ନୂଆଦିଲ୍ଲୀ: ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ବର୍ଗ ଫାଇନାଲ୍ ଜିତି ଆମେରିକାର କୋକୋ ଗଫ୍ ଇତିହାସ ରଚିଛନ୍ତି । ଫାଇନାଲ୍ରେ ସେ ଦୁନିଆର ଏକ ନମ୍ୱର ଖେଳାଳି ଏରିନା ସାବାଲେଙ୍କାକୁ ହରାଇଛନ୍ତି । କୋକୋ ଗଫ୍ ପ୍ରଥମ ସେଟ୍ ହାରିବା ପରେ ଜୋରଦାର କମ୍ବ୍ୟାକ୍ କରି ସାବାଲେଙ୍କାଙ୍କୁ ୬-୭, ୬-୨, ୬-୪ରେ ପରାସ୍ତ କରିଛନ୍ତି । ଏହାସହ କୋକୋ ନିଜର ପ୍ରଥମ ରୋଲାଣ୍ଡ ଗାରୋସ ଟାଇଟଲ୍ ଜିତିଛନ୍ତି । ପ୍ରଥମ ସେଟ୍କୁ କଡ଼ା ମୁକାବିଲାରେ ହାରିବା ପରେ କୋକୋ ନିଜ ଗିୟର ବଦଳାଇଥିଲେ ଓ ପରବର୍ତ୍ତୀ ଦୁଇ ସେଟ୍ରେ ସାବାଲେଙ୍କାଙ୍କୁ ଫେରିବାର ସୁଯୋଗ ଦେଇନଥିଲେ ।
ଫ୍ରେଞ୍ଚ ଓପନ୍ ଜିତିବା ପରେ କୋକୋ ଗଫ୍ ଷ୍ଟାଣ୍ଡରେ ଉପସ୍ଥିତ ନିଜ ମାଆ ଓ କୋଚ୍ଙ୍କୁ ଆଲିଙ୍ଗନ କରି ବିଜୟ ଖୁସି ମନାଇଥିଲେ । ଦ୍ୱିତୀୟ ରାଙ୍କିଂର ଗଫ୍ ଏହା ପୂର୍ବରୁ ୨୦୨୩ରେ ଆମେରିକୀୟ ଓପନ୍ ଜିତିଥିଲେ । ରୋଲାଣ୍ଡ ଗାରୋସରେ ୨୦୧୩ ପରେ ପ୍ରଥମ ଥର ପାଇଁ ଦୁନିଆର ଏକ ନମ୍ୱର ଓ ଦୁଇ ନମ୍ୱର ଖେଳାଳିଙ୍କ ମଧ୍ୟରେ ମୁକାବିଲା ଖେଳାଯାଇଥିଲା । ୧୨ ବର୍ଷ ପୂର୍ବେ ମାରିଆ ସାରାପୋଭାଙ୍କୁ ହରାଇ ସାରେନା ୱିଲିୟମ୍ସ ଟାଇଟଲ୍ ଜିତିଥିଲେ । ଗତ ୩୦ ବର୍ଷରେ ଏହା ଦ୍ୱିତୀୟ ଥର, ଯେତେବେଳେ ଦୁଇ ଶୀର୍ଷ ଖେଳାଳିଙ୍କ ମଧ୍ୟରେ ଏହି ମୁକାବିଲା ହୋଇଥିଲା ।
ତିନି ବର୍ଷ ପୂର୍ବେ ଫ୍ରେଞ୍ଚ୍ ଓପନ୍ରେ ପଦାର୍ପଣ କରିଥିବା ୧୮ ବର୍ଷୀୟ ଗଫ୍ ଫାଇନାଲ୍ରେ ପରାଜିତ ହୋଇଥିଲେ । ସେ ଏଥର ଫ୍ରାନ୍ସର ୱାଇଲ୍ଡ କାର୍ଡଧାରୀ ଲୋଇ ବୋଇସୋଙ୍କୁ ୬-୧, ୬-୨ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ସାବାଲେଙ୍କା ମେ’ରେ ମାଡ୍ରିଡ୍ ଓପନ୍ରେ ଗଫ୍ଙ୍କୁ ହରାଇଥିଲେ ।