ଭୁବନେଶ୍ୱର ୨୬।୧୧ : ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇଓ୍ୱେ ପାଇଁ ମଙ୍ଗଳବାର ଟେଣ୍ଡର ପ୍ରକାଶ ପାଇଛି । ଦୁଇଟି ପ୍ୟାକେଜରେ ଟେଣ୍ଡର ଆହ୍ୱାନ କରାଯାଇଛି । ଖୋର୍ଦ୍ଧା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରସ୍ତାବିତ ୧୬୦ କିଲୋମିଟର ଲମ୍ବ ଏହି ଉପକୂଳ ରାଜପଥ ପାଇଁ ୫୫୦୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ୧୦ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ପବ୍ଲିକ- ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜଲ କମିଟି (ପିପିପିଏସି)ରୁ ମଞ୍ଜୁରି ମିଳିଥିଲା । ଏହି ମେଗା ପ୍ରକଳ୍ପ ପାଇଁ ଖର୍ଚ୍ଚ ଆକଳନ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ପିପିପିଏସି । ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଏବଂ ଓଡ଼ିଶା ସରକାର ପୂରା ଦମ୍ରେ ଲାଗି ପଡ଼ିଛନ୍ତି ।

ତେବେ ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଏହି ପ୍ରକଳ୍ପ ଡବଲ୍ ବେଗରେ ଆଗେଇବା ଆଶା ବଢ଼ିଛି । ଏନ୍ଏଚ୍ଏଆଇ ପକ୍ଷରୁ ଦୁଇଟି ପ୍ୟାକେଜରେ ଟେଣ୍ଡର ଜାରି ହୋଇଛି । ପ୍ରକଳ୍ପର ଡିଜାଇନ, ନିର୍ମାଣ ଓ ଅପରେଟ କରିବା ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ପ୍ରଥମ ପ୍ୟାକେଜରେ ଖୋର୍ଦ୍ଧା ରାମେଶ୍ୱର (ବଡ଼ପୋଖରିଆ ପାଖ) ନିକଟରୁ କୋଣାର୍କ ପର୍ଯ୍ୟନ୍ତ ୭୯ କିଲୋମିଟର ୪ଶହ ମିଟର ୪ ଲେନ୍ ରାସ୍ତା ନିର୍ମାଣ ହେବ । ଆକ୍ସେସ୍ କଣ୍ଟ୍ରୋଲ ଢାଞ୍ଚାରେ ଏହି ରାସ୍ତା ନିର୍ମାଣ ହେବ । ଅର୍ଥାତ୍ ସବୁଠି ମନଇଚ୍ଛା ଗାଡ଼ିମୋଟର ଏହି ଏନ୍ଏଚ୍ ଉପରକୁ ଉଠିପାରିବେ ନାହିଁ । ଏକ ନିୟନ୍ତ୍ରିତ ବ୍ୟବସ୍ଥାରେ ଏହି ଏନ୍ଏଚ୍କୁ ସଂଯୋଗ କରିବାକୁ ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୬୪୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ସେହିପରି ପ୍ୟାକେଜ-୨ରେ କୋଣାର୍କରୁ ପାରାଦୀପ (କେନ୍ଦ୍ରାପଡ଼ା-ପାରାଦୀପ ପାଖ ମଶାକଣି) ପର୍ଯ୍ୟନ୍ତ ୮୦ କିଲୋମିଟର ୭୮୦ ମିଟର ୨ ଲେନ୍ ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତାର ଦୁଇ ପାଶ୍ୱର୍ରେ ପେଭ୍ ସୋଲଡର (ପର୍ଯ୍ୟାପ୍ତ ଖାଲି ସ୍ଥାନ) ରହିବ । ଏଥିପାଇଁ ୧୮୫୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଆଗାମୀ ୨୦୨୬ ଜାନୁଆରୀ ୧୪ ପର୍ଯ୍ୟନ୍ତ ଟେଣ୍ଡର ଆବେଦନ କରିହେବ । ଉପକୂଳ ରାଜପଥ ପାଇଁ ଜମି ଅଧିଗ୍ରହଣ ପ୍ରକଳ୍ପ ପୂର୍ବରୁ ଆରମ୍ଭ ହୋଇସାରିଛି । ୨୦୧୫ରେ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ।