ଭୁବନେଶ୍ୱର ୨୫/୧୧: ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ । ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଲେ । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଲେ ।

​​​​​​​

ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ । ବିଜେଡି ପୂର୍ବ ଆଦର୍ଶରେ ଚାଲୁନି ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ । ଏହାସହ ବରିଷ୍ଠ ନାଗରିକ ସେଲ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ଏବେ ଚର୍ଚ୍ଚା ହେଉଛି ଦେବାଶିଷଙ୍କ ଗତି କେଉଁଆଡେ ରହିବ।​​​​​​​

କହିରଖୁ ଯେ, ଦୀର୍ଘ ଦିନ ହେଲା ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ ।  ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦେବାଶିଷ ସାମନ୍ତରାୟ ଦଳର ପରିଚାଳନା ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛନ୍ତି । ଏମିତି କି ଓ୍ୱାକଫ୍ ବିଲ ସମୟରେ ମଧ୍ୟ ଦେବାଶିଷଙ୍କୁ ନେଇ ବିଜେଡି ରାଜନୀତି ସରଗରମ ହୋଇଥିଲା । ଆଉ ଏବେ ସିନିୟର ସିଟିଜେନ୍ ସେଲର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।  

ଗତ କିଛିଦିନ ଧରି ଦଳୀୟ ଅସନ୍ତୋଷ ଜାହିର କରିଥିଲେ ଦେବାଶିଷ ସାମନ୍ତରାୟ । ନିକଟରେ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି । ଟିକେଟ୍ ଦେବାକୁ କହି ଦଳ ତାଙ୍କୁ ନିର୍ବାଚନ ମଣ୍ଡଳୀ ବୁଲାଇଥିଲା । କିନ୍ତୁ ଦଳ ଶ୍ରୀମୟୀଙ୍କୁ ଟିକେଟ୍ ଦେଲା ନାହିଁ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । କେବଳ ତାହା ନୁହେଁ ଦଳର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଏକ ପ୍ରକାର ନିର୍ଯାତନା ଦେଇଛି ବୋଲି ସେ କହିଛନ୍ତି । ​​​​​​​

ସେହିପରି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିସ୍ଫୋରକ ବୟାନ ଦେଇଥିଲେ ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ନେତାମାନଙ୍କୁ ଓ ରାଜ୍ୟବାସୀଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ଼ ଭୁଲ ଓ ଦଳ ପାଇଁ କ୍ଷତି ବୋଲି ସେ କହିଥିଲେ।