍ଟାଡିୟମରେ ଅଗ୍ନିକାଣ୍ଡ

କେବଳ ଫୁଟବଲ୍ ନୁହେଁ କ୍ରିକେଟ୍ ମ୍ୟାଚରେ ବି ହିଂସା ଘଟିଛି । ୧୯୯୬ ମସିହାରେ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ୱକପ୍ ସେମିଫାଇନାଲ ଖେଳାଯାଉଥିଲା । ଟିମ୍ ଇଣ୍ଡିଆ ପରାଜୟର ଦ୍ୱାରଦେଶରେ ଥିଲା । ଦର୍ଶକମାନେ ଏହାକୁ ସହ୍ୟ କରିପାରିଲେ ନାହିଁ । ପଡ଼ିଆରେ ଉପସ୍ଥିତ ପ୍ରଶଂସକମାନେ ଷ୍ଟାଡିୟମରେ ନିଆଁ ଲଗାଇ ଦେଲେ । ଶେଷରେ ମ୍ୟାଚ୍ ବନ୍ଦ ହୋଇଗଲା ଏବଂ ଶ୍ରୀଲଙ୍କାକୁ ବିଜେତା ଘୋଷଣା କରାଯାଇଥିଲା ।

ନକଲି ଟିକେଟ୍ ଯୋଗୁଁ ଅଗ୍ନିକାଣ୍ଡ

ଜାନୁଆରୀ ୧, ୧୯୬୭ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା । ମ୍ୟାଚର ଦ୍ୱିତୀୟ ଦିନ ଥିଲା । ଷ୍ଟାଡିୟମର କ୍ଷମତା ୫୯,୦୦୦ ଥିଲେ ମଧ୍ୟ ୮୦,୦୦୦ ଦର୍ଶକ ସେଠାରେ ପହଞ୍ଚିଥିଲେ । ପରେ ଜଣାପଡିଥିଲା ଯେ କିଛି ଅଧିକାରୀ ନକଲି ଟିକେଟ କଳାବଜାରୀ କରିଥିଲେ । ଯେଉଁଥି ପାଇଁ ଷ୍ଟାଡିୟମର କ୍ଷମତା ଅପେକ୍ଷା ଅଧିକ ଦର୍ଶକ ଏକାଠି ହୋଇଥିଲା । ଭିଡ଼ ବଢ଼ିବା ସହିତ ଠେଲାପେଲା ହୋଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଦର୍ଶକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ଦର୍ଶକମାନେ ବ୍ୟାପକ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିଥିଲେ । ବଡ଼ କଷ୍ଟରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା ।

ସଚିନଙ୍କ ୱିକେଟ୍ ନେଇ ବିବାଦ

୧୯୯୯ ମସିହାରେ ଇଡେନ୍ ଗାର୍ଡେନ୍ସରେ ଆଉ ଏକ ହିଂସା ହୋଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ବେଳେ ସଚିନ୍ ତେନ୍ଦୁଲକର ରନ୍ ଆଉଟ୍ ହୋଇଥିଲେ । ସଚିନ୍ ତାଙ୍କର ତୃତୀୟ ରନ ନେବା ସମୟରେ କ୍ରିଜ୍ ପାଖରେ ପାକିସ୍ତାନୀ ବୋଲର ସୋଏବ୍ ଅଖତରଙ୍କ ସହ ଧକ୍କା ହୋଇ ତଳେ ପଡ଼ିଗଲେ । ତା’ପରେ ବଲଟି ଷ୍ଟମ୍ପରେ ବାଜିଲା । ତୃତୀୟ ଅମ୍ପାୟାର ସଚିନଙ୍କୁ ରନ୍ ଆଉଟ୍ ଘୋଷଣା କରିଥିଲେ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା । ଅନେକ ପ୍ରଶଂସକ ପଡ଼ିଆ ଭିତରକୁ ପଶି ଭଙ୍ଗାରୁଜା କରିବାକୁ ଲାଗିଲେ । ପରେ ସୁରକ୍ଷା କର୍ମୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଷ୍ଟାଡିୟମରୁ ଉପଦ୍ରବୀଙ୍କୁ ହଟାଇଥିଲେ ।