ଖେଳାଳିଙ୍କ ବିରୋଧ ପରେ ବାଂଲାଦେଶ ବୋର୍ଡର ଆକ୍ସନ, ପଦରୁ ହଟିଲେ ନଜମୁଲ୍ ଇସଲାମ

NEWS7
cuttcak-dcp-reaction-on-hockey-world-cup

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)  ଏମ୍ ନଜମୁଲ୍ ଇସଲାମଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଛି । ଖେଳାଳିଙ୍କ ଚାପ ଏବଂ ବିରୋଧ ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବାଂଲାଦେଶର କ୍ରିକେଟର୍ସ ୱେଲଫେୟାର ଆସୋସିଏସନ (CWAB) ନଜମୁଲ ଇସଲାମଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଏବଂ ଚରମବାଣୀ ଦେଇଥିଲା । ଯଦି ସେ ଗୁରୁବାର ଅପରାହ୍ନ ୧ଟା ସୁଦ୍ଧା ତାଙ୍କ ପଦବୀରୁ ଇସ୍ତଫା ନ ଦିଅନ୍ତି, ତେବେ ଖେଳାଳିମାନେ କ୍ରିକେଟର ସମସ୍ତ ଫର୍ମାଟକୁ ବର୍ଜନ କରିବେ।

ନଜମୁଲ ଇସଲାମ ବାଂଲାଦେଶ ଟିମର ପୂର୍ବତନ ଅଧିନାୟକ ତମିମ ଇକବାଲଙ୍କୁ ଭାରତୀୟ ଏଜେଣ୍ଟ ବୋଲି କହିଥିଲେ। ସିଡବ୍ଲୁଏବି ଅଭିଯୋଗ କରିଛି ଯେ, ନଜମୁଲ ଇସଲାମଙ୍କ ମନ୍ତବ୍ୟ ଖେଳାଳିମାନଙ୍କୁ ଅପମାନିତ କରିଛି।

ସମସ୍ୟାର ସମାଧାନ ପାଇଁ CWAB ଏବଂ BCB ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା। ଏହା ପରେ CWAB ସହରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ନିଜର ମତ ସ୍ପଷ୍ଟ କରିଥିଲା।

ସେପଟେ ବଂଲାଦେଶର ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ୍ ବନ୍ଦ ରହିଛି । ଖେଳାଳିମାନେ ସେମାନଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ ଏବଂ ନିର୍ଦ୍ଧାରିତ ସମୟରେ ପଡ଼ିଆକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ। ଫଳସ୍ୱରୂପ, ନୋଆଖାଲି ଏକ୍ସପ୍ରେସ୍ ଏବଂ ଚାଟୋଗ୍ରାମ ରୟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ବାଂଲାଦେଶ ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ୍ ଆରମ୍ଭ ହୋଇପାରିଲା ନାହିଁ।

ବିସିବି ଏକ ବିବୃତ୍ତି ଜାରି କରି କହିଛି ଯେ, ନଜମୁଲ ଇସଲାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ତାଙ୍କ ଉତ୍ତର ଆଧାରରେ, ନିୟମ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।