ଲକ୍ଷ୍ନୌରେ ମୁହାଁମୁହିଁ ହେବେ ସୁପରକିଙ୍ଗସ ଏବଂ ସୁପର ଜାଏଣ୍ଟସ୍, ବିଜୟ ଟାର୍ଗେଟ ଉଭୟ ଟିମ୍

Published By : Prameya-News7 Bureau | April 14, 2025 IST

ଲକ୍ଷ୍ନୌ ୧୪।୦୪ : ଆଇପିଏଲ୍‌ ୨୦୨୫ । ଟୁର୍ଣ୍ଣାମେଣ୍ଟ ୩୦ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ। ରିଷଭ ପନ୍ତଙ୍କ ସୁପରଜାଏଣ୍ଟ୍‌ସ ଦଳ କ୍ରମାନ୍ୱୟରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଏମ୍‌ଏସ୍‌ ଧୋନିଙ୍କ ସୁପରକିଙ୍ଗ୍‌ସଙ୍କ ପାଇଁ ବିଜୟ ଜରୁରୀ  ହୋଇପଡ଼ିଛି । ଉଭୟ ଦଳ ପରାଜୟ ଧାରାରେ ବ୍ରେକ ଲଗାଇବାକୁ ସବୁ ଶକ୍ତି ଖଟାଇବ । 

ସୁପରକିଙ୍ଗ୍‌ସ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ହାରି   ପଏଣ୍ଟ ତାଲିକାର ଶେଷରେ ରହିଛି । ନିୟମିତ ଅଧିନାୟକ ଋତୁରାଜ ଗାଏକୱାଡ୍‌ ଆହତ ହୋଇ ବାଦ୍‌ ପଡ଼ିବା ପରେ ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯାଇଛି । ଆଜି ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଧୋନିଙ୍କ ନେତୃତ୍ୱରେ ଦଳର ଭାଗ୍ୟ ବଦଳିବ ବୋଲି  ଆଶା କରାଯାଉଥିଲା । ମାତ୍ର ଗତ ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ପୂର୍ବ ପ୍ରଦର୍ଶନକୁ ଭୁଲି ଦଳ ଆଜି ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । 

ସୁପରଜାଏଣ୍ଟ୍‌ସ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ, ୨ ପରାଜୟ ସହ ମୋଟ ୮ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ  ରହିଛି । ଦଳ ଏକ ଶକ୍ତିଶାଳୀ ଏକାଦଶ ପ୍ରସ୍ତୁତ  କରିସାରିଛି । ଟପ୍‌ ଅର୍ଡ଼ରରେ ଆଡେନ ମାରକ୍ରମ, ମିଚେଲ ମାର୍ଶ ଓ ନିକୋଲାସ ପୂରନ ଜବରଦସ୍ତ ଫର୍ମରେ ଅଛନ୍ତି। ଖାସ୍‌ କରି ପୂରନଙ୍କ ବ୍ୟାଟିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେ ୬ଟି ମ୍ୟାଚ୍‌ରୁ ୩୧ଟି ଛକା ମାରି ସାରିଛନ୍ତି।  ମାର୍ଶ ପୂର୍ବ ମ୍ୟାଚ୍‌ ଖେଳିନଥିଲେ । ତେଣୁ ସେ  ଏକାଦଶକୁ ଫେରିପାରନ୍ତି। କେବଳ ପନ୍ତଙ୍କ ଫର୍ମ ଚିନ୍ତାଜନକ ରହିଛି। ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି । 

ଉଭୟ ଦଳ ପୂର୍ବରୁ ୫ଥର ପରସ୍ପରକୁ ଭେଟିଛନ୍ତି । ସୁପରଜାଏଣ୍ଟ୍‌ସ ୩ଟି ଓ ସୁପରକିଙ୍ଗ୍‌ସ ଗୋଟିଏ ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଗତ ସିଜନରେ ସୁପରଜାଏଣ୍ଟ୍‌ସ ୨ଟି ଯାକ ମ୍ୟାଚ୍‌ ବିଜୟୀ ହୋଇଥିଲା । 

ଏକାନ୍ନା ଷ୍ଟାଡିୟମର ପିଚ୍‌ ପେସ୍‌ ଓ ସ୍ପିନରଙ୍କୁ ସହାୟତା କରୁଛି । ଏଠାରେ ୧୦ଟି ଆଇପିଏଲ୍‌ ମ୍ୟାଚ୍‌  ଖେଳାଯାଇଛି ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୬ଟି ଜିତିଛନ୍ତି । ଆଜି ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

-:ସମ୍ଭାବ୍ୟ ଦ୍ୱାଦଶ:-

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ, ମିଚେଲ  ମାର୍ଶ/ହିମତ ସିଂହ, ନିକୋଲାସ ପୂରନ, ରିଷଭ ପନ୍ତ   (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍‌ ମିଲର,  ଅବଦୁଲ ସମଦ, ସର୍ଦୁଲ ଠାକୁର, ଆକାଶ ଦୀପ,  ରବି ବିଷ୍ଣୋଇ, ଅଭେଶ ଖାନ, ଦିଗଭେଶ ରାଠି । 

ସୁପରକିଙ୍ଗ୍‌ସ: ଡେଭନ କନୱେ, ରଚିନ ରବିନ୍ଦ୍ର,  ରାହୁଲ ତ୍ରିପାଠୀ, ବିଜୟ ଶଙ୍କର, ଶିବମ ଦୁବେ,  ରବିନ୍ଦ୍ର ଜାଡେଜା, ଏମ୍‌ଏସ୍‌ ଧୋନି (ଅଧିନାୟକ),  ଆର୍‌ ଅଶ୍ୱିନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ,  ଖଲିଲ ଅହମ୍ମଦ, ମଥିଶା ପତିରଣା ।

  • IPL 2025
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.