ମାସ ମାସ ଧରି ସ୍କାନରରେ ଥିଲା ଗୋ-ମାଫିଆ ରାଜନ, ଠିକଣା ସମୟରେ ଘେରି ପକାଇଲେ ପୋଲିସ

NEWS7
crimebranch-investigation-at-sambalpur-for-former-collector-house-break-incident

ଭଦ୍ରକ: ଭଦ୍ରକରେ ବେଆଇନ ଗୋ ମାଫିଆ ସେକ ତାଜୁଦ୍ଦିନ ଓରଫ ରାଜନଙ୍କ ଘରେ କେନ୍ଦୁଝର ପୋଲିସର ଚଢ଼ାଉ ଜାରି ରହିଛି। ପୋଲିସ ହାତରେ ପୁଳା ପୁଳା ନଗଦ ଟଙ୍କା ସହିତ ବହୁ ସୁନା ଗହଣା ହାତରେ ଲାଗିଛି। ବିଳମ୍ବିତ ରାତ୍ରିରୁ ଭଦ୍ରକ ପୋଲିସ ସହାୟତାରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ସକାଳ ସାଢେ ୧୦ଟା ସୁଦ୍ଧା ନଗଦ ୭୦ ଲକ୍ଷ ଟଙ୍କା ଗଣା ସରିଥିବା ନେଇ ରେଡ୍ରେ ସାମିଲ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନଗଦ ଟଙ୍କାର ପରିମାଣ ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି। ଟଙ୍କା ଓ ଗାଡ଼ି ସହ ରାଜନକୁ ଉଠାଇ ନେଇଛି ପୋଲିସ।

ନଗଦ ଟଙ୍କା ସମେତ ବହୁ ସୁନା ରୁପା ଓ ସମ୍ପତ୍ତି ମଧ୍ୟ ପୋଲିସ ଜବତ କରିଛି। ଏହାଛଡା ଘର ବାହାରେ ଥିବା ଦୁଇଟି ସ୍କର୍ପିଓ ଗାଡିକୁ ମଧ୍ୟ ଯାଞ୍ଚ କରାଯାଇଛି। ବେଆଇନ ଗୋଚାଲାଣକୁ ନେଇ ରାଜନ ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ଜଣାପଡିଛି। ଦୀର୍ଘ ମାସ ହେବ କେନ୍ଦୁଝର ପୋଲିସ ସ୍କାନରରେ ରାଜନ ରହିଥିବା ବେଳେ ଆଜି ଏହି ରେଡ କରାଯାଇଛି।

ତେବେ ଆଜି ରାଜନ ଘର ରେଡ ପରେ ବାଇପାସ ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଏକ ନର୍ସିଙ୍ଗ କଲେଜରେ ମଧ୍ୟ ରେଡ କରାଯିବ ବୋଲି କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ଏହି ଚଢଉରେ ୧୦ ପୋଲିସ ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି। ମାପ ଚୁପ୍ ପାଇଁ ପଞ୍ଚାୟତରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ସାମିଲ ହୋଇଚନ୍ତି । ଫିକ୍ସ ଡିପୋଜିଟ, LIC ଓ ମ୍ୟୁଚଆଲ୍ ଫଣ୍ଡ ଓ ବ୍ୟାଙ୍କ୍ ଲକର୍ ଯାଞ୍ଚ ହେବ।

କେଉଁଝର ପଞ୍ଚାୟତରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି ଏପର୍ଯ୍ୟନ୍ତ ଗୋଟିଏ ଘରର ମୂଲ୍ୟ ୪୫ ଲକ୍ଷ ଟଙ୍କା ଓ ୩ଟି ଜମି ଠାବ କରାଯାଇଛି। ଅନ୍ୟ ଘର ଓ ଜମି ର ମୂଲ୍ୟାୟନ ଚାଲିଛି ।