News7 Logo

ସିପି ରାଧାକ୍ରିଷ୍ଣନଙ୍କୁ ମିଳିଲା ସମର୍ଥନଠାରୁ ଅଧିକ ୧୪ ଭୋଟ, ସୁଦର୍ଶନ ରେଡ୍ଡୀଙ୍କ କମିଲା ଏତିକି ଭୋଟ୍

NEWS7
fsdd

ନୂଆଦିଲ୍ଲୀ: ସିପି ରାଧାକ୍ରଷ୍ଣନ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବେ । ମଙ୍ଗଳବାର ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସେ ୧୫୦ରୁ ଅଧିକ ଭୋଟ୍ ବ୍ୟବଧାନରେ ବିରୋଧୀ ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜକ୍ରିଷ୍ଣନଙ୍କୁ ଏନଡିଏ ସଦସ୍ୟଙ୍କ ସଂଖ୍ୟାଠାରୁ ଅଧିକ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସର ୩୧୫ ଭୋଟ ଦାବି ତୁଳନାରେ ରେଡ୍ଡୀଙ୍କୁ କମ ଭୋଟ୍ ମିଳିଛି ।

ମଙ୍ଗଳବାର ହୋଇଥିବା ନିର୍ବାଚନରେ ମୋଟ ୯୮.୨୦ ପ୍ରତିଶତ ମତଦାନ ହୋଇଥିଲା । ୭୮୮ ମଧ୍ୟରୁ ୭୬୭ ସାଂସଦ ମତାଧିକାର ସାବ୍ୟସ୍ତ କରିଥିଲେ । ସଂଧ୍ୟା ୬ଟାରେ ମତଗଣନା ହୋଇଥିଲା, ଯେଉଁଥିରେ ରାଧାକ୍ରଷ୍ଣନଙ୍କୁ ୪୫୨ ଓ ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କୁ ମିଳିଥିବା ୧୫ ଭୋଟ୍ ନାକଚ ହୋଇଛି । ବିଜୟ ପାଇଁ ୩୯୧ ଭୋଟ ଆବଶ୍ୟକ ଥିଲା ।

ରାଜ୍ୟସଭା ମହାସଚିବ ପିସି ମୋଦୀ କହିଛନ୍ତି, ଏନଡିଏ ପ୍ରାର୍ଥୀ ଓ ମହାରାଷ୍ଟ୍ର ରାଜ୍ୟପାଳ ପିସି ରାଧାକ୍ରିଷ୍ଣନଙ୍କୁ ୪୫୨ ପ୍ରଥମ ପସନ୍ଦର ଭୋଟ ମିଳିଛି । ସେ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ଜଷ୍ଟିସ୍ ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ପ୍ରଥମ ପସନ୍ଦ ଭୋଟ ମିଳିଛି ।

ଦେଶର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚକ ମଣ୍ଡଳରେ ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ (ବର୍ତ୍ତମାନରେ ୫ ସିଟ୍ ଖାଲି) ଓ ୧୨ ମନୋନୀତ ସଦସ୍ୟ ତଥା ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ (ବର୍ତ୍ତମାନରେ ଗୋଟିଏ ଆସନ ଖାଲି) ସାମିଲ ଥିଲେ । ମୋଟ ଭୋଟରଙ୍କ ସଂଖ୍ୟା ୭୮୮ (ବର୍ତ୍ତମାନରେ ୭୮୧) । ବିଜେଡି, ବିଆରଏସ୍ ଓ ଶିରୋମଣି ଅକାଳୀ ଦଳ ନିର୍ବାଚନରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଥିଲା । ବିଜେଡିର ରାଜ୍ୟସଭାରେ ୭ ସାଂସଦ ଅଛନ୍ତି । ବିଆରଏସ୍ ପାଖରେ ୪ ସାଂସଦ ଓ ଅକାଳୀ ଦଳର ଲୋକସଭାରେ ଜଣେ ସାଂସଦ ଅଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଧକ୍ରିଷ୍ଣନଙ୍କୁ ଆଶାଠାରୁ ୨୫ଟି ଅଧିକ ଭୋଟ ମିଳିଛି । ଏନଡିଏ ଦଳ ବ୍ୟତୀତ ରାଧାକ୍ରିଷ୍ଣନଙ୍କୁ ୱାଇଏସଆରସିପି ସମର୍ଥନ ଦେଇଥିଲା । ଜଗନ ରେଡ୍ଡୀଙ୍କ ପାର୍ଟିରୁ ୧୧ ସାଂସଦ ଅଛନ୍ତି । ଏପରି ସ୍ଥିତିରେ ରାଧକ୍ରିଷ୍ଣନଙ୍କୁ ଆଉ ୧୪ ଭୋଟ କେଉଁଠୁ ମିଳିଲା  ? ଏହି ସଂଖ୍ୟା କ୍ରସ୍ ଭୋଟିଂକୁ ଦର୍ଶାଉଛି ।