News7 Logo

ସବୁଠୁ ବଡ଼ ପ୍ରତିରକ୍ଷା ଡିଲ୍ ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତି, ଦେଶକୁ ମିଳିପାରେ ୧୧୪ ମେକ୍ ଇନ୍ ଇଣ୍ଡିଆ ରାଫେଲ

NEWS7
RAFAEL

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଭାରତୀୟ ସେନାଠାରୁ ୧୧୪ ମେକ୍ ଇନ୍ ଇଣ୍ଡିଆ ରାଫେଲ୍ ଲଢୁଆ ବିମାନ କିଣିବା ପାଇଁ ପ୍ରସ୍ତାବ ମିଳିଛି । ଏହି ଚୁକ୍ତିର ମୂଲ୍ୟ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ବିମାନ ପ୍ରାନ୍ସର ଡସଲ୍ଟ ଏଭିଏସନ୍ କମ୍ପାନି ନିର୍ମାଣ କରିବ, କିନ୍ତୁ ଏଥିରେ ଭାରତୀୟ ଏରୋସ୍ପେସ୍ କମ୍ପାନି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିବେ । ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ କରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁସାରେ ବାୟୁସେନା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଷ୍ଟେଟମେଣ୍ଟ ଅଫ୍ କେସ୍ (ଏସଓସି) ମନ୍ତ୍ରଣାଳୟକୁ କିଛି ଦିନ ତଳେ ମିଳିଛି । ଏବେ ଏହା ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ଶାଖା ବିଚାର କରୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରସ୍ତାବ ପ୍ରତିରକ୍ଷା କ୍ରୟ ବୋର୍ଡ (ଡିପିବି) ଓ ପରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ନିକଟରୁ ଯିବ । ଯଦି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳେ, ତେବେ ଏହା ଭାରତ ସରକାରଙ୍କ ଆଜି ଯାଏର ସବୁଠୁ ବଡ଼ ପ୍ରତିରକ୍ଷା ବୁଝାମଣା ହେବ । ଏହାଦ୍ୱାରା ଭାରତୀୟ ପ୍ରତିରକ୍ଷା ବଳ ପାଖରେ ମୋଟ ୧୭୬ ରାଫେଲ୍ ବିମାନ ହୋଇଯିବ । ବର୍ତ୍ତମାନ ସମୟରେ ଭାରତୀୟ ବାୟୁସେନା ପାଖରେ ୩୬ ରାଫେଲ୍ ଅଛି । ନୌସେନା ୨୬ ବିମାନର ଅର୍ଡର ଦେଇଛି ।

'ମେକ୍ ଇନ୍ ଇଣ୍ଡିଆ' ରାଫେଲ୍ ବିମାନରେ ୬୦% ରୁ ଅଧିକ ସ୍ୱଦେଶୀକରଣ ସାମିଲ ହେବ । ଫ୍ରାନ୍ସର ଡାସଲ୍ଟ କମ୍ପାନୀ ହାଇଦ୍ରାବାଦରେ ରାଫେଲ୍ ଇଞ୍ଜିନ୍ (M-୮୮) ପାଇଁ ଏକ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହାଲ୍ (MRO) ସୁବିଧା ସ୍ଥାପନ କରିବାକୁ ଯୋଜନା କରୁଛି । ଟାଟା ଭଳି ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଏହି ଉତ୍ପାଦନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ।

ଚୀନ୍ ଏବଂ ପାକିସ୍ତାନରୁ ଭାରତ ପ୍ରତି ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ଚୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ବାୟୁସେନାର ଭବିଷ୍ୟତର ଲଢ଼ୁଆ ବିମାନରେ ସୁଖୋଇ-୩୦ MKI, ରାଫେଲ ଏବଂ ସ୍ୱଦେଶୀ ପ୍ରକଳ୍ପକୁ ସାମିଲ କରାଯାଉଛି । ଭାରତ ପୂର୍ବରୁ ୧୮୦ଟି LCA ମାର୍କ-୧A ଲଢ଼ୁଆ ବିମାନ ଅର୍ଡର କରିସାରିଛି ଏବଂ ୨୦୩୫ ପରେ ପଞ୍ଚମ ପିଢ଼ିର ବହୁ ସଂଖ୍ୟକ ସ୍ୱଦେଶୀ ବିମାନ ସାମିଲ କରିବାକୁ ମଧ୍ୟ ଯୋଜନା କରୁଛି।